ଡୋକଲାମ ବିବାଦ ! ଚୀନ ରାଷ୍ଟ୍ରପତିଙ୍କୁ ଭେଟିଲେ ଡୋଭାଲ

44

କନକ ବ୍ୟୁରୋ : ଡୋକଲାମଠାରେ ସୀମା ବିବାଦକୁ ନେଇ ଭାରତ-ଚୀନ୍ ସେନା ମୁହାଁମୁହିଁ ରହିଥିବାବେଳେ ଗତକାଲି ଭାରତର ଜାତୀୟ ସୁରକ୍ଷା ଉପଦେଷ୍ଟା ଅଜିତ ଡୋଭାଲ ଚୀନ୍ ରାଷ୍ଟ୍ରପତି ଜି ଜିନପିଙ୍ଗଙ୍କୁ ସାକ୍ଷାତ କରିଛନ୍ତି । ପୂର୍ବରୁ ମଧ୍ୟ ଚୀନର ଷ୍ଟେଟ କାଉନସିଲର ୟାଙ୍ଗ ଜିଏଚିଙ୍କ ସହ ତାଙ୍କର ଆଲୋଚନା ହୋଇଥିଲା। ଏହି ଆଲୋଚନାରେ ସୀମା ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ଗୁରୁତ୍ୱାରୋପ କରାଯାଇଥିବା ସୂଚନା ମିଳିଛି ।

ତେବେ ଏହାର ଫଳାଫଳ ଜଣାପଡ଼ିନଥିବାବେଳେ ଚୀନ୍ ସୋସିଆଲ ମିଡିଆ ଏବେ ଯୁଦ୍ଧବିରୋଧୀ ଆଭିମୁଖ୍ୟ ଗ୍ରହଣ କରିଛି । ଏଥିରେ ଭାରତ-ଚୀନ୍ ଯୁଦ୍ଧକୁ ତୀବ୍ର ବିରୋଧ କରାଯାଇ ବୟାନମାନ ପ୍ରକାଶ ପାଇଛି । ଡୋଭାଲଙ୍କ ସହ ଆଲୋଚନା ନେଇ ଚୀନ୍ ବିଦେଶ ବିଭାଗ ମୁଖପାତ୍ର ଲୁ କାଙ୍ଗଙ୍କୁ ସାମ୍ବାଦିକମାନେ ପ୍ରଶ୍ନ କରିଥିଲେ । କିନ୍ତୁ ତାଙ୍କ ପାଖରେ ଏନେଇ ଖବର ନାହିଁ ବୋଲି ସେ କହିଛନ୍ତି ।

ଦ୍ୱିପାକ୍ଷିକ ଆଲୋଚନା ପୂର୍ବରୁ ଭାରତ ସେନା ପ୍ରତ୍ୟାହାର କରିବାକୁ ଚୀନର ଦାବି ଏବେ ବନ୍ଦ ରହିଛି ଓ ଚୀନା ଗଣମାଧ୍ୟମଗୁଡ଼ିକ ପୂର୍ବଭଳି ଉତ୍ତେଜନାମୂଳକ ବୟାନ ପ୍ରକାଶ କରୁନାହାନ୍ତି । ତେଣୁ ଡୋକଲାମ ନେଇ ଦୁଇ ପକ୍ଷ ମଧ୍ୟରେ କୌଣସି ବୁଝାମଣା ହୋଇଥିବା ଆଶା ପ୍ରକାଶ ପାଇଛି । ଚୀନର ଅନ୍ତର୍ଜାତୀୟ ବ୍ୟାପାର ସଂକ୍ରାନ୍ତ ବହୁ ଗବେଷକ ସମ୍ଭାବିତ ଭାରତ-ଚୀନ୍ ଯୁଦ୍ଧକୁ ବିରୋଧ କରି ଏହାଦ୍ୱାରା ଚୀନର ଓ୍ଵାନ ବେଲ୍ଟ ଓ୍ଵାନ ରୋଡ୍ ପ୍ରକଳ୍ପ ପ୍ରଭାବିତ ହେବବୋଲି ଚେତାବନୀ ଦେଇଛନ୍ତି ।