ଆଜି ନିଳାଦ୍ରୀ ବିଜେ : ମା ଲକ୍ଷ୍ମୀ ଠାକୁରାଣୀଙ୍କୁ ରସଗୋଲା ଦେଇ ମାନଭଞ୍ଜନ କରିବେ ମହାପ୍ରଭୁ

190

କନକ ବ୍ୟୁରୋ : ପତିତଜନଙ୍କୁ ଦର୍ଶନ ଦେବା ସହିତ ଘୋଷଯାତ୍ରା ଶେଷ କରିବା ପରେ ବୁଧବାର ରାତି ଚତୁର୍ଦ୍ଧା ମୂରତି ରତ୍ନମଣ୍ଡପକୁ ବିଜେ କରିବେ। ରଥାରୁଢ଼ ଚତୁର୍ଦ୍ଧା ମୂରତି ପୁଣି ଗୋଟି ପହଣ୍ଡିରେ ରତ୍ନମଣ୍ଡପକୁ ବିଜେ କରିବେ । ଏତେ ଦିନ ଧରି ମାନ କରି ରହିଥିବା ମା ଲକ୍ଷ୍ମୀ ଠାକୁରାଣୀଙ୍କୁ ରସଗୋଲା ଦେଇ ପ୍ରଭୁ ଶ୍ରୀଜଗନ୍ନାଥ ମାନଭଞ୍ଜନ କରିବେ । ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ସିଂହଦ୍ୱାରରେ ରଥାରୁଢ଼ ମହାପ୍ରଭୁଙ୍କୁ ଭକ୍ତମାନେ ହର୍ଷୋଲ୍ଲାସ ସହିତ ‘ରସଗୋଲା’ ଭୋଗ ଅର୍ପଣ କରୁଛନ୍ତି । କେହି କେହି ଏହି ପ୍ରସାଦକୁ ଖୁସିରେ ବାଣ୍ଟୁଛନ୍ତି । ଶ୍ରୀମନ୍ଦିର ପରଂପରା ଅନୁସାରେ ଶ୍ରୀଜିଉମାନଙ୍କୁ ବର୍ଷର କେବଳ ଗୋଟିଏ ଦିନ (ନିଳାଦ୍ରୀ ବିଜେ) ଅବସରରେ ବାହାରୁ ପ୍ରସ୍ତୁତ ରସଗୋଲା ଭୋଗ ଅର୍ପଣ କରାଯାଇ ଥାଏ ।

niladri bije

ରସଗୋଲା ଭୋଗ ପାଇ ଶ୍ରୀମନ୍ଦିର ପ୍ରଶାସନ ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ ହୋଇଛି। ନିର୍ଘଣ୍ଟ ନୀତି ଅନୁଯାୟୀ, ଆଜି ସକାଳ ୬ଟାରେ ତିନି ରଥରେ ମଙ୍ଗଳ ଆଳତି ପରେ ସାଢ଼େ ୬ଟାରେ ମଇଲମ ଓ ତଡ଼ପଲାଗି, ସକାଳ ୭ଟାରେ ଅବକାଶ ନୀତି ପରେ ସକାଳ ସାଢ଼େ ୭ଟାରେ ବେଶଶେଷ ହୋଇଥିଲା। ସାଢ଼େ ୮ଟାରେ ଗୋପାଳବଲ୍ଲଭ, ୯ଟାରୁ ୧୦ଟା ସକାଳଧୂପ, ପୂର୍ବାହ୍‌ଣ ୧୦ଟା ୧୫ରେ ମଇଲମ, ୧୦ଟା ୪୫ରେ ଯାତ୍ରାଙ୍ଗୀ ମହାସ୍ନାନ ଓ ସର୍ବାଙ୍ଗ, ପୂର୍ବାହ୍‌ଣ ୧୧ଟାରେ ବେଶଶେଷ, ସାଢ଼େ ୧୧ଟାରୁ ସାଢ଼େ ୧୨ଟା ମଧ୍ୟାହ୍ନଧୂପ, ଅପରାହ୍‌ଣ ୧ଟା ୨୦ରେ ମଇଲମ ଓ ବେଶ, ସାଢ଼େ ଗୋଟାଏରେ ସଂଧ୍ୟାଆଳତି, ଅପରାହ୍‌ଣ ୨ଟାରୁ ୩ଟା ସଂଧ୍ୟାଧୂପ ନୀତି ଅନୁଷ୍ଠିତ ହୋଇଥିଲା ।

ଅପରାହ୍‌ଣ ୩ଟାରୁ ସଂଧ୍ୟା ୫ଟା ଭିତରେ ତିନି ରଥରେ ଚାରବନ୍ଧା ସରିବା ପରେ ସଂଧ୍ୟା ସାଢ଼େ ୫ଟାରେ ସିଂହାସନ ମାଜଣା କରାଯିବ । ସଂଧ୍ୟା ୬ଟାରେ ପୁଷ୍ପାଞ୍ଜଳି ପରେ ସାଢ଼େ ୬ଟାରେ ପହଣ୍ଡି ଆରମ୍ଭ ହେବ । ରାତି ୧୧ଟାରେ ପହଣ୍ଡି ଶେଷ ପରେ ରୁନ୍ଧା କାର୍ଯ୍ୟ ସମାପନ ହେବ । ତିନି ରଥରୁ ଚାରଫିଟା ପରେ ସମୟକୁ ଚାହିଁ ଅନ୍ୟାନ୍ୟ ନୀତି କରାଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ କର୍ତୃପକ୍ଷ ସୂଚନା ଦେଇଛି ।