୨୨ ଦିନର ଅପେକ୍ଷା ପରେ ମା’ କୋଳକୁ ଫେରିଲା ପୁଅ । ବ୍ରହ୍ମପୁରରୁ ଉଦ୍ଧାର ହେଲା ଭୁବନେଶ୍ୱରରେ ନିଖୋଜ ହୋଇଥିବା ପୁଅ ।

4,428

କନକ ବ୍ୟୁରୋ : ବିହାରରୁ ଓଡିଶା ଆସି ନିଖୋଜ ହୋଇଯାଇଥିବା ଶିଶୁର ପତା ମିଳିଛି । ଭୁବନେଶ୍ୱର ରେଳ ଷ୍ଟେସନରୁ ଶିଶୁଟିକୁ ଉଦ୍ଧାର କରିଛି ପୁଲିସ । କେହି ଜଣେ ଶିଶୁକୁ ରେଳ ଷ୍ଟେସନରେ ଛାଡି ଯାଇଥିବା ସନ୍ଦେହ କରାଯାଉଛି । ପୁଲିସ ଶିଶୁକୁ ଉଦ୍ଧାର କରି ତାଙ୍କ ବାପା, ମା’ଙ୍କୁ ହସ୍ତାନ୍ତର କରିଛି । ମିଳିଥିବା ସୂଚନା ଅନୁସାରେ ଶିଶୁକୁ ନେଇ ବାପା, ମା ବିହାର ଫେରିଯାଇଛନ୍ତି ।

୨୨ ଦିନ ପରେ ମା କୋଳକୁ ଫେରିଲା ପୁଅ । ବିହାରରୁ ଆସିଥିବା ଏହି ଦମ୍ପତିଙ୍କ ପୁଅ ମାଷ୍ଟର କ୍ୟାଂଟିନ ନିକଟ ରାସ୍ତାରେ ବିସ୍କୁଟ ଆଣିବାକୁ ଯାଇ ଆଉ ଫେରିନଥିଲା । ବାପା-ମା କାନ୍ଦି କାନ୍ଦି ହତାସ ହୋଇଯାଇଥିଲେ । ଏନେଇ କନକ ନ୍ୟୁଜରେ ଖବର ପ୍ରସାରଣ ପରେ ଶେଷରେ ପୁଅଟି ବାପା ମାଙ୍କ ନିକଟକୁ ଫେରିଛି ।

ଡିସେମ୍ବର ୩୧ ତାରିଖରେ ନିଖୋଜ ହୋଇଥିଲା ପୁଅ । ଗଞ୍ଜାମ ଜିଲ୍ଲା ରଙ୍ଗେଇଲୁଣ୍ଡା ଦୁମଦୁମି ଗାଁର ଜଣେ ମହିଳା ପିଲାଟିକୁ ଭୁବନେଶ୍ୱର ରେଳ ଷ୍ଟେସନ ନିକଟରେ ବସି କାନ୍ଦୁଥିବାର ଦେଖିଥିଲେ ଏବଂ ଘରକୁ ଆଣିଥିଲେ । ତେବେ ଟିଭିରେ ଖବର ପ୍ରସାରଣ ହେଉଥିବାର ଦେଖିବା ପରେ ଭୟଭୀତ ହୋଇଯାଇଥିଲେ ମହିଳା । ଗାଁ ଲୋକଙ୍କ ପ୍ରଶ୍ନରେ ପ୍ରଥମେ ନିଜର ସମ୍ପର୍କୀୟ ବୋଲି କହୁଥିବା ବେଳେ ପରେ ଯେଉଁ ସ୍ଥାନରୁ ପିଲାକୁ ଆଣିଥିଲେ ସେହି ସ୍ଥାନରେ ନେଇ ଛାଡିଦେଲେ ।

ନୂଆବର୍ଷରେ କାଳିଆ ଦର୍ଶନ କରିବାକୁ ପୁରୀ ଆସିଥିଲେ ବିହାରର ଏହି ପରିବାର । ସାଙ୍ଗରେ ଥିଲେ ଦୁଇ ପୁଅ, ଦୁଇ ଝିଅ । ସକାଳେ ମହାପ୍ରଭୁଙ୍କ ଦର୍ଶନ କରିବା ପରେ ବିହାର ଫେରିବାକୁ ସନ୍ଧ୍ୟାରେ ଆସିଥିଲେ ଭୁବନେଶ୍ୱର ରେଳ ଷ୍ଟେସନକୁ । ଏହିଠାରେ ହିଁ ନିଖୋଜ ହୋଇଥିଲା ପୁଅ । ଆଉ ଏନେଇ ଖଭର ପ୍ରସାରଣ କରିଥିଲା କନକ ନ୍ୟୁଜ । ଆଉ ଶେଷରେ ପୁଣି ମା’ କୋଳକୁ ଫେରିଯାଇଛି ପୁଅ ।