ନୂଆ ବର୍ଷ ଉପଲକ୍ଷେ ମୋଦିଙ୍କ ନୂଆ ଘୋଷଣା ! ବରିଷ୍ଠ ନାଗରିକଙ୍କ ପାଇଁ ବିଶେଷ ଯୋଜନା ସହ ଘର ଋଣ ହେଲା ଶସ୍ତା

34

କନକ ବ୍ୟୁରୋ : ନୂଆବର୍ଷର ଅବ୍ୟବହିତ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି । ବିମୁଦ୍ରାକରଣକୁ ସମର୍ଥନ କରିଥିବାରୁ ଦେଶବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୋଦି । ଏହି ଅବସରରେ ସରକାରଙ୍କ କେତେକ ନୂଆ ଯୋଜନା ସଂପର୍କରେ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ । ଗର୍ଭବତୀ ମହିଳାଙ୍କୁ ୬ ହଜାର ଟଙ୍କାର ସହାୟତା ଦିଆଯିବ ବୋଲି ଘୋଷଣା କରିଛନ୍ତି । ହସ୍ପିଟାଲରେ ପଞ୍ଜୀକରଣ, ଟୀକାକରଣ ଓ ପୁଷ୍ଟିକର ଖାଦ୍ୟ ଯୋଗାଇ ଦେବା ପାଇଁ ଏହି ଆର୍ଥିକ ସହାୟତା ଯୋଗାଇ ଦିଆଯିବ ।

ସେହିପରି ଚାଷୀଙ୍କ ପାଇଁ ୬୦ ଦିନର ସୁଧ ଦେବାକୁ ଘୋଷଣା ହୋଇଛି । ରବି ଋତୁରେ ଚାଷୀ ନେଇଥିବା ଋଣ ଉପରେ ସରକାର ସିଧାସଳଖ ଚାଷୀଙ୍କ ଖାତାକୁ ୬୦ ଦିନର ସୁଧ ପଠାଇବେ । ଦେଶର ୩ କୋଟି କିଷାନ କ୍ରେଡିଟ କାର୍ଡକୁ ରୁପେ କାର୍ଡରେ ପରିବର୍ତନ କରାଯିବ । ୯ ଲକ୍ଷ ଟଙ୍କାର ଗୃହଋଣ ଉପରେ ୪ ପ୍ରତିଶତ ସୁଧ ଛାଡ ଏବଂ ୧୨ ଲକ୍ଷ ଟଙ୍କାର ଗୃହ ଋଣ ଉପରେ ୩ ପ୍ରତିଶତ ସୁଧ ଛାଡ ହେବ । ଗ୍ରାମାଂଚଳରେ ୨ ଲକ୍ଷ ଟଙ୍କାର ଗୃହ ଋଣ ଉପରେ ୩ ପ୍ରତିଶତ ସୁଧ ଛାଡ କରାଯିବ ।

ବରିଷ୍ଠ ନାଗରିକଙ୍କ ପାଇଁ ମଧ୍ୟ ନୂଆ ଯୋଜନା ଘୋଷଣା କରାଯାଇଛି । ବ୍ୟାଙ୍କରେ ସାଢେ ୭ ଲକ୍ଷ ଟଙ୍କା ୧୦ ବର୍ଷ ପର୍ଯ୍ୟନ୍ତ ଜମା ରଖିଲେ ୮ ପ୍ରତିଶତ ସୁଧ ନିଶ୍ଚିତ କରିବେ ସରକାର । ଡିଜିଟାଲ ପେମେଂଟ କରୁଥିବା ବ୍ୟବସାୟୀଙ୍କୁ ଟିକସ ରିହାତି ମିଳିବ । ସେହିପରି ଛୋଟ ବ୍ୟବସାୟୀଙ୍କୁ ଋଣର ଗ୍ୟାରେଂଟି ସରକାର ନେବେ ବୋଲି କୁହାଯାଇଛି । ଏହା ସହ ଏକାଠି ବିଧାନସଭା – ଲୋକସଭା ନିର୍ବାଚନ କରିବା ପାଇଁ ଉଦ୍ୟମ କରିବାକୁ ସେ କହିଛନ୍ତି ।

କେବେ ବ୍ୟାଙ୍କରୁ ଟଙ୍କା ଉଠାଇବା ସ୍ୱାଭାବିକ ହେବ ସେନେଇ ଚୁପ୍ ରହିଛନ୍ତି ମୋଦି । ଏଥିସହ ଏଟିଏମରେ ପୂର୍ବଭଳି କେବେ ଟଙ୍କା ଉଠାଇ ହେବ, କେତେ ମିଳିଛି କଳାଟଙ୍କା , କୁଆଡେ ଗଲା କଳାଟଙ୍କା ସେନେଇ କିଛି କହିନାହାନ୍ତି ମୋଦି । କେତେ ହୋଇଛି ଆର୍ଥିକ କ୍ଷତି କେତେ ହେବ ଆର୍ଥିକ ଲାଭ ଏବଂ ଇନକମ ଟ୍ୟାକ୍ସରେ ମିଳିବକି ରିହାତି ନେଇ କିଛି କହିନାହାନ୍ତି ପ୍ରଧାନମନ୍ତ୍ରୀ ।