ବର୍ଷାରେ ଲାଗିଲା ବିରାମ, ଟଳିଗଲା ବନ୍ୟା ବିପଦ : କମିବାରେ ଲାଗିଛି ସମସ୍ତ ପ୍ରମୁଖ ନଦୀର ଜଳସ୍ତର

60

କନକ ବ୍ୟୁରୋ : ବର୍ତ୍ତମାନ ସ୍ଥିତିରେ ଟଳିଛି ବନ୍ୟା ବିପଦ । ମହାନଦୀରେ ଆଉ ମଧ୍ୟମ ଧରଣର ବନ୍ୟା ଆଶଙ୍କା ନାହିଁ । ବ୍ରାହ୍ମଣୀ ଓ ବୈତରଣୀରେ ବି ଜଳସ୍ତର କମିଛି । ଏସଆରସି ବିଷ୍ଣୁପଦ ସେଠୀ କହିଛନ୍ତି, ଗତ ୨୪ ଘଂଟା ଧରି ଆଉ ବର୍ଷା ନହେବାରୁ ରାଜ୍ୟର ବିଭିନ୍ନ ନଦୀର ଜଳସ୍ତର ବିପଦ ସଙ୍କେତ ତଳେ ରହିଛି । ଅନ୍ୟପଟେ ଆଜି ହୀରାକୁଦର ୮ଟି ଗେଟ୍ ଖୋଲାଯାଇଛି । ହୀରାକୁଦରୁ ଛଡାଯାଉଥିବା ବନ୍ୟାଜଳ କଟକର ମୁଣ୍ଡଳୀ ଓ ନରାଜରେ ପହଂଚିବାକୁ ପ୍ରାୟ ୩୬ ଘଂଟା ସମୟ ଲାଗିବ । ତେଣୁ ବନ୍ୟାଜଳ ମୁଣ୍ଡଳିରେ ପହଂଚିଲାବେଳକୁ ସେଠାକାର ବନ୍ୟାଜଳର ସ୍ତର କମିଯାଇଥିବ । ତେଣୁ ତଳିଆ ଅଂଚଳ ପ୍ରତି କୌଣସି ବନ୍ୟା ବିପଦ ନାହିଁ ।

ସ୍ୱତନ୍ତ୍ର ରିଲିଫ କମିଶନର ବିଷ୍ଣୁପଦ ସେଠୀଙ୍କ ଏହି ମନ୍ତବ୍ୟ ଏକ ବଡ ଆଶ୍ୱସ୍ତି ଆଣିଦେଇଛି । କାରଣ ଗତକାଲିଠାରୁ ମହାନଦୀରେ ମଧ୍ୟମ ଧରଣର ବନ୍ୟା ଆଶଙ୍କା ନେଇ ତଳିଆ ଅଂଚଳରେ ପଶିଥିଲା ଛନକା । ହେଲେ ଗତ ୨୪ ଘଂଟା ମଧ୍ୟରେ ବର୍ଷାର ପରିମାଣ ଅତି ନଗନ୍ୟ ରହିଥିବାରୁ ଟଳି ଯାଇଛି ବଡ ବିପଦ । ମହାନଦୀ, ବ୍ରାହ୍ମଣୀ ଓ ବୈତରଣୀ ଆଦି ପ୍ରମୁଖ ନଦୀରେ ଜଳସ୍ତର କମିଛି । ବୈତରଣୀ ଆଖୁଆପଦାଠାରେ ଓ ବଂଶଧାରା ନଦୀ କାଶିନଗରଠାରେ ବିପଦ ସଂକେତର ବହୁ ତଳେ ପ୍ରବାହିତ ହେଉଛି । ଲଗାଣ ବର୍ଷାରେ ବିରାମ ବନ୍ୟାଜଳ ନିଷ୍କାସନରେ ସହାୟକ ହୋଇଛି ।

hirakud

କଟକ ମୁଣ୍ଡଳୀଠାରେ ପ୍ରତି ସେକେଣ୍ଡରେ ୪ଲକ୍ଷ ୪୦ ହଜାର କ୍ୟୁସେକ ଜଳ ପ୍ରବାହିତ ହେଉଛି । ଖଇରମାଳରେ ୧ଲକ୍ଷ ୬୨ ହଜାର କ୍ୟୁସେକ ଜଳ ଓ ବରୀମୂଳଠାରେ ୨ଲକ୍ଷ ୨୭ ହଜାର ୫ଶହ କ୍ୟୁସେକ ଜଳ ପ୍ରତି ସେକେଣ୍ଡରେ ପ୍ରବାହିତ ହେଉଛି । ହେଲେ ଗତକାଲି ଅପେକ୍ଷା ଜଳସ୍ତର ବହୁତ କମିଯାଇଛି । ଯାହା ବାଙ୍କୀ ଓ ନରସିଂହପୁର ଆଦି ତଳିଆ ଅଂଚଳର ଲୋକଙ୍କୁ ଅନେକ ଆଶ୍ୱସ୍ତି ଆଣିଦେଇଛି । ଆଗାମୀ ୨ରୁ ୩ଦିନ ଯାଏଁ ବିକ୍ଷିପ୍ତ ବର୍ଷା ନେଇ ପୂର୍ବାନମାନ କରିଛି ଆଂଚଳିକ ପାଣିପାଗ ବିଭାଗ ।

ହୀରାକୁରେ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ ପୂର୍ବରୁ ଚାଲିଛି ପାରମ୍ପରିକ ପୂଜାର୍ଚ୍ଚନା । ଭଜନ କୀର୍ତ୍ତନ ପରେ ହୀରାକୁଦ ନଦୀବନ୍ଧର ୭ନମ୍ବର ସ୍ଲୁଇସ ଗେଟ ଦେଇ ଛଡାଯାଇଛି ପ୍ରଥମ ବନ୍ୟାଜଳ । ଯାହାକୁ ଦେଖିବା ଲାଗି ଆଜି ପ୍ରବଳ ଗହଳି ଦେଖିବାକୁ ମିଲିଥିଲା । ହୀରାକୁଦ ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୧ଲକ୍ଷ ୩୪ ହଜାର କ୍ୟୁସେକ ଜଳ ପ୍ରବେଶ କରୁଥିବାବେଳେ ବର୍ତ୍ତମାନ ଜଳସ୍ତର ରହିଛି ୬୧୮ ଦଶମିକ ୧୭ଫୁଟ । ତେଣୁ ପର୍ଯ୍ୟାୟକ୍ରମେ ୧୫ଟି ଗେଟ୍ ଖୋଲିବାକୁ ନିଷ୍ପତ୍ତି ହୋଇଛି ।

ହୀରାକୁଦରୁ ଛଡାଯାଉଥିବା ବନ୍ୟାଜଳ କଟକର ମୁଣ୍ଡଳୀ ଓ ନରାଜ ଆନିକଟରେ ପହଂଚିବାକୁ ପ୍ରାୟ ୩୬ ଘଂଟା ସମୟ ଲାଗିବ । ତେଣୁ ବନ୍ୟାଜଳ ମୁଣ୍ଡଳିରେ ପହଂଚିଲାବେଳେକୁ ଏଠାକାର ବନ୍ୟାଜଳର ସ୍ତର ହ୍ରାସ ପାଇସାରିଥିବ । ଏହାରି ଭିତରେ ପାଣିପାଗ ଅପରିବର୍ତ୍ତିତ ରହିଲେ ତଳିଆ ଅଂଚଳ ପ୍ରତି କୌଣସି ବନ୍ୟା ବିପଦ ନାହିଁ ବୋଲି କୁହାଯାଇଛି ।