କାଶ୍ମୀର ଘାଟିରେ ଭାରତର ଟାଇଗର । ଧାରା ୩୭୦ ଉଚ୍ଛେଦ ପରେ ଲୋକଙ୍କ ସହ ଆଲୋଚନା କଲେ, ଖଲିପତ୍ରରେ ଖାଇଲେ । ଦେଖନ୍ତୁ ଭିଡ଼ିଓ ।

789

ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ପୂରା ଦେଶରେ ଉତ୍ସବର ମାହୋଲ ଦେଖିବାକୁ ମିଳିଛି । ଏପରିକି କେନ୍ଦ୍ର ସରକାରଙ୍କ ଏହି ନିଷ୍ପତିକୁ ଚାରିଆଡୁ ପ୍ରଂଶସା କରାଯାଇଛି । ତେବେ ଧାରା ୩୭୦ର ଉଚ୍ଛେଦ ପରେ ଜମ୍ମୁ-କାଶ୍ମୀରରେ କିଭଳି ସ୍ଥିତି ରହିଛି ଓ ସୁରକ୍ଷା ବ୍ୟବସ୍ଥା କିଭଳି ରହିଛି ତାହାର ଅନୁଧ୍ୟାନ ପାଇଁ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍ ଡୋଭାଲ କାଶ୍ମୀର ଗସ୍ତରେ ଯାଇଛନ୍ତି । ମୋଦି ଓ ଶାହାଙ୍କ ପରେ ଧାରା ୩୭୦ ଉଚ୍ଛେଦ ପଛର ମାଷ୍ଟରମାଇଣ୍ଡ କୁହାଯାଉଥିବା ଅଜିତ ଡୋଭାଲ କାଶ୍ମୀରବାସୀଙ୍କ ସହ ଆଲୋଚନା କରିବା ସହ ସେଠକାର ସ୍ଥିତିର ସମୀକ୍ଷା କରିଛନ୍ତି ।

ଧାରା ୩୭୦ ଉଚ୍ଛେଦ ପରେ କାଶ୍ମୀର ଗସ୍ତରେ ଯାଇଥିବା ଅଜିତ ଡୋଭାଲଙ୍କୁ ସୋପିଆନରେ ଏକ ଭିନ୍ନ ଅନ୍ଦାଜରେ ଦେଖିବାକୁ ମିଳିଥିଲା । ସେଠାରେ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିବା ସହ ମଧ୍ୟାହ୍ନ ଭୋଜନ କରିଥିଲେ ଡୋଭାଲ । ଆଉ ସ୍ଥାନୀୟ ଲୋକଙ୍କ ସହ କିଛି ସମୟର ଆଲୋଚନା ପରେ ପୋଲିସ ଅଧିକାରୀଙ୍କ ସହ ଲମ୍ବା ଆଲୋଚନା କରିଥିଲେ ଡୋଭାଲ ।

କାଶ୍ମୀର ଘାଟିର ବାସିନ୍ଦା ଓ ପୋଲିସଙ୍କ ସହ ଭେଟ କରିବା ପରେ କେନ୍ଦ୍ରୀୟ ସୁରକ୍ଷାବଳର ଯବାନଙ୍କୁ ଭେଟିଥିଲେ ଡୋଭାଲ । ସେନାର ବଡ ଅଧିକାରୀଙ୍କ ସହ ଆଲୋଚନା କରି କାଶ୍ମୀର ସ୍ଥିତିର ସମୀକ୍ଷା କରିଥିଲେ । ଜମ୍ମୁ-କାଶ୍ମୀରରେ ଧାରା ୩୭୦ ହଟିବା ପରେ ପ୍ରଥମ ଥର ପାଇଁ କାଶ୍ମୀର ଗସ୍ତରେ ଯାଇଛନ୍ତି ଡୋଭାଲ । ଅଜିତଙ୍କ ପୂର୍ବରୁ ରାଜ୍ୟପାଳ ସତ୍ୟପାଳ ମଲ୍ଲିକ ମଙ୍ଗଳବାର ଜମ୍ମୁ-କାଶ୍ମୀରର ସୁରକ୍ଷା ବ୍ୟବସ୍ଥା ସମୀକ୍ଷା କରିବା ସହ ଲୋକଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବାକୁ ବିଭିନ୍ନ ଜିଲ୍ଲାର ପୋଲିସ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।