ନୂଆପଡାର ଉପାନ୍ତ ଗାଁକୁ ପାହାଡ ଚଢି ଚାଲିଚାଲି ଗଲେ ଜିଲ୍ଲାପାଳ ! ସମସ୍ୟା ବୁଝିବାକୁ ଗାଁ ଲୋକଙ୍କୁ ଦେଇଥିଲେ ପ୍ରତିଶ୍ରୁତି

60

କନକ ବ୍ୟୁରୋ : ଦୁର୍ଗମ ଅଂଚଳ, ଅପହଂଚ ଇଲାକା । ଯେଉଁଠି କି ପହଂଚିବା ପାଇଁ ପ୍ରଶାସନକୁ ବି ଦରକାର ପଡ଼େ ଲାଠିର ସାହାରା । କାହିଁକି ନା’ ଗମନାଗମନା କହିଲେ, ଏଠି କିଛି ନାହିଁ । ନୂଆପଡ଼ା ଜିଲ୍ଲାର ଘଂଚ-ଜଙ୍ଗଲ ଭିତରେ ପାହାଡ଼, ଆଉ ତାରି ଉପରେ ରୁହନ୍ତି ପାହାଡ଼ି ମଣିଷ । ଜୀବନ ସାଧାରଣ ଯେଉଁଠି ଏକ ସଂଘର୍ଷ । ଜିଲ୍ଲା ସଦର ମହକୁମାଠୁ ୯୦ କିଲୋମିଟର ଏବଂ ମୁଖ୍ୟ ରାସ୍ତାଠୁ ୪ କିଲୋମିଟର ପାହାଡି ରାସ୍ତା ଅତିକ୍ରମ କରି ସମାଟପଦର ଗାଁରେ ପହଂଚିଥିଲେ ନୂଆପଡ଼ା ଜିଲ୍ଲାପାଳ ପୋମା ଟୁଡୁ ।

ଲୋକଙ୍କ ସମସ୍ୟା ବୁଝିବେ, ସମସ୍ୟାର ଆଲୋଚନା କରିବେ ଏହି ଲକ୍ଷ୍ୟ ନେଇ ପହଂଚିଥିଲେ ଜିଲ୍ଲାପାଳ । ପ୍ରଶାସନର ପାଦ ପଡୁନଥିବା ଏହି ଗାଁରେ ଯେତେବେଳେ ଜିଲ୍ଲାପାଳ ପହଂଚିଥିଲେ । ଲୋକେ ତାଙ୍କୁ ଚିହ୍ନି ବି ପାରିନଥିଲେ । ଯେଉଁଥି ପାଇଁ ତାଙ୍କୁ ପରିଚୟ ଦେବାକୁ ପଡ଼ିଲା । ଆଉ ଶେଷରେ ଲୋକଙ୍କ ସମସ୍ୟାର ସମାଧାନ ପାଇଁ ପ୍ରତିଶ୍ରୁତି ଦେଇ ଆସିଛନ୍ତି ଜିଲ୍ଲାପାଳ ।

ନୂଆପଡ଼ା ଜିଲ୍ଲାପାଳଙ୍କ ଏଭଳି ଉଦ୍ୟମକୁ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଟ୍ୱିଟ୍ କରି ନବୀନ ଲେଖିଛନ୍ତି- ଜନସେବା ପ୍ରତି ଉତ୍ସର୍ଗୀକୃତ ହେବାର ଏକ ଅନନ୍ୟ ଉଦାହରଣ । ୪ କିଲୋମିଟର ପାହାଡ଼ି ରାସ୍ତା ପାଦରେ ଚାଲିଚାଲି ଯାଇ ଲୋକଙ୍କ ସମସ୍ୟା ଶୁଣିଥିବାରୁ ମୁଖ୍ୟମନ୍ତ୍ରୀ ତାଙ୍କୁ ପ୍ରଶଂସା କରିଛନ୍ତି ।ବେଶ୍ କିଛି ମାସ ତଳେ ସମାନ ଚିତ୍ର କଏଦ କରିଥିଲା କନକ ନ୍ୟୁଜ୍ ଟିମ୍ । ଯେତେବେଳେ ଝିପିଝିପ ବର୍ଷା ଭିତରେ ଲାଠିଟିଏ ଧରି ନଗଡ଼ାରେ ପହଂଚିଥିଲେ ଆମ ପ୍ରତିନିଧି । ଯେମିତି ଆଜି ନୂଆପଡ଼ା ଜିଲ୍ଲାର ଜିଲ୍ଲାପାଳ ଯାଉଛନ୍ତି । କିନ୍ତୁ ଏବେ ବଦଳି ଯାଇଛି ଚିତ୍ର।

ନଗଡ଼ାକୁ ପହଂଚି ଯାଇଛି ପକ୍କା ରାସ୍ତା । ଗାଁ ଦାଣ୍ଡ ସିମେଂଟରେ କଂକ୍ରିଟ୍ ହୋଇଛି । ଝୁମ୍ପୁଡି କୁଡ଼ିଆ ସବୁ ନେଉଛି ପକ୍କା ଘରର ରୂପ । ସ୍କୁଲ, ଅଙ୍ଗନବାଡ଼ି, ସ୍ୱାସ୍ଥ୍ୟ କେନ୍ଦ୍ର ଭଳି ମୌଳିକ ସୁବିଧା ସୁଯୋଗ ଆଜି ନଗଡ଼ାବାସୀଙ୍କ ହାତ ପାଆନ୍ତାରେ । ପନିପରିବା ଚାଷ ପାଇଁ ଉଦ୍ୟାନ ବିଭାଗ ପକ୍ଷରୁ ହୋଇଛି ସ୍ୱତନ୍ତ୍ର ବ୍ୟବସ୍ଥା । ପଶୁପାଳନ ପାଇଁ ଯୋଗଇ ଦିଆଯାଇଛି ସୁଯୋଗ ।

ଲୋକଲୋଚନକୁ ଆସିଲା ପରେ ବଦଳିଛି ଯାଜପୁର ଜିଲ୍ଲା ନଗଡାର ଚିତ୍ର । ଅନାହାର ଅପପୃଷ୍ଟି ଭରା ଶିଶୁଙ୍କ ପାଟିରେ ପହଂଚି ଯାଉଛି ଆହାରା । ଆଉ ଏଭଳି ସ୍ଥିତିରେ ଲୋକଲୋଚନ ଆଢୁଆଳରେ ରହିଯାଇଥିବା ନୂଆପଡ଼ା ଜିଲ୍ଲାର ସମାଟପଦର ଗାଁର ଚିତ୍ର କେବେ ବଦଳୁଛି, ଏବେ ତା ଉପରେ ହିଁ ନଜର ।