ପେଶାରୁ ସନ୍ୟାସ ନେଲେ ରାମ ଜେଠମଲାନୀ ! ୬ ଦଶନ୍ଧିର ଲମ୍ବା ଓକିଲାତି ଛାଡିବା ନେଇ କଲେ ଘୋଷଣା

64

କନକ ବ୍ୟୁରୋ: ଦେଶର ଜଣାଶୁଣା ଓକିଲ ରାମ ଜେଠମଲାନୀ ଗତକାଲି ନିଜ ପେଶାରୁ ସନ୍ୟାସ ନେଇଥିବା ଘୋଷଣା କରିଛନ୍ତି । ୯୪ବର୍ଷ ବୟସ୍କ ଜେଠମଲାନୀ ୬ ଦଶନ୍ଧିର ଲମ୍ବା ଓକିଲାତି ପେଶାରୁ ଅବସର ନେଉଥିବା ଘୋଷଣା କରିିଛନ୍ତି । ଦିଲ୍ଲୀରେ ଭାରତର ନୂଆ ଚିଫ ଜଷ୍ଟିସ ଦୀପକ ମିଶ୍ରାଙ୍କ ସମ୍ମାନରେ ଆୟୋଜିତ ବାର କାଉନସିଲର କାର୍ଯ୍ୟକ୍ରମରେ ସେ ଅବସର ସୂଚନା ଦେଇଛନ୍ତି ।

ଏହି ଅବସରରେ ସେ କହିଥିଲେ ଆଗକୁ ଭ୍ରଷ୍ଟ ରାଜନେତାଙ୍କ ବିରୋଧରେ ଲଢେଇ ଜାରି ରଖିବେ । ସେ କେବଳ ପେଶାରୁ ସନ୍ୟାସ ହେଉଛନ୍ତି, ହେଲେ ଜୀବନ ଥିବା ଯାଏଁ ସର୍ବଦା ନୂଆ ଭୂମିକାରେ ରହିବେ । ଦୁର୍ନୀତିଗ୍ରସ୍ତ ନେତାଙ୍କ ବିରୋଧରେ ତାଙ୍କ ଲଢେଇ ଜାରି ରହିବ, ଯେଉଁମାନେ ଏବେ ସରକାରରେ ପଦାସୀନ ହୋଇଛନ୍ତି । ଆଉ ଏପରି ପ୍ରୟାସ ଭାରତର ସ୍ଥିତିକୁ ଆହୁରି ଭଲ କରିବ ବୋଲି କହିଛନ୍ତି ପୂର୍ବତନ କ୍ରିମିନାଲ ଲୟର ରାମ ଜେଠମଲାନୀ । ନିଜ ପେଶାରୁ ସନ୍ୟାସ ଘୋଷଣା ସମୟରେ ସେ ସାଂପ୍ରତିକ ସରକାରଙ୍କୁ ଦେଶର ବିପତ୍ତି ବୋଲି କହିଥିଲେ ।

ବର୍ତ୍ତମାନର ଓ ପୂର୍ବତନ ସରକାର ଦେଶକୁ ଭୀଷଣ ଭାବେ ସବୁ ସ୍ତରରେ ତଳିଆ ଦେଖାଇଛନ୍ତି । ତେଣୁ ଏହି ବଡ ବିପତ୍ତିରୁ ଦେଶକୁ ଉଦ୍ଧାର କରିବା ସବୁ ବାରକାଉନସିଲର ସସଦ୍ୟ ଓ ଭାରତୀୟ ନାଗିରକଙ୍କୁ ଦାୟିତ୍ୱ । ଦୁର୍ନୀତିଗ୍ରସ୍ତ ପଦପଦବୀରେ ଥିବା ନେତାଙ୍କୁ ଶୀଘ୍ର ବାହାର ରାସ୍ତା ଦେଖାଇବା ଉଚିତ ବୋଲି କହିଛନ୍ତି ଜେଠମଲାନୀ ।

ତେବେ ପୂର୍ବତନ ବିଜେପି ନେତା ତଥା ଦେଶର ପ୍ରସିଦ୍ଧ କ୍ରିମିନାଲ ଲୟର ରାମ ଜେଠମଲାନୀ ୧୭ ବର୍ଷ ବୟସରେ ଆଇନ ଡୀଗ୍ରୀ ହାସଲ କରିଥିଲେ । ବହୁ ହାଇପ୍ରୋଫାଇଲ ମାମଲାରେ ସେ ଓକଲି ରହି ବହୁ ଚର୍ଚ୍ଚା ମଧ୍ୟ ସାଉଁଟିଛନ୍ତି । ଆସନ୍ତୁ ନଜର ପକାଇବା ତାଙ୍କର କିଛି ହାଇ ପ୍ରୋଫାଇଲ ମାମଲା ଉପରେ ।

• ୧୭ ବର୍ଷ ବୟସର ଆଇନ ଡୀଗ୍ରୀ ହାସଲ କରିବା ପରେ ୧୯୫୯ ମସିହାରେ ଜେଠମଲାନୀ ପ୍ରଥମ ମାମଲାର ଭାବେ କେଏମ ନାନାବଟୀ ବନାମ ମହାରାଷ୍ଟ୍ର ସରକାର ଲଢି ଚର୍ଚ୍ଚାକୁ ଆସିଥିଲେ ।

• ଇନ୍ଧିରାଗାନ୍ଧୀ ହତ୍ୟା ମାମଲାରେ ହତ୍ୟାକାରୀ କେହର ସିଂହ ଓ ସତବନ୍ତ ସିଂହଙ୍କ ମାମଲା ଲଢିଥିଲେ ରାମ ଜେଠମଲାନୀ

• ସେହିପରି ରାଜୀବ ଗାନ୍ଧୀ ହତ୍ୟା ମାମଲାର ଦୋଷୀ ମୁରଗାନର ଓକିଲ ରହିଥିଲେ ରାମଜେଠମଲାନୀ

• ଷ୍ଟକ ମାର୍କେଟ ଘୋଟାଲାରେ ହର୍ଷଦ ମେହେତାଙ୍କ ବଂଚାଇଥିଲେ, ସେହିପରି ସମାନ ମାମଲାରେ କେତନ ପାରେଖଙ୍କ ପକ୍ଷ କୋର୍ଟରେ ରଖିଥିଲେ ।

• ଅଣ୍ଡରୱାର୍ଲଡ ଡନ୍ ହାଜି ମସ୍ତାନଙ୍କ ମାମଲା ମଧ୍ୟ ସେ ଲଢିଥିଲେ ।

• ହବାଲା କାଣ୍ଡ ମାମଲାରେ ରାମ ଜେଠମଲାନୀ ବରିଷ୍ଠ ବିଜେପି ନେତା ଲାଲକୃଷ୍ଣ ଆଡଭାନୀଙ୍କ ଓକିଲ ଥିଲେ ।

• ଦିଲ୍ଲୀର ଚର୍ଚ୍ଚିତ ଜେସିକା ଲାଲ ହତ୍ୟାକାଣ୍ଡ ମାମଲାର ଅଭି ଯୁକ୍ତ ମନୁ ଶର୍ମାଙ୍କ ଓକିଲ ଥିଲେ ଜେଠମଲାନୀ ।

• ସୋହରାବୁଦ୍ଧିନ ମିଥ୍ୟା ଏନକାଉନଟର ମାମଲାରେ ବର୍ତମାନର ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ କେସ ଲଢିଥିଲେ ।

• ଟୁଜି ଦୁର୍ନୀତି ମାମଲାରେ ଡିଏମକେ ନେତ୍ରୀ କାନିମୋଝିଙ୍କ ଓକଲି ଥିଲେ ।

• ରାମ ଜେଠମଲାନୀ କଥିତ ଦୁଷ୍କର୍ମ ମାମଲାରେ ଗିରଫ ଆତ୍ମଘୋଷିତ ଭଗବାନ ଆଶାରାମ ବାପୁଙ୍କ ମାମଲା ମଧ୍ୟ ଲଢିଥିଲେ ।

• ଆୟବର୍ହିଭୂତ ସଂପତି ଠୁଳ ଅଭିଯୋଗରେ ପୂର୍ବତନ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଜୟ ଲଳିତାଙ୍କ ମାମଲା ମଧ୍ୟ ସେ ଲଢିଥିଲେ ।