ପ୍ରାର୍ଥୀ ଖୋଜିବାକୁ ବିଜେଡି ହାଇକମାଣ୍ଡଙ୍କ ଫର୍ମୁଲା କଣ ?

ବିଜେଡିରେ ଚାଲିବନି ବାୟୋଡାଟା ଫମୁର୍ଲା! ହତାଶ ହୋଇ ବାୟୋଡାଟା ଚିରିଦେଲେ ଟିକେଟ ଆଶାୟୀ ନେତା

455

କନକ ବ୍ୟୁରୋ : ୨୦୧୯ ନିର୍ବାଚନୀ ଯୁଦ୍ଧ ପାଇଁ ନିଜକୁ ପ୍ରସ୍ତୁତ କରୁଛି ବିଜେଡି । ଗାଁ ଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ସବୁଠୁ ନିଜର ସଙ୍ଗଠନକୁ ମଜବୁତ କରିବାରେ ଲାଗିଛି ବିଜୁ ଜନତା ଦଳ । ୨୦୧୯ରେ ରାଜ୍ୟରେ ପୁଣିଥରେ କିଭଳି ବିଜେଡି ଶାସନ କ୍ଷମତାକୁ ଆସିବ ସେଥିପାଇଁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରାଯାଉଛି । କିନ୍ତୁ ନିର୍ବାଚନ ଯେତିକି ପାଖେଇ ଆସୁଛି ଆଶାୟୀ ବିଜେଡି ପ୍ରାର୍ଥୀଙ୍କ ମନରେ ସେତିକି ଛନକା ପଶୁଛି । କାରଣ ୨୦୧୪ ଭଳି ୨୦୧୯ରେ ବିଜେଡିରେ ଆଉ ବାୟୋଡାଟା ଫର୍ମୁଲା କାମ କରିବନି ବୋଲି ଏବେ ଜୋର ଧରିଛି ଚର୍ଚ୍ଚା । ଯାହାକୁ ନେଇ କିଛି ନେତାଙ୍କ ମନ ମଳିନ ପଡିଗଲାଣି ।

ବିଜେଡିରେ ଏବେ ନେତା ଅଧିକ କର୍ମୀ କମ । ଏମାନଙ୍କ ମଧ୍ୟରୁ ପୁଣି ଅଧିକାଂଶ ୨୦୧୯ ପାଇଁ ଟିକେଟ ଆଶାୟୀ । କିନ୍ତୁ ଚଳିତ ଥର ବିଜେଡି ଟିକେଟ ପାଇବା ଏତେ ସହଜ ହେବନି ବୋଲି ଚାହା ଖଟିରେ ଆଲୋଚନା ହେଉଛି । କାରଣ ବିଜେଡି ଦଳରେ ଗୋଟିଏ ଆସନ ପାଇଁ ଆଶାୟୀ ଅନେକ ରହିଛନ୍ତି । ଏଭଳି ପରିସ୍ଥିତିରେ ଆଉ ବାୟୋଡାଟା ଫର୍ମୁଲାକୁ ବିଜେଡି ଭରସା କରିପାରୁନି ବୋଲି ଚର୍ଚ୍ଚା ହେଉଛି । ପ୍ରାର୍ଥୀ ଚୟନ କରିବାକୁ ହାଇକମାଣ୍ଡ ନୂଆ ଫର୍ମୁଲା ଆପଣାଇଥିବା ଚର୍ଚ୍ଚା ହେଉଛି । ଆଉ ଏହି ଫର୍ମୁଲାରେ ଅଧା ବିଜେଡି ନେତାଙ୍କ ଟିକେଟ କଟିବା ଏକ ପ୍ରକାର ଫାଇନାଲ ବୋଲି ଶୁଣିବାକୁ ମିଳୁଛି ।

ପୂର୍ବ ନିର୍ବାଚନ ଗୁଡିକରେ ନେତା ମାନଙ୍କର ବାୟୋଡାଟାକୁ ଆଧାର କରି ଟିକେଟ ଦେଉଥିଲା ବିଜେଡି । ନେତା ମାନଙ୍କର ପ୍ରତିଛବି ସାଜୁଥିଲା ବାୟୋଡାଟା । ଯେଉଁ ନେତା ମାନଙ୍କର ବାୟୋଡାଟା ଯେତିକି ଷ୍ଟ୍ରଙ୍ଗ ଥିଲା ସେହି ନେତା ମାନେ ଟିକେଟ ପାଇବାର ସେତିକି ଦାବିଦାର ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଥିଲା । ଯେଉଁଥିପାଇଁ ଦଳୀୟ ନେତା ମାନେ ଲମ୍ବା ଚଉଡାର ବାୟୋଡାଟା ପ୍ରସ୍ତୁତ କରି ସେମାନେ ବିଜେଡିର ପ୍ରାର୍ଥୀ ହେବାକୁ ଯୋଗ୍ୟ ବୋଲି ଆବେଦନ କରୁଥିଲେ । ନିର୍ବାଚନମଣ୍ଡଳୀରେ ଲୋକସର୍ମ୍ପକ ନଥାଇ ମଧ୍ୟ ଭଲ ବାୟୋଡାଟା ପ୍ରସ୍ତୁତ କରି ଟିକେଟ ହାତେଇ ନେଉଥିଲେ କିଛି ନେତା । କିନ୍ତୁ ଚଳିତ ନିର୍ବାଚନରେ ଏହି ବାୟୋଡାଟା ଫର୍ମୁଲାରେ ପୂର୍ଣ୍ଣଚ୍ଛେଦ ପଡିବାକୁ ଯାଉଛି ବୋଲି ଚର୍ଚ୍ଚା ହେଉଛି ।

naveenବିଜେଡି ଟିକେଟ ପାଇଁ ଆଉ କାମ ଦେବନି ବାୟୋଡାଟା ଫର୍ମୁଲା । ୨୦୧୯ରେ ବାୟୋଡାଟା ବଦଳରେ ନିର୍ବାଚନମଣ୍ଡଳୀରେ ନେତାଙ୍କ ଲୋକସର୍ମ୍ପକ, ସଙ୍ଗଠନ ଓ ଲୋକପ୍ରିୟତାକୁ ଆଧାର କରି ବିଜେଡି ଟିକେଟ ଦେବ ବୋଲି ଦଳୀୟ ମହଲରୁ ଶୁଣିବାକୁ ମିଳୁଛି । କାଳେ ଏଥିପାଇଁ ବିଜେଡି ନେତା ମାନଙ୍କର ଅଜାଣତରେ ଭିତିରିଆ ୫ ସ୍ତରୀୟ ସର୍ଭେ ମଧ୍ୟ କରିଛି । ପଦଯାତ୍ରା ଠାରୁ ଆରମ୍ଭ କରି ବିଭିନ୍ନ ଦଳୀୟ କାର୍ଯ୍ୟକ୍ରମରେ ଆଶାୟୀ ନେତାଙ୍କ ଗତିବିଧି ଉପରେ ବିଜେଡିର ଏକ ଟିମ୍ ନଜର ରଖିଥିବା ଚର୍ଚ୍ଚା ହେଉଛି । ଯେଉଁଥିରେ ଆଶାୟୀ ନେତା ମାନଙ୍କର ପୂରା ଡାଟା କଲେକ୍ସନ କରିଛି ବିଜେଡି । କେଉଁ ନେତା ଲୋକଙ୍କ ପାଖରେ ପହଞ୍ଚିଛି, କିଏ ସରକାରଙ୍କ ବିଭିନ୍ନ ଯୋଜନାକୁ ଲୋକଙ୍କ ପାଖରେ ପହଞ୍ଚାଇଛି, କାହାର ଲୋକପ୍ରିୟତା ଅଧିକ ରହିଛି ସେ ସମ୍ବନ୍ଧୀୟ ସମସ୍ତ ତଥ୍ୟ ଏହି ସର୍ଭେରୁ ଦଳ ସଂଗ୍ରହ କରୁଥିବା ଶୁଣିବାକୁ ମିଳୁଛି ।

ବାୟୋଡାଟା ନୁହେଁ ବରଂ ସର୍ଭେରୁ ଆସିଥିବା ରିପୋର୍ଟ ଆଧାରରେ ହିଁ ଟିକେଟ ଦିଆଯିବ ଏଭଳି ଏକ ଚର୍ଚ୍ଚା ବିଜେଡିର ଅନ୍ଦର ମହଲରୁ ଶୁଣିବାକୁ ମିଳୁଛି । ଆଉ ଏହି ଖବର ଆଶାୟୀ ପ୍ରାର୍ଥୀଙ୍କ କାନରେ ପଡିବା ପରେ ଏବେ ଏମାନଙ୍କ ମନରେ ଛନକା ପଶିଛି । କାରଣ ବାୟୋଡାଟା ଅସ୍ତ୍ର କାମ କରିବନି ଏକଥା ଜାଣିବା ପରେ ରାଜଧାନୀ କ୍ୟାମ୍ପ ଛାଡି ଏବେ ଗାଁ ମୁହାଁ ହେବା ଆରମ୍ଭ କଲେଣି ବିଜେଡିର ଅନେକ ନେତା । ଏପରିକି ନିଜ ବାୟୋଡାଟାକୁ ଚିରି ଡଷ୍ଟବିନରେ ଫୋପାଡି ଲୋକଙ୍କ ସହ ନିକଟତର ହେବାକୁ କିଛି ନେତା ପ୍ରୟାସ ଚଳାଇଥିବା ଦେଖିବାକୁ ମିଳୁଛି । କାଳେ ଏଭଳି କଲେ ଟିକେଟ ଖଣ୍ଡିଏ ମିଳିଯିବ ।