ପାଟକୁରା ଉପ-ନିର୍ବାଚନ ‘ବିଜୟ’ଙ୍କ କ୍ୟାରିୟରର ଟର୍ଣ୍ଣିଂ ପଏଣ୍ଟ ! ଯେଉଁଠୁ ଆରମ୍ଭ ହୋଇଥିଲା ସେଇଠି ଶେଷ ହେବନି ତ ରାଜନୈତିକ କ୍ୟାରିୟର?

734

କନକ ବ୍ୟୁରୋ : ଉପ-ନିର୍ବାଚନରେ ଆରମ୍ଭ, ଉପ-ନିର୍ବାଚନରେ ଶେଷ? ଏହି ଶୀର୍ଷକଟି ହୁଏତ ଅନେକ ପାଠକଙ୍କ ମଗଜରେ ଢୁକି ନ ପାରେ । କିନ୍ତୁ ପାଟକୁରା ନିର୍ବାଚନର ଫଳାଫଳ ଆସିବା ପରେ ରାଜ୍ୟ ରାଜନୀତି ବଜାରରେ ଏହି କଥାକୁ ନେଇ ଜୋରଦାର ଚର୍ଚ୍ଚା । କାରଣ ଏହି ଫଳାଫଳ ରାଜ୍ୟ ରାଜନୀତିର ଜଣେ ହେଭିୱେଟ ଚେହେରାଙ୍କ ଲମ୍ବା ରାଜନୀତି କ୍ୟାରିୟରରେ ପୂର୍ଣ୍ଣଚ୍ଛେଦ ପକାଇବାକୁ ଯାଉଛି ବୋଲି ଚା’ ଖଟିରେ ଚର୍ଚ୍ଚା ହେଉଛି । ଆଉ ଓଡ଼ିଶା ରାଜନୀତିର ସେହି ଲମ୍ବା ରେସର ଘୋଡା ଜଣକ ହେଉଛନ୍ତି ବିଜୟ ମହାପାତ୍ର ।

ରାଜନୀତିରେ ବିଜୟଙ୍କ ଉତଥାନ୍ :
ବିଜୟ ମହାପାତ୍ର । ଓଡିଶା ରାଜନୀତିର ଜଣେ ପୋଖତ ଖେଳାଳି । ଦୀର୍ଘ ୪ ଦଶନ୍ଧି ରାଜ୍ୟ ରାଜନୀତି ସହ ପ୍ରତ୍ୟକ୍ଷ ଭାବେ ଜଡିତ । ୧୯୮୦ରୁ ୨୦୧୯ । ୧୯୮୦ରେ ବିଜୁ ପଟ୍ଟନାୟକ ପାଟକୁରା ଆସନ ଛାଡିବା ପରେ ଏହାର ଦାୟିତ୍ୱ ବିଜୟଙ୍କ ହାତରେ ଟେକି ଦେଇଥିଲେ । ପାଟକୁରା ଉପନିର୍ବାଚନରୁ ରାଜ୍ୟ ରାଜନୀତିରେ ଏଣ୍ଟ୍ରି ମାରିଥିଲେ ବିଜୟ । ମାତ୍ର ୩୦ ବର୍ଷ ବୟସରେ ନିଜର ପଲିଟିକାଲ କ୍ୟାରିୟର ଆରମ୍ଭ କରିଥିଲେ ବିଜୁଙ୍କ ପଟ୍ଟଶିଷ୍ୟ । ଆଉ ଏହାପରେ ସଫଳତାର ଗୋଟିଏ ପରେ ଗୋଟିଏ ସିଢି ଚଢି ମାତ୍ର ୪୦ ବର୍ଷ ବୟସରେ ବିଜୁଙ୍କ ମନ୍ତ୍ରୀମଣ୍ଡଳରେ ପ୍ରଭାବଶାଳୀ ମନ୍ତ୍ରୀ ଭାବେ ସ୍ଥାନ ପାଇଥିଲେ । କୁହାଯାଏ ସେତେବେଳେ ବିଜୁ ସରକାରରେ ବିଜୟ ଥିଲେ ସୁପର ଚିଫ୍ ମିନିଷ୍ଟର ।

୧୯୮୦ରୁ ୨୦୦୦ । ଜନତା ଦଳ ଓ ଜନତା ପାର୍ଟିରୁ ଲଗାତାର ୪ ଥର ଜିତିବା ସହ ରାଜ୍ୟ ରାଜନୀତିର ପୋଖତ ଖେଳୁଆଡ ଭାବେ ନିଜର ପରିଚୟ ସୃଷ୍ଟି କରି ସାରିଥିଲେ ବିଜୟ । ଆଉ ଏହାସହ ବିଜୁଙ୍କ ଦେହାନ୍ତ ପରେ ଜନତା ଦଳକୁ ବାଏ ବାଏ କରି ବିଜେଡି ଗଠନ କରିବାରେ ମୁଖ୍ୟ ସୁତ୍ରଧର ସାଜିଥିଲେ ବିଜୟ । କିନ୍ତୁ ବିଂଶ ଶତାବ୍ଦୀ ଶେଷ ସହ ବିଜୟଙ୍କ ପଲିଟିକାଲ କ୍ୟାରିୟର ଆଡକୁ ଯେମିତି ମାଡିଆସିଥିଲା ମହାଝଡ । ଯେଉଁଥିରେ ବିଜୟଙ୍କ ରାଜନୀତି କ୍ୟାରିୟର ସମ୍ପୂର୍ଣ୍ଣ ଭାବେ ଧ୍ୱସ୍ତବିଧ୍ୱସ୍ତ ହୋଇଯାଇଥିଲା ।

ରାଜନୀତିରେ ବିଜୟଙ୍କ ପତନ :
୨୦୦୦ରୁ ୨୦୧୯ । ବିଜୟଙ୍କ ରାଜନୀତି କ୍ୟାରିୟରର ଅଭିଶପ୍ତ ୧୯ ବର୍ଷ । ୪ ଥର ବିଧାନସଭାକୁ ନିର୍ବାଚିତ ହୋଇଥିବା ବିଜୟଙ୍କର ରାଜନୀତି କ୍ୟାରିୟରକୁ ୨୦୦୦ ମସିହାରେ ଯେପରି ଗ୍ରାସ କରିଥିଲା ରାହୁ । ୨୦୦୦ ମସିହାରେ ନୂଆକରି ଜନ୍ମ ନେଇଥିବା ବିଜେଡି ଜାତୀୟ ଦଳ ବିଜେପି ସହ ମେଣ୍ଟ କରି ବିଧାନସଭା ନିର୍ବାଚନରେ ପାଦ ଥାପିଥିଲା । ସେତେବେଳେ ବିଜୟ ଥିଲେ ବିଜେଡି ଦଳର ପାର୍ଲାଣ୍ଟେ ଆର୍ଫେୟାର୍ସ କମିଟିର ମୁଖ୍ୟ, ଆଉ ବିଜୁଙ୍କ ଦାୟାଦ ନବୀନ ଥିଲେ ଦଳର ସଭାପତି । ପାଟକୁରା ଆସନ ପାଇଁ ନାମାଙ୍କନ ପତ୍ର ଦାଖଲ କରିସାରିଥିଲେ ବିଜୟ । ତେବେ ଶେଷ ମୁହୂର୍ତ୍ତରେ ଅପ୍ରତ୍ୟାସିତ ଭାବେ ଦଳ କାଟିଦେଲା ବିଜୟଙ୍କ ଟିକେଟ । ଏପରିକି ପୁଣିଥରେ ପାଟକୁରା ଫେରି ନାମାଙ୍କପତ୍ର ଦାଖଲ କରିବାକୁ ସମୟ ମଧ୍ୟ ପାଇନଥିଲେ ବିଜୟ । ଆଉ ସେହି ଆସନରୁ ଅତନୁଙ୍କୁ ପ୍ରାର୍ଥୀ କରି ବିଜୟଙ୍କୁ ପ୍ରଥମ ଚେକ୍ ଦେଇଥିଲେ ନବୀନ । ଆଉ ଏହିଠାରୁ ଆରମ୍ଭ ହୋଇଥିଲା ବିଜୟଙ୍କ ରାଜନୀତି କ୍ୟାରିୟରର ଅନ୍ଧାରୀ ଯୁଗ ।

୨୦୦୦ରୁ ୨୦୧୯ । ଗତ ୧୯ ବର୍ଷ ମଧ୍ୟରେ ୫ଟି ନିର୍ବାଚନ ଦେଖିଛି ଓଡ଼ିଶା ରାଜନୀତି । ଅନେକ ନୂଆ ନେତା ବିଧାନସଭାରେ ଏଣ୍ଟ୍ରି ମାରିଛନ୍ତି । କିନ୍ତୁ ୨୦୦୦ ମସିହାରୁ ବିଜୟଙ୍କ ବିଧାନସଭା ଫେରିବା ବାଟରେ ନବୀନ ଯେଉଁ ଲକ୍ଷ୍ମଣ ରେଖା ଟାଣିଛନ୍ତି ତାହାକୁ ପାର କରିପାରୁ ନାହାନ୍ତି ରାଜ୍ୟ ରାଜନୀତିର ଏହି ପୋଖତ ଖେଳାଳି । ଗତ ୧୯ ବର୍ଷ ଧରି ବିଧାନସଭା ଫେରିବାକୁ ଅନେକ ପ୍ରୟାସ କରିଛନ୍ତି ବିଜୟ । ଦଳ ଗଢିଛନ୍ତି, ଦଳ ବଦଳାଇଛନ୍ତି, ନିର୍ବାଚନ ମଣ୍ଡଳୀ ବଦଳିଛି, ପ୍ରତିଦ୍ୱନ୍ଦ୍ୱୀ ବଦଳିଛନ୍ତି । କିନ୍ତୁ ବିଜୟଙ୍କ ପାଇଁ ଏବେ ମଧ୍ୟ ବନ୍ଦ ରହିଛି ବିଧାନସଭା ଦ୍ୱାର । ତେବେ ୧୯ ବର୍ଷ ଧରି କ୍ଷମତା ଅଳିନ୍ଦରୁ ଦୂରରେ ରହିଥିବା ରାଜ୍ୟ ରାଜନୀତିର ଏହି ପ୍ରଭାବଶାଳୀ ନେତାଙ୍କ କ୍ୟାରିୟର ଆଗକୁ କେଉଁ ମୋଡ ନେବ ତାହାକୁ ନେଇ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଛି । ଏପରିକି ୨୦୨୪ରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ବିଜୟଙ୍କୁ ରାଜନୀତି ମୈଦାନରେ ଦେଖିବାକୁ ନ ମିଳିପାରେ ବୋଲି ଚର୍ଚ୍ଚା ଜୋର ଧରିଛି । ତେବେ ଏହା ପଛର କାରଣ ଖୋଜୁ ଖୋଜୁ ଗାଁ ଖଟିରୁ ୩ଟି ମଞ୍ଜ କଥା ସାମ୍ନାକୁ ଆସିଛି । ଯାହା ବିଜୟ ମହାପାତ୍ରଙ୍କ ପଲିଟିକାଲ କ୍ୟାରିୟରରେ ପୂର୍ଣ୍ଣଚ୍ଛେଦ ପକାଇବାର ସମ୍ଭାବନା ରହିଛି ।

ବିଜେପି ଟିକେଟ ଦେବ ତ ?
୬୯ ବର୍ଷ ବୟସରେ ବିଜୟ ୨୦୧୯ ପାଟକୁରା ନିର୍ବାଚନ ମୈଦାନକୁ ଓହ୍ଲାଇଥିଲେ । ତେବେ ୨୦୨୪ ନିର୍ବାଚନ ବେଳକୁ ବିଜୟଙ୍କର ବୟସ ୭୪ରେ ପହଞ୍ଚିଥିବ । ତେଣୁ ଏହି ବୟସରେ ବିଜୟଙ୍କୁ ଟିକେଟ ଦେବା ପୂର୍ବରୁ ହଜାର ଥର ଚିନ୍ତା କରିପାରେ ବିଜେପି । କାରଣ ଗେରୁଆ ଦଳରେ ନେତାଙ୍କ ବୟସ ୭୦ ଛୁଇଁଲା ପରେ ଦଳୀୟ ଟିକେଟ ମିଳିବାର ସମ୍ଭାବନା କମିଥାଏ । ୭୦ ବର୍ଷ ବୟସ୍କ ନେତାଙ୍କୁ ଗେରୁଆ ଦଳ ଟିକେଟ ବଦଳରେ ମାର୍ଗଦର୍ଶକ ମଣ୍ଡଳୀକୁ ପଦୋନ୍ନତି ଦେଇ ରାଜନୀତିରୁ ଅବ୍ୟାହତି ଦେଉଥିବାର ଅନେକ ନଜିର ରହିଛି । ତେଣୁ ବିଜୟଙ୍କ କ୍ଷେତ୍ରରେ ମଧ୍ୟ ବିଜେପି ସମାନ ଫର୍ମୁଲା ଆପଣାଇପାରେ ।

କଂଗ୍ରେସରୁ ଲଢିଲେ ସ୍ୱାଭିମାନ ନଷ୍ଟ ହେବ !
ବିଜେପି ଯଦି ବିଜୟଙ୍କୁ ଟିକେଟ ନ ଦିଏ ତେବେ ୨୦୨୪ରେ କେଉଁ ଦଳର ଟ୍ୟାଗରେ ଲଢିବେ ବିଜୁଙ୍କ ପଟ୍ଟଶିଷ୍ୟ । ଅନେକ ହୁଏତ କହିପାରନ୍ତି କଂଗ୍ରେସ ବିଜୟଙ୍କ ପାଇଁ ସବୁଠୁ ଭଲ ବିକଳ୍ପ ହୋଇପାରେ । କିନ୍ତୁ କଂଗ୍ରେସ ବିରୋଧୀ ଆନ୍ଦୋଳନରୁ ନିଜର ରାଜନୀତି କ୍ୟାରିୟର ଆରମ୍ଭ କରିଥିବା ବିଜୟ ପୁଣି ସେହି କଂଗ୍ରେସର ହାତ ଧରି ଚାଲିବେ ତାହାର ସମ୍ଭାବନା କ୍ଷୀଣ । ଏପରିକି ସ୍ୱାଭିମାନର ଦ୍ୱାହି ଦେଇ ଗତ ଦୁଇ ଦଶନ୍ଧି ଧରି ନିର୍ବାଚନ ଲଢି ଆସୁଥିବା ବିଜୟ କେବେ ଚାହିଁବେ ନାହିଁ ତାଙ୍କ ସ୍ୱାଭିମାନ ଉପରେ କେହି ପ୍ରଶ୍ନବାଚୀ ଛିଡା କରୁ । ତେଣୁ କଂଗ୍ରେସର ହାତ ଧରିବା ପୂର୍ବରୁ ବିଜୟଙ୍କୁ ଅନେକ ଥର ଭାବିବାକୁ ପଡିବ ।

ସ୍ୱାଧୀନ ଭାବେ ଲଢିବାକୁ ସାହସ ଜୁଟାଇ ପାରିବେ ତ?

ଯଦି ବିଜେପି ଟିକେଟ ନ ଦିଏ ଓ ସ୍ୱାଭିମାନକୁ ଜଗି କଂଗ୍ରେସ ଟିକେଟରୁ ବିଜୟ ନ ଲଢନ୍ତି ତେବେ ନୂଆ ଦଳ ଗଢିବା କିମ୍ବା ସ୍ୱାଧୀନ ଭାବେ ଲଢିବା ତାଙ୍କ ପାଇଁ ହୁଏତ ଶେଷ ବିକଳ୍ପ ହୋଇପାରେ । କିନ୍ତୁ ନୂଆ ଦଳ ଗଢି କିମ୍ବା ସ୍ୱାଧୀନ ଭାବେ ଲଢିବାକୁ ସାହସ ଜୁଟାଇ ପାରିବେ ତ ବିଜୟ? କାରଣ ପୂର୍ବରୁ ୨୦୦୧ ମସିହାରେ ନୂଆ ଦଳ ଓଜିପି ଗଢି ନିର୍ବାଚନ ଲଢିଥିଲେ ତାହା ବିଜୟଙ୍କ ଭାଗ୍ୟ ବଦଳାଇପାରିନଥିଲା । ପରେ ଓଜିପିକୁ ଏନସିପିରେ ବିଲୟ କରିଥିଲେ ମଧ୍ୟ ୨୦୦୯ ନିର୍ବାଚନ ପୂର୍ବରୁ ଏନସିପି ନବୀନଙ୍କ ସହ ମିଳାଇଥିଲା ହାତ । ଯେଉଁଥିପାଇଁ ବିଜୟ ଆସିଥିଲେ ପଦ୍ମ ଶିବିରକୁ । ଆଉ ଲଗାତାର ୩ ଥର ପଦ୍ମ ଟିକେଟରେ ଲଢିଥିଲେ ମଧ୍ୟ ପରାଜୟର ପରିଧିରୁ ବାହାରି ପାରିନାହାନ୍ତି ବିଜୟ । ତେଣୁ ନୂଆ ଦଳ ଗଢିବା କିମ୍ବା ସ୍ୱାଧୀନ ଭାବେ ଲଢିବାକୁ ହୁଏତ ସାହସ ଜୁଟାଇ ନପାରନ୍ତି ବିଜୟ । ତେଣୁ କ୍ରମାଗତ ୪ ଥର ବିଜୟ ଓ ୪ ଥର ପରାଜୟର ସ୍ୱାଦ ଚାଖିଥିବା ବିଜୟ ମହାପାତ୍ରଙ୍କ ଆଗାମୀ ରାଜନୀତି ଭବିଷ୍ୟତ କଣ ହେବ । ତାହାର ଉତ୍ତର କେବଳ ବିଜୟ ହିଁ କହିପାରିବେ । କିନ୍ତୁ ପାଟକୁରା ଉପନିର୍ବାଚନ ହିଁ ବିଜୟଙ୍କ ରାଜନୀତି କ୍ୟାରିୟରରେ ଟର୍ଣ୍ଣିଂ ପଏଣ୍ଟ ଆଣିଛି ଏହା ହୁଏତ କେହି ଅସ୍ୱୀକାର କରିବେ ନାହିଁ ।