ସିଏଏ ମାମଲାରେ କେନ୍ଦ୍ରକୁ ‘ସୁପ୍ରିମ୍’ ଆଶ୍ୱସ୍ତି । ନାଗରିକତା ସଂଶୋଧନ ଆଇନ ଉପରେ ତୁରନ୍ତ ରୋକ ଲଗାଇବାକୁ ମନା କଲେ ସୁପ୍ରିମକୋର୍ଟ, ୪ ସପ୍ତାହ ମଧ୍ୟରେ ପକ୍ଷ ରଖିବାକୁ ନିର୍ଦ୍ଦେଶ ।

95

କନକ ବ୍ୟୁରୋ : ନାଗରିକତା ସଂଶୋଧନ ଆଇନକୁ ନେଇ କେନ୍ଦ୍ର ସରକାରଙ୍କୁ ମିଳିଛି ଆଶ୍ୱସ୍ତି । ତୁରନ୍ତ ସିଏଏ ଉପରେ ରୋକ ଲଗାଇବାକୁ ମନା କରିଛନ୍ତି ସୁପ୍ରିମକୋର୍ଟ । ହେଲେ ୪ ସପ୍ତାହ ମଧ୍ୟରେ ଜବାବ ରଖିବାକୁ ଦିଆଯାଇଛି ନିର୍ଦ୍ଦେଶ । ଆଜି ଏହି ମାମଲାର ଶୁଣାଣି କରି ୫ ଜଣିଆ ଖଣ୍ଡପୀଠକୁ ମାମଲାକୁ ପଠାଇ ଦେଇଛନ୍ତି ସର୍ବୋଚ୍ଚ ଅଦାଲତ ।

ସିଏଏ ମାମଲାରେ ‘ସୁପ୍ରିମ’ ଶୁଣାଣି । କେନ୍ଦ୍ର ସରକାରଙ୍କୁ ଆଶ୍ୱସ୍ତି । ନାଗରିକତା ସଂଶୋଧନ ଆଇନର ପ୍ରକ୍ରିୟା ଉପରେ ଏବେ ରୋକ ଲଗାଇବାକୁ ମନା କରିଦେଲେ ସୁପ୍ରିମକୋର୍ଟ । ଫଳରେ ସୁପ୍ରିମକୋର୍ଟରୁ କେନ୍ଦ୍ର ସରକାରଙ୍କୁ ବର୍ତମାନ ପାଇଁ ଆଶ୍ୱସ୍ତି ମିଳିଛି । ତେବେ ଚାରି ସପ୍ତାହ ଭିତରେ ଏନେଇ ଜବାବ ରଖିବାକୁ କେନ୍ଦ୍ରକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । କେନ୍ଦ୍ର ସରକାରଙ୍କ ପକ୍ଷକୁ ନଶୁଣି ଏହି ମାମଲାର ତରବରିଆ ବିଚାର ନକରିବାକୁ ସ୍ପଷ୍ଟ କରିଛନ୍ତି ସୁପ୍ରିମକୋର୍ଟ ।

ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଏସ ଏ ବୋବଡେ, ଜଷ୍ଟିସ୍ ଅବଦୁଲ ନଜିର ଏବଂ ଜଷ୍ଟିସ୍ ସଂଜୀବ ଖନ୍ନାଙ୍କ ସାମ୍ବିଧାନିକ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି ଏହାକୁ ୫ ଜଣିଆ ଖଣ୍ଡପୀଠକୁ ପଠାଇ ଦେଇଛନ୍ତି । ଉତ୍ତରପ୍ରଦେଶରେ ସିଏଏ ଲାଗୁ କରାଯିବାକୁ ପ୍ରକ୍ରିୟା ଆରମ୍ଭ କରାଯାଇଥିବାରୁ କଂଗ୍ରେସର ପକ୍ଷରୁ ମାମଲା ଲଢୁଥିବା କପିଲ ସିବଲ ଏଥିରେ ରୋକ୍ ଲଗାଇବାକୁ ସୁପ୍ରିମକୋର୍ଟରେ ଯୁକ୍ତି ବାଢିଥିଲେ । ଯାହାକୁ କୋର୍ଟ ଅଗ୍ରାହ୍ୟ କରିଦେଇଛନ୍ତି ।

ନାଗରିକତା ସଂଶୋଧନ ଆଇନ ବିରୋଧରେ ଦାଏର ହୋଇଥିବା ପିଟିସନର ଆଗାମୀ ଶୁଣାଣି ହେବ ସୁପ୍ରିମକୋର୍ଟର ୫ ଜଣିଆ ଖଣ୍ଡପୀଠରେ । ଏନେଇ ଶୁଣାଣି କରିବା ସମୟରେ ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି ସିଏଏ ଉପରେ ରୋକ ଲଗାଇବା ନେଇ ଏହି ସାମ୍ବିଧାନିକ ପୀଠ ନିଷ୍ପତି ନେବ । କୌଣସି ହାଇକୋର୍ଟରେ ଏ ସମ୍ପର୍କୀୟ ମାମଲାର ଶୁଣାଣି ହେବନାହିଁ ।

ସିଏଏ ବିରୋଧରେ ସୁପ୍ରିମକୋର୍ଟରେ ପଡିଛି ୧୪୪ ଟି ଆବେଦନ । ୪ ସପ୍ତାହ ମଧ୍ୟରେ କେନ୍ଦ୍ର ରଖିବ ଜବାବ । ସିଏଏ ସହିତ ଆସାମର ସମସ୍ୟା ସାରା ଦେଶଠାରୁ ଭିନ୍ନ । ତ୍ରିପୁରାର ଆବେଦନ ଗୁଡିକର ହେବ ଅଲଗା ଶୁଣାଣି । ଆସାମ, ୟୁପି, ପୂର୍ବୋତର ଭାରତର ଆବେଦନର ହେବ ଅଲଗା ଶୁଣାଣି ।

ସୁପ୍ରିମକୋର୍ଟର ଏହି ଶୁଣାଣି ଚାଲିଥିବା ବେଳେ ଦେଶରେ ବିରୋଧୀ ଜାରି ରଖିଥିଲେ ସିଏଏ ବିରୋଧରେ ପ୍ରଦର୍ଶନ । କର୍ଣ୍ଣାଟକରେ କଂଗ୍ରେସ ନେତୃତ୍ୱରେ ବିଶାଳ ସମାବେଶ ହୋଇଛି । କଂଗ୍ରେସର ଦିଗଜ ନେତା ଏଥିରେ ସାମିଲ ହୋଇ ସିଏଏକୁ ଅସାମ୍ବିଧାନିକ କହିଛନ୍ତି । ସେପଟେ ଦାର୍ଜିଲିଂରେ ସିଏଏ ବିରୋଧରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କରିଛନ୍ତି ବିଶାଳ ପଦଯାତ୍ରା ।

ନାଗରିକତା ଆଇନରେ ସଂଶୋଧନ ବିରୋଧରେ ସୁପ୍ରିମକୋର୍ଟରେ ଦାଏର ହୋଇଛି ୧୪୧ଟି ମାମଲା । ସିଏଏ ସପକ୍ଷରେ ଗୋଟିଏ ଏବଂ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହାର ସମର୍ଥନରେ ଗୋଟିଏ ଆବେଦନ ପଡିଛି । ୪ ସପ୍ତାହ ପରେ ସୁପ୍ରିମକୋର୍ଟର ୫ ଜଣିଆ ଖଣ୍ଡପୀଠ ଏହି ମାମଲାର ଦୈନିକ ଶୁଣାଣି କରିବେ ।