ଆଉ ୧୫ ଦିନ ପରେ ସରିବ ମୋଦିଙ୍କ ୫୦ ଦିନିଆ କଂଟ : ସ୍ଥିତିରେ ଆସୁନି ଆଖିଦୃଶିଆ ପରିବର୍ତ୍ତନ

31

କନକ ବ୍ୟୁରୋ : ଏପ୍ରିଲ ପୂର୍ବରୁ ସୁଧୁରିବନି ଅବସ୍ଥା । ବିମୁଦ୍ରାକରଣ ଘୋଷଣା ପରେ ସମସ୍ୟା ସମାଧାନ ପାଇଁ ଦେଶବାସୀଙ୍କ ଠାରୁ ପ୍ରଧାନମନ୍ତ୍ରୀ ୫୦ ଦିନ ସମୟ ମାଗିଥିଲେ । ହେଲେ ବାସ୍ତବ ସ୍ଥିତି କିନ୍ତୁ ଭିନ୍ନ କଥା କହୁଛି । ମୋଦିଙ୍କ ପ୍ରତିଶ୍ରୁତି ପୂରଣ ହେବାକୁ ଆଉ ମାତ୍ର ୧୫ ଦିନ ବାକି ଅଛି । ଅର୍ଥାତ୍ ଡିସେମ୍ବର ୩୦ ମଧ୍ୟରେ ସ୍ଥିତି ସୁଧୁରିବା ଏକ ପ୍ରକାର ଅସମ୍ଭବ ବୋଲି ଆକଳନ କରିଛନ୍ତି ଅର୍ଥନୀତି ବିଶେଷଜ୍ଞ । କାରଣ ଏବେ ମଧ୍ୟ ବ୍ୟାଙ୍କ୍ ଓ ଏଟିଏମ ଗୁଡିକରେ ଯଥେଷ୍ଟ ନୂଆ ନୋଟ୍ ଉପଲବ୍ଧ ହେଉ ନାହିଁ । ଫଳରେ ବ୍ୟାଙ୍କରେ ଦେଖିବାକୁ ମିଳୁଛି ଲମ୍ବା ଲାଇନ୍ । ଲୋକେ ଆବଶ୍ୟକ ଟଙ୍କା ନ ପାଇ ହତାଶ ହେଉଛନ୍ତି । ଟଙ୍କା ଉଠାଣ କଟକଣାରେ ସାମାନ୍ୟ କୋହଳ ହୋଇନାହିଁ ।

ଏହି ପରିସ୍ଥିତି ଧିରେ ଧିରେ ସୁଧୁରୁଥିଲେ ମଧ୍ୟ ସ୍ୱାଭାବିକ ହେବାକୁ ଆହୁରି ଅଧିକ ସମୟ ଲାଗିବ । ଏକ ଆକଳନରୁ ଜଣାପଡିଛି ଯେ ୨୦୧୭ ଏପ୍ରିଲ ପୂର୍ବରୁ ସ୍ୱାଭାବିକ ହୋଇପାରିବନି ସ୍ଥିତି । ଦେଶରେ ରିଜର୍ଭ ବ୍ୟାଙ୍କରେ ରହିଛି ମାତ୍ର ୪ ଟି ଛାପାଖାନା । ଛାପାଖାନା ଗୁଡିକର ରହିଛି ଦିନକୁ ୭ କୋଟି ୪୦ ଲକ୍ଷ ନୋଟ ଛାପିବା କ୍ଷମତା । ଯଦି ୩ଟି ସିଫ୍ଟରେ କାମ କରାଯାଏ ତେବେ ଦିନକୁ ଛପା ହୋଇପାରିବ ୧୧ କୋଟି ୧୦ ଲକ୍ଷ ନେଟେ । ବଜାରରେ ୯ ଲକ୍ଷ କୋଟି ଟଙ୍କା ପ୍ରବେଶ କରାଇବାକୁ ହେଲେ ଛାପିବାକୁ ପଡିବ ୬୮୧ କୋଟି ୫୦୦ ଟଙ୍କିଆ ନୋଟ୍ । ୬୮୧ କୋଟି ୫୦୦ ଟଙ୍କିଆ ନୋଟ୍ ଛାପିବାକୁ ୧୨୨ ଦିନ ଅର୍ଥାତ୍ ପ୍ରାୟ ୪ ମାସ ସମୟ ଲାଗିବ ।

ଯଦି ବ୍ୟାଙ୍କ ଫେରି ଆସିଥିବା ପୁରୁଣା ନୋଟ ଯାହାର ପରିମାଣ ୧୪ ଲକ୍ଷ କୋଟି ଟଙ୍କା ରହିଛି,ସେହି ପରିମାଣର ଟଙ୍କା ବଜାରକୁ ଛଡାଗଲେ ଛାପିବାକୁ ପଡିବ ୧୧୮୧ କୋଟି ୫୦୦ ଟଙ୍କିଆ ନୋଟ୍ । ୧୧୮୧ କୋଟି ୫୦୦ ଟଙ୍କିଆ ନୋଟ୍ ଛାପିବାକୁ ୨୧୨ ଦିନ ଅର୍ଥାତ୍ ପ୍ରାୟ ୭ ମାସ ଲାଗିବ । କିନ୍ତୁ ନଭେମ୍ବର ସୁଦ୍ଧା ଛପା ହୋଇଛି ମାତ୍ର ୧୦ କୋଟି ୫୦୦ ଟଙ୍କିଆ ନୋଟ୍ । ଅର୍ଥାତ ପୂରା ସମସ୍ୟା ଦୂର ହେବାକୁ ୨୦୧୭ ମସିହା ଜୁଲାଇ ମାସ ହୋଇଯିବ । ବାସ୍ତବ ସ୍ଥିତିକୁ ଅନୁଧ୍ୟାନ କଲେ ୧୫ ଦିନ ମଧ୍ୟରେ ପରିସ୍ଥିତି ସ୍ୱାଭାବିକ ହେବା ଆଦୌ ସମ୍ଭବ ନୁହେଁ । କାରଣ ଛାପାଖାନରୁ ରିଜର୍ଭ ବ୍ୟାଙ୍କ ଓ ସେଠାରୁ ବିଭିନ୍ନ ବ୍ୟାଙ୍କରେ ନୋଟ୍ ପହଂଚିବା ମଧ୍ୟ ସମୟ ସାପେକ୍ଷ । ଏଥିରୁ ଜଣାପଡୁଛି ଯେ ଆସନ୍ତା ୩୧ ସୁଦ୍ଧା ମୁଦ୍ରା ସମସ୍ୟା ସମାଧାନର ଅନ୍ୟ କୌଣସି ଉପାୟ ମଧ୍ୟ ନାହିଁ ।

ଏହା ସହ ଦେଖନ୍ତୁ ଏହି ଭିଡିଓ :