ମନମାନି ଚଲାଇଛନ୍ତି ଇଂରାଜୀ ମିଡିୟମ ସ୍କୁଲ ! ମାନୁନାହାନ୍ତି ଗାଇଡଲାଇନ, ୧୦ ଗୁଣା ଅଧିକ ଦରରେ ବିକ୍ରି କରୁଛନ୍ତି ବହି

73

କନକ ବ୍ୟୁରୋ : ମନମାନି ଚଲାଇଛନ୍ତି ଇଂରାଜୀ ମିଡିୟମ ସ୍କୁଲ । ମାନୁନାହାନ୍ତି ଗାଇଡଲାଇନ । ସରକାର ସମସ୍ତ ଇଂରାଜୀ ମାଧ୍ୟମରେ ଏନସିଇଆରଟି ବହି ବ୍ୟବହାର କରିବା ପାଇଁ ସିବିଏସଇ ନିର୍ଦ୍ଦେଶ ଦେଇଛନ୍ତି । କିନ୍ତୁ ଏନସିଇଆରଟି ବଦଳରେ ଚଢା ଦରରେ ନିଜସ୍ୱ ବହି କିଣିବାକୁ ଚାପ ପକାଉଥିବା କହିଛନ୍ତି ଅଭିଭାବକ । ଫଳରେ ସେମାନଙ୍କୁ ୧୦ ଗୁଣା ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡୁଛି । ତେବେ ଦେଖନ୍ତୁ କିଭଳି ରହିଛି ଏହି ବହି ଗୁଡିକର ମୂଲ୍ୟ ।

ଷ୍ଟାଣ୍ଡାର୍ଡ ୧
ଏନ ସି ଇ ଆର ଟି ବହି ୨୫୦ ଟଙ୍କା
ଡି ଏ ଭି ବହି ୨୦୦୦ ଟଙ୍କା

ଷ୍ଟାଣ୍ଡାର୍ଡ ୫
ଏନ ସି ଇ ଆର ଟି ବହି ୫୫୦ ଟଙ୍କା
ଡି ଏ ଭି ବହି ୩୫୦୦ ଟଙ୍କା

ଷ୍ଟାଣ୍ଡାର୍ଡ ୮
ଏନ ସି ଇ ଆର ଟି ବହି ୬୯୦ ଟଙ୍କା
ଡି ଏ ଭି ବହି ୪୫୦୦ ଟଙ୍କା

ଏହି ବହିଗୁଡିକ ମଧ୍ୟରେ ଥିବା ତାରତମ୍ୟ ଦେଖି ଆପଣ ନିଶ୍ଚୟ ଆଶ୍ଚର୍ଯ୍ୟ ହେଉଥିବେ । ସିବିଏସଇ ଅନୁବନ୍ଧିତ ସ୍କୁଲରେ ସମାନ ପାଠ୍ୟ ଖସଢାରେ ଆଧାରିତ ବହିର ମୁଲ୍ୟରେ ଏତେ ତାରତମ୍ୟ ରହୁଛି କେମିତି? କେମିତି ଡିଏଭି ଅନୁଷ୍ଠାନର ବହି ଏବଂ ଏନସିଇଆରଟି ବହି ମଧ୍ୟରେ ୧୦ଗୁଣା ଫରକ୍ ରହୁଛି ?

ତେବେ ବହିକୁ ନେଇ ଚିନ୍ତାରେ ଅଭିଭାବକ ଏବଂ ମାଲେମାଲ ଇଂରାଜୀ ମାଧ୍ୟମ ସ୍କୁଲ । ସମସ୍ତ ସିବିଏସଇ ଅନୁବନ୍ଧିତ ସ୍କୁଲ ଗୁଡିକ ଏନସିଇଆରଟିର ବହିକୁ ନିଜ ନିଜ ସ୍କୁଲର ପିଲାମାନଙ୍କୁ ଯୋଗାଇବାକୁ କୁହାଯାଇଛି । ଆଉ ଫେବୃଆରୀ ୨୨ ତାରିଖରେ ସିବିଏସଇ ପକ୍ଷରୁ ଜାରି କରାଯାଇଥିବା ସର୍କୁଲାରରେ କଡା କଡି ଭାବେ ପାଳନ କରିବାକୁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି । କିନ୍ତୁ ଏହି ନିର୍ଦ୍ଦେଶକୁ ଫୁରେ ଉଡାଇଦେଉଛନ୍ତି ରାଜ୍ୟର ଘରୋଇ ଇଂରାଜୀ ମାଧ୍ୟମ ସ୍କୁଲ । ଏବଂ ସେଥିରେ ସବୁଠାରୁ ଆଗରେ ରହିଛି ଡିଏଭି ଅନୁଷ୍ଠାନର ସ୍କୁଲ ଗୁଡିକ । ଯାହା ଅଭିଭାବକଙ୍କୁ ଆର୍ଥିକ ଆଘାତ ଦେଉଛି ।

ଆଉ ଏ ହେଉଛି ସିବିଏସଇ ଗାଇଡଲାଇନ ଅନୁଯାୟୀ ଏନ ସି ଇ ଆର ଟି ବହି । କେନ୍ଦ୍ରିୟ ବିଦ୍ୟାଳୟରେ ପଢାଯାଉଥିବା ଏହି ବହିଗଡିକ ସିବିଏସଇ ଅନୁମୋଦିତ ଏବଂ ଦାମରେ ଡିଏଭି ଅନୁଷ୍ଠାନର ବହିଠାରୁ ଢେର କମ୍ । ସିବିଏସଇର ସର୍କୁଲାରରେ ଷ୍ଟାଣ୍ଡାର୍ଡ ୧ରୁ ଷ୍ଟାଣ୍ଡାର୍ଡ ୮ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନଙ୍କୁ ଏନସିଇଆରଟି ବହି ଯୋଗାଇବାକୁ ଲେଖାଯାଇଛି । ଏହି ନିୟମକୁ କେବଳ ଡିଏଭି ଅନୁଷ୍ଠାନ ନୁହେଁ ରାଜ୍ୟର ଅନେକ ବଡ ବଡ ଇଂରାଜୀ ମାଧ୍ୟମିକ ବିଦ୍ୟାଳୟ ମନଇଛା ଭାଙ୍ଗି ଚାଲିଛନ୍ତି । ଏବଂ ନିଜ ନିଜ ବିଦ୍ୟାଳୟ ଦ୍ୱାରା ଅନୁବନ୍ଧିତ ବହିଗୁଡିକୁ ବିଦ୍ୟାଳୟରେ ପ୍ରଚଳନ କରୁଛନ୍ତି । ଅନ୍ୟପଟେ ସିବିଏସଇ କେବଳ ସର୍କୁଲାର ଜାରି କରି ଚୁପରହିଥିବାବେଳେ ଅଭିଭାବକମାନେ ୧୦ଗୁଣା ଅଧିକା ଦେଇ ବହି କିଣିବାକୁ ବାଧ୍ୟ ହେଉଛନ୍ତି ।

ଏହା ସହ ଦେଖନ୍ତୁ ଏହି ଭିଡିଓ-