ବିସ୍କୁଟ୍ ବକ୍ସରେ ଶିଶୁ ! ନବଜାତକଙ୍କୁ ବିକ୍ରି କରୁଥିଲା ନର୍ସିଂ ହୋମ୍

35

ଗୋରା ରଙ୍ଗର ଶିଶୁ କନ୍ୟାର ଦାମ୍ ୧,୬୦,୦୦୦ ଟଙ୍କା , ଆଉ ଶ୍ୟାମଳ ବର୍ଣ୍ଣ ହେଲେ ମୂଲ୍ୟ ୭୦,୦୦୦ଟଙ୍କା । ସେହିପରି ଗୋରା ରଙ୍ଗର ଶିଶୁ ପୁତ୍ରର ମୂଲ୍ୟ ୨,୨୦,୦୦୦ ଟଙ୍କା ହୋଇଥିବା ବେଳେ ଯଦି ଶିଶୁ ପୁତ୍ରର ରଙ୍ଗ ଶ୍ୟାମଳ ତେବେ ତାର ମୂଲ୍ୟ ୧୦,୦୦୦ଟଙ୍କା । ନବଜାତକଙ୍କ ଶରୀରର ରଙ୍ଗ ନିର୍ଣ୍ଣୟ କରୁଥିଲା ସେମାନଙ୍କ ମୂଲ୍ୟ । ତେବେ ଏ କୌଣସି ସିନେମାର କାହାଣୀ କିମ୍ବା ବହିର ଗପ ନୁହେଁ । ବରଂ ଏ ହେଉଛି ଏମିତି ଏକ ନର୍ସିଂ ହୋମର ସତ୍ୟତା ଯାହା କୌଣସି ସଭ୍ୟ ସମାଜର ମୁଣ୍ଡ ତଳକୁ କରିଦେବ ।

ନବଜାତକଙ୍କୁ ରଙ୍ଗ ଅନୁଯାୟୀ ମୂଲ୍ୟ ନିର୍ଦ୍ଧାରଣ କରି ବିସ୍କୁଟ୍ ବାକ୍ସରେ ଭର୍ତ୍ତି କରି ଦେଶ ଓ ଦେଶ ବାହାରକୁ ବିକ୍ରି କରୁଥିଲା ପଶ୍ଚିମବଙ୍ଗର ଭଦୁରିଆରେ ଥିବା ଏକ ନର୍ସିଂ ହୋମ୍ । ଜଣେ କି ଦୁଇ ଜଣ ନୁହେଁ ଗତ ଦେଢ ବର୍ଷ ଭିତରେ ପ୍ରାୟ ୨୫ ରୁ ୩୦ ନବଜାତକଙ୍କୁ ବିକ୍ରି କରିସାରିଛନ୍ତି ସଂପୃକ୍ତ ନର୍ସିଂ ହୋମର କର୍ତ୍ତୃପକ୍ଷ ।

ସୂଚନା ଅନୁସାରେ, ପ୍ରସବ ପରେ ଜୀବିତ ଶିଶୁକୁ ପିତାମାତାଙ୍କ ଆଗରେ ମୃତ ବୋଲି କହି ଏପରି ଘୃଣ୍ୟ କାମ କରୁଥିଲେ ନର୍ସିଂହୋମର କର୍ତ୍ତୁପକ୍ଷ । ଜନ୍ମର ତୁରନ୍ତ ପରେ ସେମାନେ ନବଜାତକଙ୍କୁ ବିସ୍କୁଟ ବାକ୍ସରେ ଭର୍ତ୍ତକରି ଏକ ଏନଜିଓକୁ ପଠାଉ ଦେଉଥିଲେ । ଆଉ ସେଠାରୁ ନୀରିହ ଶିଶୁମାନଙ୍କୁ ଦେଶର ବିଭିନ୍ନ ରାଜ୍ୟ ଓ ଦେଶ ବାହାରକୁ ଚାଲାଣ କରୁଥିଲେ ।

ଏଭଳି ଏକ ସମ୍ବେଦନଶୀଳ ଘଟଣାର ପର୍ଦ୍ଦାଫାସ କରିଛନ୍ତି ୱେଷ୍ଟବେଙ୍ଗଲ ସାଆଇଡିର ଡିଆଇଜି ଭାରତଲାଲ ମିନା । ରେଡ୍ ସମୟରେ ବିସ୍କୁଟ ବାକ୍ସରୁ ୩ ଜଣ ନବଜାତକଙ୍କୁ ଉଦ୍ଧାର କରିବା ସହ ଶିଶୁ ଚାଲାଣରେ ସାମିଲ ଥିବା ସଂପୃକ୍ତ ନର୍ସିଂହୋମର ମାଲିକଙ୍କ ସହ ୮ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୁଲିସ୍ । ତେବେ ଘଟଣାରେ କୋଲକାତାର ଆରଜି କର ମେଡିକାଲ୍ କଲେଜ ହସ୍ପିଟାଲ ଏବଂ ବାଙ୍ଗଲାଦେଶ ସୀମାର ଏକ ମେଡିକାଲର ଦୁଇଜଣ ଡାକ୍ତର ସାମିଲ ଥିବା ସନ୍ଦେହ କରି ଅଧିକ ତଦନ୍ତ ଜାରି ରଖିଛି ପୁଲିସ୍ ।