ନଗଡ଼ା ନରକର କାହାଣୀ: ବଦଳିନି ଭୋକର ଭୂଗୋଳ, ମିଳୁନି ମୌଳିକ ସୁବିଧା; ଖୁଣ୍ଟ ପଡ଼ିଛି, ତାର ଟଣା ଯାଇଛି ହେଲେ ଜଳୁନି ଆଲୁଅ
୯୦ ପ୍ରତିଶତ ଯୁବକ ବେକାର, ଛାଡ଼ି ପାରିନାହାନ୍ତି ପୋଡ଼ୁ ଚାଷ
କନକ ବ୍ୟୁରୋ: ତିନି ବର୍ଷ ପରେ ବି ନଗଡ଼ାର ଜୁଆଙ୍ଗ ବିଭିନ୍ନ ମୌଳିକ ସମସ୍ୟାରୁ ମୁକୁଳି ପାରିନାହିଁ। ଭୋକ ଭୂଗୋଳ ଭାବେ ପରିଚିତ ଏ ଇଲାକାର ଚିତ୍ର ବଦଳି ପାରିନାହିଁ। ପ୍ରାଚୁର୍ଯ୍ୟ ଭିତରେ ଦାରିଦ୍ର୍ୟ ସ୍ପଷ୍ଟ ବାରି ହୋଇପଡ଼ୁଛି। ଲୋକେ ଚୁଆ ପାଣି ପିଉଛନ୍ତି। ପାରମ୍ପରିକ ପୋଡ଼ୁ ଚାଷ କରୁଛନ୍ତି। ୯୦ ପ୍ରତିଶତ ଯୁବକ ବେକାର। ମହିଳାଙ୍କୁ ସ୍ବାବଲମ୍ବୀ ଯୋଜନା ବି ଅପହଞ୍ଚ। ଛାଡ଼ି ପାରିନାହାନ୍ତି ପୋଡ଼ୁଚାଷ। ଖୁଣ୍ଟ ପଡ଼ିଛି, ତାର ଟଣା ଯାଇଛି; ମାତ୍ର ଆଲୁଅ ଜଳୁନାହିଁ। ଏଭଳି ସ୍ଥିତି ଆଜି ବି ଜାହିର କରୁଛି ନଗଡ଼ା ନରକର କାହାଣୀ।
Kanak News is now on WhatsApp
Join and get latest news updates delivered to you via WhatsApp
ତିନିବର୍ଷ ତଳେ ନଗଡ଼ା ଶିଶୁ ମଡ଼କ ସଂପର୍କିତ ଖବର ରାଜ୍ୟ ତଥା ଦେଶରେ ହଇଚଇ ସୃଷ୍ଟି ହୋଇଥିଲା। ଯାଜପୁର ଭଳି ଖଣି ଓ ଶିଳ୍ପ ସମୃଦ୍ଧ ଜିଲ୍ଲାରେ ଖାଦ୍ୟାଭାବ, ଅପପୁଷ୍ଟି ଓ ରକ୍ତହୀନତା ପାଇଁ ମାଳ ମାଳ ଶିଶୁ ମୃତ୍ୟୁ ମୁଖରେ ପଡ଼ୁଥିବା ଘଟଣାକୁ ନେଇ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାର ବିଶ୍ବ ଦରବାରରେ ଅପଦସ୍ଥ ହୋଇଥିଲେ। ନଗଡ଼ା ସ୍ଥିତି ସୁଧାରିବା ଦିଗରେ ତତ୍କାଳୀନ ଜିଲ୍ଲାପାଳ ସତ୍ୟ କୁମାର ମଲ୍ଲିକ ଓ କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତ ଅଖିଳ ବିହାରୀ ଓତା ଉଦ୍ୟମ ଆରମ୍ଭ କରିଥିଲେ। ବିଡ଼ମ୍ବନା ହେଲା ଏହି ପ୍ରୟାସ ଯେମିତି ଅଧାରେ ଅଟକି ଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ‘ଆଦର୍ଶ ନଗଡ଼ା ଗାଁ’ ଘୋଷଣାକୁ ୨ ବର୍ଷ ୭ ମାସ ବିତିଯାଇଥିଲେ କୌଣସି ପରିବର୍ତ୍ତନ ଆସିପାରିନାହିଁ।
୨୦୧୬ ମସିହା ଜୁଲାଇ ମାସ ୨୦ ତାରିଖ। ନଗଡ଼ା ରାଜସ୍ବ ମୌଜା ଅତିରିକ୍ତ ଏହାର ପାର୍ଶ୍ବବର୍ତ୍ତୀ ଗୁହିଆଶାଳ ରାଜସ୍ବ ମୌଜା ଏବଂ ତିନି ପଡ଼ା ଗାଁ ତୁମୁଣି, ନାଲିଆଡାବ ଓ ଅଶୋକଝରର ସାମଗ୍ରିକ ବିକାଶକୁ ନେଇ ଗଠିତ ହୋଇଥିବା ସ୍ବତନ୍ତ୍ର ନଗଡ଼ା ଟାସ୍କ୍ ଫୋର୍ସ ଆଜି ପଙ୍ଗୁ ପ୍ରାୟ। ଗୁହିଆଶାଳ ଓ ତୁମୁଣି ଗାଁକୁ ଏଯାବତ୍ ରାସ୍ତା ନିର୍ମାଣ ହୋଇନି କିମ୍ବା ରାସ୍ତାର ପ୍ରସ୍ତୁତି ପାଇଁ ନିକଟ ଭବିଷ୍ୟତରେ ସରକାରଙ୍କ ଯୋଜନା ବି ନାହିଁ। ଲୋକେ ପୂର୍ବବତ୍ ପାହାଡ଼ି ଜଙ୍ଗଲିଆ ରାସ୍ତାରେ ଚାଲି ଚାଲି ଯା’ଆସ କରୁଛନ୍ତି। ୨୦୧୭ ମସିହାରେ ୧୪ କୋଟି ଟଙ୍କା ବ୍ୟୟରେ ନିର୍ମିତ ଅଶୋକଝର-ତଳନଗଡ଼ା ରାସ୍ତା ମରାମତି ଅଭାବରୁ ଦିନକୁ ଦିନ ବିଗିଡ଼ିବାରେ ଲାଗିଛି। ନଗଡ଼ା ବସ୍ ସେବା ଠପ। ଗୁହିଆଶାଳ, ତୁମୁଣି ଓ ଅଶୋକଝର ଉଭୟ ଗାଁର ୯୦ରୁ ଅଧିକ ଜୁଆଙ୍ଗ ପରିବାର ଏବଂ ନାଲିଆଡାବ ବସ୍ତିର ୬ ଗଉଡ଼ ପରିବାର ପାଖେ ସ୍ଥାୟୀ ବାସଗୃହ ନାହିଁ। ସ୍ଥାୟୀ ଜମିପଟ୍ଟାଧାରୀ ଜୁଆଙ୍ଗ ପଲାମରା ଝୁମ୍ପୁଡ଼ି କୁଡ଼ିଆର ଦୟନୀୟ ଓ ଅସ୍ବାସ୍ଥ୍ୟକର ପରିବେଶରେ ମାଡ଼ିଜାକି ମୁଣ୍ଡ ଗୁଞ୍ଜୁଛନ୍ତି। ଗୋଟିଏ ବଖରାରେ କୁକୁଡ଼ା ଓ ଛେଳି ସହିତ ମଣିଷ ରହୁଛି। ପାନୀୟ ଜଳ ସେବା ଅତ୍ୟନ୍ତ ଗମ୍ଭୀର। ଗୁହିଆଶାଳ ଓ ତୁମୁଣି ନଳକୂପ ଦି’ବର୍ଷ ତଳୁ ଅଚଳ। ଉଭୟ ଗାଁର ମହିଳାମାନେ ପୂର୍ବବତ୍ ଚୁଆରୁ ପିଇବା ପାଣି ସଂଗ୍ରହ କରୁଛନ୍ତି।
ସେପଟେ ଗୁହିଆଶାଳ ଗାଁର ବହୁ ଗରିବ ଜୁଆଙ୍ଗ ପରିବାର ଖାଦ୍ୟ ସୁରକ୍ଷା ଆଇନରୁ ବଞ୍ଚିତ। ୩୫ ପରିବାର ମଧ୍ୟରୁ ୧୫ ପରିବାରର ୬୫ ଜଣ ସଦସ୍ୟ ଏ ଯାବତ୍ ଖାଦ୍ୟ ନିରାପତ୍ତା ଯୋଜନାରେ ସାମିଲ ହୋଇପାରି ନାହାନ୍ତି। ଜୁଆଙ୍ଗ ପରିବାର ପାରମ୍ପରିକ ପୋଡ଼ୁଚାଷ ଜିଦ୍ରେ ଅଟଳ। ଜୁଆଙ୍ଗ ହିତାଧିକାରୀ ରାସନ ଚାଉଳ ପାଉଥିଲେ ମଧ୍ୟ ପ୍ରଶାସନିକ ଅବହେଳାରୁ ଅନ୍ୟମାନେ କେବଳ ଦେଖଣାହାରୀ ସାଜିଛନ୍ତି। ରାସନ କାର୍ଡ ଆଶାରେ ସେମାନେ ଏକାଧିକ ବାର କଷ୍ଟ କରି ଗାଁଠୁ ୪୫ କିଲୋମିଟର ଦୂର ସୁକିନ୍ଦା ବ୍ଲକ ପର୍ୟ୍ୟନ୍ତ ଯାଇଥିଲେ ମଧ୍ୟ ବିଭାଗୀୟ ଅଧିକାରୀ ଓ କର୍ମଚାରୀ ତାଙ୍କୁ ଧରାଛୁଆଁ ଦେଉନଥିବା ଅଭିଯୋଗ ହେଉଛି। ୭ କୋଟିରୁ ଅଧିକ ଟଙ୍କା ବ୍ୟୟରେ କାମ ହୋଇଥିବା ନଗଡ଼ା ବିଜୁଳି ସେବା ବି ଫେଲ୍ ମାରିଛି। ତ୍ରୁଟିଯୁକ୍ତ ଥିବାରୁ ଏହା ଅଦ୍ୟାବଧି ଉଦ୍ଘାଟନ ହୋଇନି। ଗାଁର ସୌର ଆଲୁଅ ଅଧିକାଂଶ ସ୍ଥାନରେ ଅଚଳ। ଘର ପିଛା ଦିଆଯାଇଥିବା ସୌର ଲଣ୍ଠନ ଏବେ ଅନୁପଯୋଗୀ। ଡିବିରି ଭରସା।
ନଗଡ଼ା ସ୍ବାସ୍ଥ୍ୟସେବା ଦୁସ୍ଥ। ଗୁହିଆଶାଳ ଓ ତୁମୁଣି ଗାଁର ସାପ୍ତାହିକ ଭ୍ରାମ୍ୟମାଣ ରୋଗୀସେବା କାଗଜ କଲମରେ ଚାଲିଛି। ମାସକୁ ଥରେ କିମ୍ବା ଦି’ଥର ଆସି ମିଛ ସେବା ତାଲିକା ପ୍ରସ୍ତୁତ କରାଯାଉଛି। ନଗଡ଼ା ଏବେ ବି ଶିଶୁମୃତ୍ୟୁ ଅପବାଦରୁ ମୁକୁଳି ପାରିନି। ଗୁହିଆଶାଳ ପ୍ରାଥମିକ ସ୍କୁଲ ଛପର ନାହିଁ। ବର୍ଷା ଆସିଲେ ପାଠପଢ଼ା ଠପ୍। ନଗଡ଼ାବାସୀ ଏବେ ବି ଉଦ୍ୟାନ କୃଷି କିମ୍ବା ଗୋଷ୍ଠୀଗତ କୃଷିକୁ ଭରସି ପାରୁ ନାହାନ୍ତି। ପାରମ୍ପରିକ ପୋଡ଼ୁଚାଷ ପ୍ରତି ଅହେତୁକ ଆଗ୍ରହ ରହିଛି। ଗାଁର ଖାଲ ଜମିରେ ଲୋକେ ପୁରୁଣା ହଳ ଲଙ୍ଗଳ ଥାଇ ଓ ପୁରୁଣା ପଦ୍ଧତିରେ ଚାଷ କରୁଥିବା ଦେଖିବାକୁ ମିଳିଛି। ନଗଡ଼ା ଶିଶୁଙ୍କୁ ଗାଈକ୍ଷୀର ମନା। ଗୋଷ୍ଠୀଗତ କୃଷି ଯୋଜନା ଏବେ ବି କାର୍ୟ୍ୟକାରୀ ହୋଇପାରି ନାହିଁ। ନଗଡ଼ାବାସୀଙ୍କୁ ମନରେଗା ଯୋଜନାରେ ଜବ୍ କାର୍ଡ ମିଳିପାରିନି। ୯୦ ପ୍ରତିଶତ ଭେଣ୍ଡିଆ ଯୁବକ ଓ କାର୍ୟ୍ୟକ୍ଷମ ବ୍ୟକ୍ତି ଏବେ ବି ବେକାର। ପାହାଡ଼ି ଇଲାକାରେ ୧୦ଟି ସ୍ବୟଂ ସହାୟକ ଗୋଷ୍ଠୀ ଗଠନ କରାଯାଇଥିଲେ ମଧ୍ୟ ଜଣେ ହେଲେ ବି ମହିଳା ସ୍ବାବଲମ୍ବୀ ହୋଇପାରି ନାହାନ୍ତି।