ଆୟୁଷ୍ମାନ ଭବ: ମୋଦି-ନବୀନ ମନ ମିଶିବ !

574

କନକ ବ୍ୟୁରୋ: ୧୯ ଯୁଦ୍ଧରେ ବାଜିମାତ କରି କିଏ ରାଜ୍ୟ ତ କିଏ କେନ୍ଦ୍ରର ଶାସନ ଡ଼ୋରୀ ହାତକୁ ନେଇଛନ୍ତି । ହେଲେ ନୂଆ ସରକାରକୁ ସପ୍ତାହେ ନପୂରୁଣୁ ଏବେ ଗୋଟିଏ ପ୍ରସଙ୍ଗ ପ୍ରତ୍ୟେକ ଚା’ ଖଟିକୁ ଗରମ କରିବାରେ ଲାଗୁଛି । ଆଉ ସେ ପ୍ରସଙ୍ଗଟି ହେଉଛି କେନ୍ଦ୍ର ସରକାରଙ୍କ ‘ଆୟୁଷ୍ମାନ’ ଯୋଜନା । ନିର୍ବାଚନ ପୂର୍ବରୁ ଆରମ୍ଭ କରି ପ୍ରଚାରର ଶେଷ ଦିନ ପର୍ଯ୍ୟନ୍ତ ଏହି କେନ୍ଦ୍ରୀୟ ସ୍ୱାସ୍ଥ୍ୟସେବା ଯୋଜନାକୁ ଯେଉଁଭଳି ପ୍ରତ୍ୟାଖ୍ୟାନ କରୁଥିଲେ ରାଜ୍ୟ ସରକାର ସେଥିରେ ପୁଣି ନୂଆ ମୋଡ଼ ଆସିଛି । ଆଉ ଏବେ ‘ଆୟୁଷ୍ମାନ’ ପାଇଁ ଉଭୟ ମୋଦି ଓ ନବୀନଙ୍କ ମନ ମିଶିବାକୁ ଯାଉଛି ବୋଲି ଖଟିରେ ଚର୍ଚ୍ଚା ହେଉଛି ।

ସବୁଠାରୁ ରୋଚକ ବିଷୟ ହେଲା କି, ନିର୍ବାଚନର କିଛି ମାସ ପୂର୍ବରୁ ରାଜ୍ୟବାସୀଙ୍କ ପାଇଁ ସ୍ୱାସ୍ଥ୍ୟସେବା ଯୋଜନା ଅର୍ଥାତ୍ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା କାର୍ଯ୍ୟକାରୀ କରିଥିଲେ । ଆଉ ଏହାର ଠିକ୍ କିଛି ଦିନ ପରେ ଦେଶବାସୀଙ୍କ ପାଇଁ ମୋଦି ସରକାର ‘ଆୟୁଷ୍ମାନ’ ଯୋଜନାକୁ ଲାଗୁ କରାଇଲେ । ହେଲେ, ଯେତେବେଳେ ଏହି ଯୋଜନାକୁ ଓଡ଼ିଶାରେ ଲାଗୁ କରାଇବାକୁ ପ୍ରସ୍ତାବ ଦେଲେ କେନ୍ଦ୍ର ସରକାର ସେତେବେଳେ ରାଜ୍ୟ ସରକାର ଏହି ଯୋଜନା ଲାଗୁ ନକରାଇବା ନେଇ ରୋକଠୋକ୍ ମନା କରିଦେଇଥିଲେ । ଏପରିକି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ଓ ରାଜ୍ୟ ସ୍ୱାସ୍ଥ୍ୟସେବା ଯୋଜନା ମଧ୍ୟରେ ଥିବା ଉପକାରିତା ବିଷୟରେ ଜଣାଇଥିଲେ । ଯାହାଦ୍ୱାରା ସ୍ପଷ୍ଟ ହୋଇଥିଲା ଯେ, ଆଉ ‘ଆୟୁଷ୍ମାନ’ ଓଡ଼ିଶାରେ ଲାଗୁ ହେବା କାଠିକର ପାଠ ନାହିଁ ।

ଅନ୍ୟପଟେ ଏହି ଯୋଜନାକୁ ଲାଗୁ କରିବାକୁ ପାଇଁ ଖୋଦ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପିର ଶୀର୍ଷ ନେତାମାନେ ଓଡ଼ିଶା ଗସ୍ତରେ ଆସି ବାରମ୍ବାର ନବୀନଙ୍କୁ ଆହ୍ୱାନ ଦେଉଥିଲେ । କିନ୍ତୁ ରାଜ୍ୟ ସରକାର ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସବୁଠାରୁ ଅଧିକ ସୁବିଧା ପାଇବେ ଦ୍ୱାହି ଦେଇ ‘ଆୟୁଷ୍ମାନ’କୁ ନା କହୁଥିଲେ । ହେଲେ ନିର୍ବାଚନ ଫଳାଫଳ ପରେ ସରକାର ଗଢ଼ିବାର ସପ୍ତାହେ ହୋଇନି, ପୁଣି ରାଜ୍ୟକୁ ଫେରିଛି ‘ଆୟୁଷ୍ମାନ’ । ଆଉ ଏଥର ସ୍ୱାସ୍ଥ୍ୟସେବାରୁ ସମ୍ପର୍କର ନୂଆ ସେତୁ ଯୋଡ଼ି ହେବ ବୋଲି ଖଟିରେ ଚର୍ଚ୍ଚା ହେଉଛି ।

ଏଭଳି ଚର୍ଚ୍ଚା ହେବା ମଧ୍ୟ ସ୍ୱାଭାବିକ୍, କାରଣ ଯେଉଁଠି ବିଗତ କିଛି ମାସ ହେବ ‘ଆୟୁଷ୍ମାନ’ ଏବଂ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ଗୁଣବତ୍ତାର ଅଙ୍କକୁ ନେଇ ରାଜ୍ୟବାସୀ ଦ୍ୱନ୍ଦରେ ଥିଲେ , ହଠାତ୍ ନୂଆ ସରକାର ପରେ ଏବେ ଏହି ସ୍ୱାସ୍ଥ୍ୟସେବା ଯୋଜନାର ଜଟିଳ ଅଙ୍କ ସମାଧାନ ହେବାରେ ଲାଗିଛି । ଆଉ ସଚିବାଳୟରେ ‘ଆୟୁଷ୍ମାନ’ ନେଇ ଘନଘନ ବୈଠକ ନୂଆ ରାଜ୍ୟ ଓ କେନ୍ଦ୍ର ମଧ୍ୟରେ ନୂଆ ସମ୍ପର୍କ ଯୋଡ଼ିପାରେ ବୋଲି ଚା’ ଖଟିରେ ଚର୍ଚ୍ଚା ଜୋର ଧରିଛି ।

ସେ ଯାହା ହେଉ ନା କାହିଁକି, ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଯେତେ ଗୁଡ଼ିଏ ଯୋଜନା କାର୍ଯ୍ୟକାରୀ ହେବ ତାହାର ସଫଳ ରୂପାୟନ ହେବା ନିତ୍ୟାନ୍ତ ଆବଶ୍ୟକ । ସେ କେନ୍ଦ୍ରୀୟ ସ୍ୱାସ୍ଥ୍ୟ ଯୋଜନା ହେଉ କିମ୍ବା ରାଜ୍ୟର ସ୍ୱାସ୍ଥ୍ୟ ସେବା ଯୋଜନା ହେଉ । ଏସବୁ ଯୋଜନାରେ ଜଣେ ଅସହାୟ, ଅଭାବୀ ଶ୍ରେଣୀର ଲୋକମାନେ ଉପକୃତ ହୋଇପାରିଲେ ତାହାର ସଠିକ୍ ମୂଲ୍ୟ ଏବଂ ଗୁଣବତ୍ତା ବଢ଼ିବ ବୋଲି ଆଶା କରାଯାଏ ।