ଘଣ୍ଟିକିଆ ଖୁସି । ଖଟି ଚାଲିଥିଲା,କପରୁ ଚାହା ସରିନଥିଲା । ଭଦ୍ରକବାସୀଙ୍କ ସ୍ୱପ୍ନ ଭାଙ୍ଗିଗଲା ଭୁବନେଶ୍ୱରରେ ।

673

କନକ ବ୍ୟୁରୋ : ଶୀତୁଆ ସନ୍ଧ୍ୟା, ଭଦ୍ରକ ବଜାରରେ ଜମି ଆସୁଥିଲା ଚାହା ଖଟି । ହାତରେ ଗୋଟିଏ ଗୋଟିଏ ଚାହା କପ୍ ସାଙ୍ଗକୁ ଲୁଣି ନିମିକି ଧରି ଭାଡି ଉପରେ ବସିଥିଲେ ଭଦ୍ରକର କିଛି ଭେଣ୍ଡିଆ ଟୋକା । ଆଉ ଏହି ସମୟରେ ବାବୁଲି ନନା ଦୋକାନରେ ଲାଗିଥିବା ଟିଭିରୁ ଶୁଭିଲା ଭଦ୍ରକ କଥା । ଏମିତି କଥା ଟିଭିରୁ ଶୁଭିଲା ଯେ ଚାହା ଖଟିରେ ବସିଥିବା ନାଣ୍ଡୁଆ ପୂରା କୁରିଳି ଉଠିଲା, ପାଦ କିଛି ସମୟ ପାଇଁ ତଳେ ଲାଗିଲାନି, ବାଘୁଆ ଶୀତ କୁଆଡେ ଛାଡି ପଳାଇଲା । କାରଣ ଭଦ୍ରକବାସୀଙ୍କୁ ଖୁସି କରିବାକୁ ଭୁବନେଶ୍ୱରରୁ ଲେଖା ହୋଇଥିଲା ଚିଠି । ଟିଭିରେ ବଡ ବଡ ଅକ୍ଷରରେ ବ୍ରେକିଂ ଚାଲିଥିଲା ଏବଂ ଆଙ୍କର ଜୋର ଦେଇ କହୁଥିଲେ ଭଦ୍ରକରେ ହେବ ନୂଆ ମେଡିକାଲ କଲେଜ ।

ଓହୋ । ଗୋଟିଏ ବଡ ଚିନ୍ତା ଗଲା । ନାଣ୍ଡୁଆ କଥାରେ କଥାରେ କହିଲା, ଜାଣିଛୁ ନା ମଣିଷ ଆଜି କାହା ମୁହଁ ସକାଳେ ଚାହିଁଥିଲା ଯେ ସନ୍ଧ୍ୟାରେ ଏଭଳି ଏକ ଦମଦାର ଖବର ପାଇଲା । ଭଦ୍ରକରେ ନୂଆ ମେଡିକାଲ କଲେଜ ହେବ । ଏକଥାକୁ ସତେ ଯେମିତି କେହି ବିଶ୍ୱାସ କରିପାରୁନଥିଲେ । ତେଣୁ ଟିଭିର ଭଲ୍ୟୁମକୁ ବଢାଇ ଦେଇ ବଡ ବ୍ରେକିଂକୁ ମନଦେଇ କିଛି ସମୟ ଶୁଣିବା ପରେ ଯାଇ ମନ ବୁଝିଲା ନାଣ୍ଡୁଆର । କାଳେ ସ୍ୱାସ୍ଥ୍ୟମନ୍ତ୍ରୀ ଭଦ୍ରକରେ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ସବୁଜ ସିଗନାଲ ଦେଇଛନ୍ତି । ଏମିତି ସେମିତି ମେଡିକାଲ କଲେଜ ନୁହେଁ । ୬ ତାଲା କୋଠା ସାଙ୍ଗକୁ ପୁଣି ଗ୍ରାଉଣ୍ଡ ଫ୍ଲୋର । ଏଥିପାଇଁ ୨୫ ଏକର ଜମି ମଧ୍ୟ ଚିହ୍ନଟ ହୋଇଛି । ନିର୍ମାଣ କାର୍ଯ୍ୟ ବି ଡେରି ହେବନି । ଫେବୃୟାରୀ ମାସରୁ ହେବ କାମ ଆରମ୍ଭ । ଏକଥା ଶୁଣି ନାଣ୍ଡୁଆର ଖୁସି କହିଲେ ନସରେ । କାରଣ କଟକ ବଡ ମେଡିକାଲ ଦୌଡି ଦୌଡି ଆଉ ନୟାନ୍ତ ହେବନି ନାଣ୍ଡୁଆ ।

ଏସବୁ ଭିତରେ ଚାହା ଖଟିରେ ବସିଥିବା ଭେଣ୍ଡିଆ ଟୋକାଙ୍କ ମଧ୍ୟରେ ମେଡିକାଲ କଲେଜକୁ ଆରମ୍ଭ ହୋଇଯାଇଥିଲା ଜୋରଦାର ଚର୍ଚ୍ଚା । କିଏ କହୁଥିଲା ଜାଣିଛୁ ନା’ ମେଡିକାଲ କଲେଜ ପୂରା କଟକ ମାର୍କା ହେବ । ୬ ମହଲା କୋଠା କଣ କମ ହେଲାଣି । ପୂରା ଭଦ୍ରକର ସବୁ ରୋଗୀ ଭର୍ତ୍ତି ହୋଇଯିବେ ୟା ଭିତରେ । ପୂରା ପେଟ ଖରାପ ଠାରୁ ଆରମ୍ଭ କରି ବଡ ବଡ ଅପରେସନ ହେବ । ବଡ ମେଡିକାଲକୁ ଆଉ ପଚାରେ କିଏ? ଶହେ କିଲୋମିଟର ବସରେ ଯାଇ ପହଞ୍ଚିଲା ବେଳକୁ କେତେବେଳେ ଡକ୍ଟର ପଳାଇ ଯାଉଥିଲେ, କେତେବେଳେ ଲମ୍ବା ଲାଇନରେ ଛିଡା ହେବାକୁ ପଡୁଥିଲା । ମଣିଷ ଭାରି ଝିନଝଟ ହେଉଥିଲା । ଆଉ ଏହା ଭିତରେ ନାଣ୍ଡୁଆ କହିଲା, ମୋତେ ଆଉ କଟକ ଯାଇତେ ପଡିବନି କି ବଡ ମେଡିକାଲ ବାରଣ୍ଡାରେ ସାଲାଇନ୍ ଧରି ଶୋଇତେ ପଡିବନି । ଏବେ ମେଡିକାଲକୁ ନେଇ ମଣିଷର ନୋ ଟେନସନ । ମୋଫତରେ ନିଜର ଜ୍ଞାନ ବାଣ୍ଟିବା ଆରମ୍ଭ ହୋଇଯାଇଥିଲା । ଲାଗୁଥିଲା ସତେ ଯେମିତି ଏହିମାନେ ହିଁ ମେଡିକାଲ କଲେଜ ନିର୍ମାଣ କରିବେ ।

ପ୍ରାୟ ଘଣ୍ଟାଏ କାଳ ଆଲୋଚନା ଭିତରେ ଭଦ୍ରକବାସୀଙ୍କୁ ଏତେ ବଡ ଉପହାର ଦେଇଥିବାରୁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇବାକୁ ଭୁବନେଶ୍ୱର ଆସିବାକୁ ସ୍ଥିର ହେଲା । ଆଉ ଏଭଳି ଗରମାଗରମ ଚର୍ଚ୍ଚା ଭିତରେ ଚାହା କପ ପୂରା ଥଣ୍ଡା ହୋଇସାରିଥିଲା । ତେଣୁ ଆଉ କପେ କପେ ଚାହା ପାଇଁ ବାବୁଲି ନନା ପାଖକୁ ଅର୍ଡର ଆସିଲା । ଆଉ ତାହା ବି ପୁଣି ନାଣ୍ଡୁଆ ତରଫରୁ । କାରଣ ମେଡିକାଲ କଲେଜ ହେଲେ ଅଧିକ ଉପକୃତ ନାଣ୍ଡୁଆ ହେବ ।

କିନ୍ତୁ ଏହି ଆଶା ଓ ଆଲୋଚନା ଭିତରେ ପୁଣିଥରେ ଟିଭିରେ ଶୁଭିଲା ଭଦ୍ରକ ମେଡିକାଲ କଥା । ବାବୁଲି ନନା ଠାରୁ ଚାହା କପ୍ ଆଣୁ ଆଣୁ ଟିଭିରେ ବାଜୁଥିବା ଖବର ଶୁଣି ନାଣ୍ଡୁଆ ଛାତିରେ ଯେମିତି ଛନକା ପଶିଗଲା । ଦୁଲ୍ କରି ଭାଡି ଉପରେ ବସିପଡିଲା ନାଣ୍ଡୁଆ । ପୁଣିଥରେ ତାକୁ ବଡ ମେଡିକାଲ ଦୌଡିବାକୁ ପଡିବ, ବାରଣ୍ଡାରେ ଶୋଇ ମଶା ବାଡେଇବାକୁ ପଡିବ । ଏକଥା ଭାବୁ ଭାବୁ ନାଣ୍ଡୁଆ କହିଲା ବୁଝିଲୁ ସାଙ୍ଗ ଭଦ୍ରକବାସୀଙ୍କ ସ୍ୱପ୍ନ ଭାଙ୍ଗିଗଲାରେ । କାରଣ ନୂଆ ମେଡିକାଲ ପ୍ରତିଷ୍ଠା ଖୁସି ମାତ୍ର ଘଣ୍ଟାଏ ପାଇଁ ଥିଲା । ଘଣ୍ଟାଏ ଭିତରେ ବଦଳିଯାଇଥିଲା ସରକାରୀ ବିଜ୍ଞପ୍ତି । ଆଉ ସହ ଭାଙ୍ଗି ଯାଇଥିଲା ନାଣ୍ଡୁଆର ଅସୁମାରୀ ସ୍ୱପ୍ନ । ସମାନ ବିଭାଗରୁ ଆସିଥିବା ଚିଠିରେ ସ୍ପଷ୍ଟ ଭାବେ ଉଲ୍ଲେଖ ଥିଲା ଯେ, ନୂଆ ମେଡିକାଲ କଲେଜ ନୁହେଁ ବରଂ ଭଦ୍ରକର ଚାଇଲ୍ଡ ହସ୍ପିଟାଲର ସମ୍ପ୍ରସାରଣ କରାଯିବ । ଆଉ ଏହାର ଶର୍ଯ୍ୟାକୁ ବଢାଇ ୧୦୦ରେ ପହଞ୍ଚାଯିବ । ଆଉ ଏହି କଥା ଶୁଣି ନାଣ୍ଡୁଆର ମନ ପୂରା ଆମ୍ବିଳା ହୋଇଗଲା । ବାବୁଲି ନନାକୁ ଦେଇଥିବା ଚାହା ଅର୍ଡରକୁ କ୍ୟାନସଲ କରି ସୁର ଭାଇନାଙ୍କ ଢଙ୍ଗରେ କହିଲା, ଛି କି କଥା ଏଗୁଡାକ? ଲଜ୍ୟା ଲଜ୍ୟା ।