ପୁରୀର ବିକାଶ ପାଇଁ ଖର୍ଚ୍ଚ ହେବ ୨୬୫ କୋଟି: ୫ଟି ପ୍ରକଳ୍ପକୁ ଅନୁମୋଦନ ଦେଲେ ମୁଖ୍ୟମନ୍ତ୍ରୀ; ନିର୍ମାଣ ହେବ ୧୨୫୦ଟି ନୂଆ ଦୋକାନ ଘର

ବହୁତଳ କାର୍ ପାର୍କିଂ ବ୍ୟବସ୍ଥା କରାଯିବ; ଆଚାର୍ଯ୍ୟ ହରିହର ଛକ ରାସ୍ତାର କରାଯିବ ସଂପ୍ରସାରଣ

366

କନକ ବ୍ୟୁରୋ: ପୁରୀର ବିକାଶ ପାଇଁ ଖର୍ଚ୍ଚ ହେବ ୨୬୫ କୋଟି । ପୁରୀର ବିକାଶ ନିମନ୍ତେ ଲୋକସେବା ଭବନରେ ବସିଥିବା ଉଚ୍ଚସ୍ତରୀୟ ବୈଠକରେ ପ୍ୟାକେଜ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିରେ ୨୬୫ କୋଟି ଟଙ୍କାର ୫ ଗୋଟି ପ୍ରକଳ୍ପକୁ ମିଳିଛି ଅନୁମୋଦନ ।

ପବିତ୍ର ଧାମ ପୁରୀ ଶ୍ରୀକ୍ଷେତ୍ରକୁ ସାରା ବିଶ୍ୱର କୋଣ ଅନୁକୋଣରୁ ଲକ୍ଷ ଲକ୍ଷ ଭକ୍ତ ଆସୁଛନ୍ତି । ସେମାନଙ୍କୁ ପୁରୀ ସହରରେ ଉନ୍ନତମାନର ସେବା ଓ ସୁବିଧା ଯୋଗାଇ ଦେବା ପାଇଁ ଅଭଡା ଯୋଜନାରେ ୫ଟି ଗୋଟି ଭତ୍ତିଭୂମି ବିକାଶ ପ୍ରକଳ୍ପ ଆରମ୍ଭ କରାଯିବ । ଏଥି ସହିତ ହିଁ ପୁରୀର ପୁରୁଣା ଜେଲ ପରିସର , ଯାତ୍ରୀକା ଏବଂ ମ୍ୟୁନିସପାଲଟି ମାର୍କେଟର ବିକାଶ କରାଯାଇ ସେଠାରେ ୧୨୫୦ଟି ଦୋକାନ ଘର ନିର୍ମାଣ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି । ସେହିଭଳି ପୁରୀର ପୁରୁଣା ଜେଲ ପରିସରରେ ବହୁତଳ ବିଶିଷ୍ଟ ପାର୍କିଂ ବ୍ୟବସ୍ଥାର ବିକାଶ କରାଯିବ । ଏଠାରେ ୪୦୦ କାର ପାଇଁ ପାର୍କି ସୁବିଧା ରହିବ । ସେହିପରୁ ଯାତ୍ରୀକାରେ ମଧ୍ୟ ବହୁତଳ କାର୍ ପାର୍କିଂ ବ୍ୟବସ୍ଥା କରାଯିବ । ଆଉ ଏଠାରେ ମଧ୍ୟ ୪ଶହ କାର ରହିଲା ଭଳି ପାର୍କିଂ ସୁବିଧା ଯୋଗାଇ ଦିଆଯିବ ।

ଏହାବ୍ୟତୀତ ପୁରୀ ଜିଲ୍ଲାପାଳ କାର୍ଯ୍ୟାଳୟ ସମେତ ପୁରୀରେ ଥିବା ସମସ୍ତ ସରକାରୀ କାର୍ଯ୍ୟାଳୟକୁ ଗୋଟିଏ ଛାତ ତଳେ ରଖାଯିବ । ତେବେ ଗୋଟିଏ ସ୍ଥାନରେ ସମସ୍ତ ସରକାରୀ କାର୍ଯ୍ୟାଳୟ ରହିବା ଦ୍ୱାରା ସାଧାରଣ ଲୋକଙ୍କ ପାଇଁ ସୁବିଧାଜନକ ପ୍ରମାଣିତ ହେବ । ଅନ୍ୟପଟେ ସ୍ଥାନାନ୍ତରିତ ହୋଇଥିବା କାର୍ଯ୍ୟାଳୟ ପରିସରଗୁଡିକୁ ପାର୍କ ଆଦି ବିଭିନ୍ନ ନାଗରିକ ସୁବିଧା କେନ୍ଦ୍ର ଭାବରେ ବ୍ୟବହାର କରାଯାଇପାରିବ । ପୁରୀର ମ୍ୟୁନିସପାଲ୍ଟି ପୁନରୁଦ୍ଧାର କରାଯାଇ ଏହାକୁ ଅତ୍ୟାଧୂନିକ ମାର୍କେଟ କମ୍ପେ୍ଲକ୍ସରେ ପରିଣତ କରାଯିବ । ସେହିଭଳି ଆଚାର୍ଯ୍ୟ ହରିହର ଛକର ରାସ୍ତା ସଂପ୍ରସାରଣ କରାଯାଇ ସେଠାରେ ବିଭିନ୍ନ ନାଗରିକ ସୁବିଧା ଏବଂ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ହାତକୁ ନିଆଯିବ ବୋଲି ବୈଠକରେ ନିଷ୍ପତ୍ତି ନିଆଯିବା ସହ ଏହି ସମସ୍ତ କାର୍ଯ୍ୟ ପୂର୍ତ୍ତ ବିଭାଗ ଅଧିନରେ ଓଡିଶା ସେତୁ ଓ ନିର୍ମାଣ ନିଗମ ଜରିଆରେ କାର୍ଯ୍ୟକାରୀ କରାଯିବ ।