ନବୀନ ରାଜ୍ୟରେ ମୋଦିଙ୍କ ସ୍କିମକୁ ମନା ! ଅଗଷ୍ଟ ୧୫ରୁ ରାଜ୍ୟରେ ଆରମ୍ଭ ହେବ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା, ପ୍ରାଇଭେଟ ହସ୍ପିଟାଲରେ ମଧ୍ୟ ମିଳିବ ମାଗଣା ଚିକିିତ୍ସା ସୁବିଧା

76

କନକ ବ୍ୟୁରୋ: ମୋଦି କେୟାରରେ ସାମିଲ ହେବ ନାହିଁ ଓଡ଼ିଶା । ମୋଦିଙ୍କ ଆୟୁଷ୍ମାନ ଭାରତ ଯୋଜନାରେ ଓଡ଼ିଶା ସାମିଲ ହେବନାହିଁ ବୋଲି ସ୍ପଷ୍ଟ କରିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା । କେନ୍ଦ୍ର ସରକାରଙ୍କ ଏହି ବହୁଚର୍ଚ୍ଚିତ ଯୋଜନାକୁ ଟକ୍କର ଦେବ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା । ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି, ଆୟୁଷ୍ମାନ ଭାରତ ଯୋଜନାରେ ଓଡ଼ିଶା ସାମିଲ ହୋଇଥିଲେ, ରାଜ୍ୟର ୯ ଲକ୍ଷ ଗରିବ ପରିବାର ମାଗଣା ସ୍ୱାସ୍ଥ୍ୟ ସେବାରୁ ବଞ୍ଚିତ ହୋଇଥାନ୍ତେ । ତେଣୁ ରାଜ୍ୟ ସରକାର ନିଜ ଅର୍ଥରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା କରିଛନ୍ତି । ବାର୍ଷିକ ୫ ଲକ୍ଷ ଟଙ୍କାର ମାଗଣା ସ୍ୱାସ୍ଥ୍ୟ ସେବା ଉଭୟ ସରକାରୀ ଓ ବେସରକାରୀ ହସ୍ପିଟାଲରେ ଉପଲବ୍ଧ ହେବ ବୋଲି କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ।

ସାରା ଦେଶର ପ୍ରାୟ ୫୦ କୋଟି ଲୋକଙ୍କୁ ଟାର୍ଗେଟ କରି ମୋଦି ସରକାର ଆୟୁଷ୍ମାନ ଭାରତ କାର୍ଯ୍ୟକ୍ରମ ଘୋଷଣା କରିଥିବା ବେଳେ ତାକୁ ପ୍ରତ୍ୟାଖାନ କରି ନବୀନ ଆଣୁଛନ୍ତି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା । କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଭାରତକୁ ଗ୍ରହଣ ନକରି କାହିଁକି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା କରାଯାଇଛି, ତା’ର କାରଣ ଦର୍ଶାଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା । ସେ କହିଛନ୍ତି, ୬୧ ଲକ୍ଷ ପରିବାରକୁ ଆୟୁଷ୍ମାନ ଭାରତ ଯୋଜନାରେ ଅନ୍ତର୍ଭୁକ୍ତ କରିବା ପାଇଁ ପ୍ରସ୍ତାବ ଦେଇଥିଲା କେନ୍ଦ୍ର । ତେବେ ବିଜୁ କୃଷକ କଲ୍ୟାଣ ଯୋଜନା ଓ ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ବୀମା ଯୋଜନାରେ ରହିଛନ୍ତି ଓଡ଼ିଶାର ପାଖାପାଖି ୭୦ ଲକ୍ଷ ହିତାଧିକାରୀ । ତେଣୁ ଆୟୁଷ୍ମାନ ଭାରତ ବା ମୋଦି କେୟାରରେ ସାମିଲ ହୋଇଥିଲେ ମାଗଣା ସ୍ୱାସ୍ଥ୍ୟ ସେବାରୁ ବଂଚିତ ହୋଇଥାନ୍ତେ ୯ ଲକ୍ଷ ଗରିବ ପରିବାର ।

ଗୋଟିଏ ପଟେ ମୋଦିଙ୍କ ଆୟ୍ରୁଷ୍ମାନ ଯୋଜନା କେବେ କାର୍ଯ୍ୟକାରୀ ହେବ, ସେ ନେଇ କେନ୍ଦ୍ର ସରକାର କିଛି ସ୍ପଷ୍ଟ କରିନାହାନ୍ତି । ଅନ୍ୟପଟେ ଅଗଷ୍ଟ ୧୫ ତାରିଖରେ ଆରମ୍ଭ ହେବ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା । ବାର୍ଷିକ ୫ ଲକ୍ଷ ଟଙ୍କାର ମାଗଣା ସ୍ୱାସ୍ଥ୍ୟ ସେବା ଉଭୟ ସରକାରୀ ଓ ବେସରକାରୀ ହସ୍ପିଟାଲରେ ଉପଲବ୍ଧ ହେବ ବୋଲି କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ।ଗରିବଙ୍କୁ ମାଗଣା ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାକୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଆରମ୍ଭ ହୋଇଯାଇଛି ଜୋରଦାର ଟକ୍କର । ଆୟୁଷ୍ମାନ ଭାରତ ଯୋଜନାକୁ ପ୍ରତ୍ୟାଖ୍ୟାନ କରିଥିବା ଅଣବିଜେପି ଶାସିତ ରାଜ୍ୟଙ୍କ ସହ ସାମିଲ ହୋଇଛି ଓଡ଼ିଶା । ପୂର୍ବରୁ ପଶ୍ଚିମବଙ୍ଗ, ଦିଲ୍ଲୀ, ପଂଜାବ ଓ କର୍ଣ୍ଣାଟକ ଆଦି ରାଜ୍ୟ, ମୋଦିଙ୍କ ମେଗା ହେଲଥ କେୟାରରେ ସାମିଲ ହେବେ ନାହିଁ ବୋଲି ଜଣାଇ ସାରିଛନ୍ତି । ସାଧାରଣ ନିର୍ବାଚନ ପାଖେଇ ଆସୁଥିବାରୁ ରାଜନୀତିର ପଶାପାଲିରେ ଏବେ ମାଗଣା ସ୍ୱାସ୍ଥ୍ୟ ସେବା ପ୍ରମୁଖ ପ୍ରସଙ୍ଗ ପାଲଟିଯାଇଛି ।