ଯାଜପୁରବାସୀଙ୍କୁ ମିଳିବ ଉନ୍ନତମାନର ଚିକିତ୍ସା : ପ୍ରତିଷ୍ଠା ହେବ ନୂଆ ମେଡିକାଲ କଲେଜ, ୨୦ ଏକର ଜମି ଚିହ୍ନଟ କଲା ଜିଲ୍ଲା ପ୍ରଶାସନ

39

କନକ ବ୍ୟୁରୋ : ଯାଜପୁରରେ ପ୍ରତିଷ୍ଠା ହେବ ମେଡିକାଲ କଲେଜ । ଏଥିପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ସବୁଜ ସଂକେତ ମିଳିସାରିଛି । ରାଜ୍ୟ ସରକାରଙ୍କ ପ୍ରସ୍ତାବକୁ କେନ୍ଦ୍ର ସରକାର ମଂଜୁରି ଦେବା ପରେ ଜିଲ୍ଲାରେ ଖୁସିର ଲହରୀ ଖେଳିଯାଇଛି । ଏହି ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ୨୦ ଏକର ଜମି ଚିହ୍ନଟ ପାଇଁ ମଧ୍ୟ ରାଜ୍ୟ ସରକାର ଜିଲ୍ଲାପାଳଙ୍କୁ ଚିଠି କରିଥିବା ଜଣାପଡିଛି । ମେଡିକାଲ କଲେଜ ପ୍ରତିଷ୍ଠା ହେଲେ ଯାଜପୁର ଓ ଏହାର ଆଖପାଖ ଜିଲ୍ଲାଗୁଡିକ ବିଶେଷ ଭାବେ ଉପକୃତ ହୋଇପାରିବେ ।

ସବୁ ପ୍ରତିକ୍ଷାର ଅନ୍ତ ଘଟାଇ ଯାଜପୁରରେ ପ୍ରତିଷ୍ଠା ହେବାକୁ ଯାଉଛି ମେଡିକାଲ କଲେଜ । ରାଜ୍ୟ ସରକାରଙ୍କ ପ୍ରସ୍ତାବ ଉପରେ ମୋହର ମାରିଛନ୍ତି କେନ୍ଦ୍ର ସରକାର । ଏନେଇ ବିଧିବଦ୍ଧ ଘୋଷଣା ପରେ ଯାଜପୁର ଜିଲ୍ଲାର ସବୁ ମହଲରେ ଉତ୍ସାହ ଦେଖିବାକୁ ମିଳିିଛି । କେନ୍ଦ୍ର ସରକାରଙ୍କ ଅନୁଦାନରେ ନିର୍ମିତ ହେବାକୁ ଥିବା ଏହି ମେଡିକାଲ କଲେଜ ପ୍ରତିଷ୍ଠା ହେଲେ ଜିଲ୍ଲାବାସୀ ତଥା ପଡୋଶୀ ଜିଲ୍ଲାର ଲୋକେ ବେଶ ଉପକୃତ ହେବେ ।

ପୂର୍ବରୁ ଯାଜପୁରରେ ଡିଷ୍ଟ୍ରିକ ମିନେରାଲ ଫଣ୍ଡରୁ ଶହେ କୋଟି ଟଙ୍କା ବ୍ୟୟରେ ସୁପରସ୍ପେଶିଆଲିଟି ହସ୍ପିଟାଲ ହେବା ପାଇଁ ସ୍ଥିର ହୋଇଛି । ଏବେ ପୁଣି ମେଡିକାଲ କଲେଜ ପ୍ରତିଷ୍ଠା ନିଷ୍ପତ୍ତି ପରେ ଜିଲ୍ଲାର ସ୍ୱାସ୍ଥ୍ୟ ସମସ୍ୟା ଦୂର ହେବ ବୋଲି ଆଶା କରାଯାଉଛି । ରାଜ୍ୟ ସରକାର ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟ ଆଖପାଖ ଅଂଚଳରେ ୨୦ଏକର ଜମି ଚିହ୍ନଟ ପାଇଁ ଚିଠି ଲେଖିଛନ୍ତି । ଚିଠି ପାଇବା ପରେ ପ୍ରଶାସନ ପକ୍ଷରୁ ଆଙ୍କୁଲା ଠାରେ ପ୍ରସ୍ତାବିତ ସୁପର ସ୍ପେଶିଆଲିଟି ହସ୍ପିଟାଲ ପରିସରରେ ମେଡିକାଲ କଲେଜ ପାଇଁ ଜାଗା ଚିହ୍ନଟ ହୋଇଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

ଯାଜପୁରରେ ମେଡିକାଲ ପ୍ରତିଷ୍ଠା ନିଷ୍ପତି ଜିଲ୍ଲାବାସୀଙ୍କୁ ଖୁସି ଆଣି ଦେଇଛି ।