ଖଟିଖବର… ଅବିବାହିତଙ୍କ ମିଶନ ‘ରୋଷେଇ’ ! ପେଜୁଆ ଭାତ ହେଉ କି ପାଣିଆ ଡାଲି… ହାତଗଣ୍ଠି ପୂର୍ବରୁ ହାତରେ ଥାଉ ରୋଷେଇ ସାର୍ଟିଫିକେଟ୍

524

କନକ ବ୍ୟୁରୋ:ଆରେ ଭାଇ ! ରୋଷେଇ କରିବା ଶିଖରେ… ବହୁତ ହୋଇଗଲା ହୋଟେଲ ଖାଇବା । ଏବେ ରୁମରେ ପାଞ୍ଚ କେଜିଆ ଗ୍ୟାସଟେ କିଣି ରୋଷେଇ ଆରମ୍ଭ କରିଦିଅ… ସେ ଭାତ ପେଜୁଆ ହେଉ କି ଡାଲି ପାଣିଆ ହେଉ କିନ୍ତୁ ମିଶନ ରୋଷେଇ ଜାରି ରହୁ । ନହେଲେ ଆଗକୁ ବାଡୁଅ ରହିବାଟା ଥୟ… । ରାନ୍ଧି ଜାଣିନ ତ ସ୍ୱାମୀ ହେବା ସ୍ୱପ୍ନ ଦେଖନି । ପୁଅ ହ ପଛେ, ଯଦି ହାଣ୍ଡିଶାଳରେ ପାଦ ପଡିନି ଝିଅଙ୍କ ହାତ ମିଳିବା ଭାରି କଷ୍ଟ । ଯଦି ରବନେ ବନାଦି ଯୋଡି ପରି ଯୋଡିଟେ ହେବାକୁ ଚାହୁଁଛ ତାହାଲେ ଆଗ ରୋଷେଇ ଶିଖ । ସବୁ ପରେ ଯଦି ରୋଷେଇରେ ନିଆଁ ଲାଗୁଛି ତେବେ ୨ ମାସିଆ କି ୩ ମାସିଆ ରୋଷେଇ କୋର୍ସଟେ କର… କାରଣ ରୋଷେଇ ନଶିଖିଲେ କେତେବେଳେ ବି ବିବାହ ତାଲିକାରୁ ଆପଣଙ୍କ ନାଁ କଟିଯାଇପାରେ…

କେବଳ ସ୍ତ୍ରୀ କାହିଁକି, ସ୍ୱାମୀ ବି କରୁ ରୋଷେଇ । ଯଦି ଜଣେ ପୁଅ ରୋଷେଇ ଶିଖିନି ତାକୁ ବାହା ହେବାକୁ ଝିଅ ସିଧା ମନା କରୁ ବୋଲି କିଛି ଦିନ ତଳେ କହିଥିଲେ ପୋଲିସ କମିଶନର । ରୋଷେଇ ନେଇ ସିପିଙ୍କ ଏଇ ଗୋଟିଏ ପଦ କଥା ଏବେ ଚାରିଆଡେ ଚହଳ ସୃଷ୍ଟି କରିଛି । ରାଜଧାନୀରୁ ଗାଁ ହାଟ କିମ୍ବା ପୋଖରୀ ତୁଠ । ଯେଉଁଠି ଦେଖିବ ସେହି ଗୋଟିଏ କଥା । କଲେଜ ଖଟି ହେଉ ଅବା ଚା ଖଟି ସବୁଠି ‘ଆମେ ରୋଷେଇ ଶିଖିନୁ କେମିତି ବାହା ହେବା’ ପ୍ରଶ୍ନ ପ୍ରସଙ୍ଗ ପାଲଟୁଛି ।

ତେବେ ଗତ କିଛି ଦିନ ତଳେ ସାରା ରାଜ୍ୟରେ ପିଆଜ ଚହଳ ପକାଇଥିଲା । ପିଆଜ ଦର ସିନା ଖାଉଟିଙ୍କର ଆଖି ପୋଡାର କାରଣ ସାଜିଥିଲା ହେଲେ ଏବେ ପିଆଜ ପରେ କନ୍ଦାଉଛି ରୋଷେଇ । ବିବାହ ସ୍ୱପ୍ନ ଦେଖୁଥିବା ଯୁବକଙ୍କୁ ରୋଷେଇ ଏମିତି ଡରାଇ ଦେଇଛି ଯେ ତା କଥା ଶୁଣିଲେ ଖାଲି ଆଖି ପୋଡୁନି ବରଂ ଛାତି ଫାଟି ଯାଉଛି । ତେଣୁ ଅଧା ସିଝା ହେଉ ବରଂ ଅବିବାହିତଙ୍କ ପାଖରେ ଖଣ୍ଡେ ଖଣ୍ଡେ ରୋଷେଇ ସାର୍ଟିଫିକେଟ ରହିବା ଦରକାର ।

ସେପଟେ ସିପିଙ୍କ ରୋଷେଇ ଥିଓରୀକୁ ନେଇ ସୋସିଆଲ ମିଡିଆରେ ଉଠୁଛି ରୋଷେଇ ଧୂଆଁ । ସିପିଙ୍କ ମନ୍ତବ୍ୟ ସପକ୍ଷରେ ଓ ବିପକ୍ଷରେ ପୋଷ୍ଟ ପରେ ପୋଷ୍ଟ କରି ସୋସିଆଲ ମିଡିଆରେ ମଜାଳିଆ ଛୁଙ୍କ ମାରୁଛନ୍ତି ୟୁଜର୍ସ । କିଛି ଅବିବାହିତ ୟୁଜର୍ସ ପୋଲିସ କମିଶନରଙ୍କ ଉଦ୍ଦେଶ୍ୟରେ ଭଳିକି ଭଳି ମନ୍ତବ୍ୟ ଭରା ପୋଷ୍ଟ ଲେଖୁଛନ୍ତି । କିଏ କହୁଛି ଯାହା ହେଉ ମୁଁ ବାହା ହୋଇଯାଇଛି, ନହେଲେ ମତେ ଝିଅ ମିଳି ନଥାନ୍ତା । ତ ଆଉ କିଏ କହୁଛି, ମୁଁ ପିଠା କରି ଜାଣିଛି, ବରା ଛାଣି ଶିଖିକି, ପରିବା କାଟିବାଠୁ ଆରମ୍ଭ କରି ବାସନ ବି ମାଜି ଜାଣିଛି… କିନ୍ତୁ ଏବେବି ସିଙ୍ଗଲ ଅଛି… ସିପି ସାର ! ସବୁ ସାର୍ଟିଫିକେଟ ଅଛି, ଝିଅ ମିଳିବେ ତ…?

ତେବେ ନୂଆବର୍ଷରେ କିଛି ଯୁବକ ରୋଷେଇ ପାଇଁ ନୂଆ ସଙ୍କଳ୍ପ ନେଉଥିବା ବେଳେ । ରୋଷେଇ ପାଇଁ କିଛି କବିତା ବି ସୋସିଆଲ ମିଡିଆରେ ଘୁରି ବୁଲୁଛି । ତେବେ ବିବାହ ପାଇଁ ନୁହେଁ ନାରୀକୁ, ସ୍ତ୍ରୀକୁ ସହେଯୋଗ ପାଇଁ ସମସ୍ତ ପୁରୁଷ ରୋଷେଇ ଶିଖନ୍ତୁ ବୋଲି ଝିଅମାନେ ସୋସିଆଲ ମିଡିଆରେ ମତ ରଖିଛନ୍ତି ।