ଅଭିଯୁକ୍ତ ୬ ସେବାୟତଙ୍କ ବିରୋଧରେ ଏନବିଡବ୍ଲୁ ଜାରି କଲେ ପୁରୀ ଏସଡିଜେଏମ କୋର୍ଟ

74

ପୁରୀ ବ୍ୟୁରୋ, କନକ ନ୍ୟୁଜ୍ : ନିଳାଦ୍ରିବିଜେ ବିଶୃଙ୍ଖଳାକାରୀଙ୍କ ବଢିଲା ଅଡୁଆ । ଜାରି ହେଲା ଜାମିନ ବିହୀନ ଗିରଫ ପରୱାନା । ମୁଖ୍ୟ ଖଳନାୟକ ଦାମୋଦର ମହାସୁଆରଙ୍କ ସମେତ ୬ ସେବାୟତଙ୍କ ବିରୋଧରେ ଏନବିଡବ୍ଲୁ ଜାରି କରିଛନ୍ତି ପୁରୀ ଏସଡିଜେଏମ୍ କୋର୍ଟ । ଅନ୍ୟ ଅଭିଯୁକ୍ତ ସେବାୟତ ହେଲେ ଜୟକୃଷ୍ଣ ମହାସୁଆର, ଭୀମସେନ ପଲଙ୍କଧାରୀ, ସାଇନା ଖୁଂଟିଆ, ଇପସିତ୍ ପ୍ରତିହାରୀ ଏବଂ ରବି ଦାସ ।  ରଥ ଉପରେ ମହିଳାଙ୍କୁ ଚଢାଇବା, ଜିଲ୍ଲାପାଳଙ୍କୁ ଦୁର୍ବ୍ୟବହାର କରିବା ଏବଂ ସାମ୍ବାଦିକଙ୍କ ଉପରେ ଆକ୍ରମଣ ନେଇ ସମସ୍ତଙ୍କ ବିରୋଧରେ ମାମଲା ହୋଇଛି । ଏହାପରେ ସମସ୍ତେ ଫେରାର ହୋଇଯାଇଛନ୍ତି। ଅଭିଯୁକ୍ତଙ୍କୁ ଧରିବାକୁ ସ୍ପେଶାଲ ଟିମ୍ ରାଜ୍ୟର ବିଭିନ୍ନ ସ୍ଥାନରେ ଚଢାଉ କରୁଛି । ପୂର୍ବରୁ ଫେରାର ଥିବା ଅଭିଯୁକ୍ତ ସେବାୟତଙ୍କୁ ହାଜର ହେବାକୁ ଡେଡଲାଇନ୍ ଦିଆଯାଇଥିଲା । ତେବେ ସେମାନେ ହାଜର ହୋଇନଥିଲେ । ଏହାପରେ ଫେରାର ସେବାୟତଙ୍କୁ ପଳାତକ ଘୋଷଣା କରିବା ସହ ସର୍ଚ ୱାରେଂଟ ଜାରି କରିବାକୁ କୋର୍ଟରେ ଆବେଦନ କରିଥିଲା ପୁରୀ ପୋଲିସ ।

ମହାପ୍ରଭୁଙ୍କ ନିଳାଦ୍ରୀବିଜେ ବେଳେ ବିଶୃଙ୍ଖଳା କରିଥିଲେ ସେବାୟତ । ମନ୍ଦିର କାନ୍ଥରେ ନୋଟିସ ମାରି ରଥ ଉପରକୁ ପରିବାରକୁ ଚଢାଇବାକୁ ଅହ୍ୱାନ ଦେଇଥିଲେ ସୁଆର ମହାସୁଆର ନିଯୋଗ ସଭାପତି ଦାମୋଦର ମହାସୁଆର । ଏହାପରେ ପୋଲିସ ଓ ପ୍ରଶାସନକୁ ଚ୍ୟାଲେଂଜ ଦେଇ ନିଜେ ମହିଳାଙ୍କୁ ଧରି ରଥ ଉପରକୁ ଚଢିଥିଲେ । ଜିଲ୍ଲାପାଳ ଓ ଗଣମାଧ୍ୟମ ଏହାର ପ୍ରତିବାଦ କରିବାରୁ ଗରମ ଦେଖାଇଥିଲେ ଦାମୋଦର । ଗଣମାଧ୍ୟମ ଉପରେ ଆକ୍ରମଣ କରିବା ସହ ଜିଲ୍ଲାପାଳଙ୍କୁ ମଧ୍ୟ ଛାଡିନଥିଲେ । ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ହତ୍ୟା ଧମକ ଦେଇଥିଲେ।