ମୋ ଝିଅକୁ ଟିକେ ଭଲ କରିଦିଅ, ସରକାରୀ ବାବୁ ଦୟାକର । ଜଣେ ଅଭାବୀ ମାଆର ଆକୁଳ ନିବେଦନ

36

କନକ ବ୍ୟୁରୋ: ଅବହେଳିତ ଅବସ୍ଥାରେ ଯାଜପୁରର ପବିତ୍ର ବ୍ୟାସସରୋବର ପୀଠ ନିକଟରେ ଥିବା ଗାନ୍ଧୀ କୁଷ୍ଠାଶ୍ରମ । ପ୍ରଶାସନିକ ଉଦାସୀନତା ଯୋଗୁଁ କୁଷ୍ଠାଶ୍ରମରେ ବସବାସ କରୁଥିବା କୋମଳମତି ଶିଶୁ ସାଧାରଣ ଚିକିତ୍ସା ସେବାରୁ ବଂଚିତ ହେଉଛନ୍ତି । ଚିକିତ୍ସା ବିଜ୍ଞାନର ଅଗ୍ରଗତି ସତ୍ୱେ ପିଢି ପରେ ପିଢି ଦୁର୍ବିସହ ଜୀବନ ବିତାଉଛନ୍ତି ଏଠାରେ ରହୁଥିବା ଶିଶୁ ଓ ତାଙ୍କ ପରିବାର ।

ମୋ ଝିଅକୁ ଟିକେ ଭଲ କରିଦିଅ, ସରକାରି ବାବୁ ଦୟାକର । କରୁଣ ଆଖିରେ ଆକୁଳ ନିବେଦନ କରୁଥିବା ମହିଳା ଜଣଙ୍କ ଯାଜପୁର ରୋଡ ସ୍ଥିତ ଗାନ୍ଧୀ କୁଷ୍ଠ ଆଶ୍ରମରେ ରହୁଥିବା ଗୁରୁବାରି ସିଂ । ଝିଅର ଦେହ ଯାକ ଅଚିହ୍ନା ଘାଆ ମାଡିଯାଇଥିବା ବେଳେ ଚିକିତ୍ସା ପାଇଁ ସମସ୍ତଙ୍କୁ ଆକୁଳ ନିବେଦନ କରୁଛନ୍ତି । ଏ ହେଉଛି ସେହି କୁନିଝିଅ । ଯିଏ ଏବେ ଅସହ୍ୟ ଯନ୍ତ୍ରଣା ଭୋଗୁଛି । ଆଉ ଏ ହେଉଛି ବ୍ୟାସନଗର ସହର ଉପକଣ୍ଠରେ ଥିବା ଗାନ୍ଧୀ କୁଷ୍ଠାଶ୍ରମ, ଯେଉଁଠି ରୁହନ୍ତି ବାପ ଛେଉଁଣ୍ଡ କୁନିଝିଅ ଓ ବିଧବା ମାଆ ।

କେବଳ କୁନିଝିଅ ଗେଲି ନୁହେଁ, ତା ଭଳି ଆହରି ଅନେକ ଶିଶୁ ଏମିତି ରୋଗରେ ପୀଡିତ । କୁଷ୍ଠ ଆଶ୍ରମରେ ୫୦ରୁ ଅଧିକ ଲୋକ ବସବାସ ରହୁଥିବା ବେଳେ ସମସ୍ତେ ନିଷ୍ପେସିତ ଏବଂ ଅବହେଳିତ ଅବସ୍ଥାରେ ଭଙ୍ଗା କୁଡିଆରେ ପଡିରହିଛନ୍ତି । ଏ ଖବର ଚର୍ଚ୍ଚା ହେବା ପରେ ପ୍ରଶାସନର ନିଦ ଭାଙ୍ଗିଛି । କୁଷ୍ଠାଶ୍ରମରେ ସରକାରୀ ବାବୁ, ବିଶେଷଜ୍ଞ ଡାକ୍ତର ଓ ଶିଶୁ ସୁରକ୍ଷା ୟୁନିଟର ଅଧିକାରୀ ପହଂଚି ଅନୁଧ୍ୟାନ କରିଛନ୍ତି । ପ୍ରଶାସନିକ ଅଧିକାରି ବସ୍ତି ବାସିନ୍ଦାଙ୍କ ଟିକିନିଖି ସମସ୍ୟାର ଅନୁସନ୍ଧାନ ଜାରି ରଖିଛନ୍ତି ।