ମାଓବାଦୀଙ୍କ ନୂଆ ରଣନୀତିର ପର୍ଦ୍ଦାଫାସ ! ରିମୋଟରେ ଯବାନଙ୍କ ବାଇକ୍ ଉଡାଇବାକୁ ଲାଲବାହିନୀଙ୍କ ଯୋଜନା

29

କନକ ବ୍ୟୁରୋ: ସୁରକ୍ଷା କର୍ମୀଙ୍କୁ ମୁକାବିଲା ପାଇଁ ମାଓବାଦୀଙ୍କ ନୂଆ ରଣନୀତି । ଏଭଳି ଏକ ରଣନୀତିର ପର୍ଦ୍ଦାଫାସ କରିଛି ଛତିଶଗଡ ପୋଲିସ । ୪ଚକିଆ ଯାନ ପରିବର୍ତ୍ତେ ମଟର ସାଇକେଲକୁ ଟାର୍ଗେଟ କରିଛନ୍ତି ମାଓବାଦୀ । ରିମୋର୍ଟ ଜରିଆରେ ଏହାକୁ ଉଡାଇବାକୁ ଯୋଜନା ପ୍ରସ୍ତୁତ ବି କରାଯାଇଛି । ଯବାନଙ୍କ ଏସଓପିକୁ ଭେଦ କରିବାକୁ ମାଓବାଦୀ ଏଭଳି ଯୋଜନା କରିଛନ୍ତି । ଛତିଶଗଡରେ କମ୍ବିଂ ସମୟରେ ଏଭଳି ଅନେକ ତଥ୍ୟ ଓ ଦସ୍ତାବିଜ ଜବତ କରିଛି ପୋଲିସ ।

ଏହି ନୂଆ ରଣନୀତି ଅନୁଯାୟୀ ବାଇକ୍ରେ ଛୋଟ ଛୋଟ ଦଳ ହୋଇ କମ୍ବିଂ ଅପରେସନରେ ଯାଉଥିବା ସୁରକ୍ଷା କର୍ମୀଙ୍କୁ ଟାର୍ଗେଟ କରିବେ। ପାଦଚଲା ସଂକୀର୍ଣ୍ଣ ଜଙ୍ଗଲିଆ ରାସ୍ତାରେ ବୋମା ଖଞ୍ଜି ଦୂରରୁ ତାହାକୁ ବିସ୍ଫୋରଣ କରିବାକୁ ଯୋଜନା କରିଛନ୍ତି। ଏଥିପାଇଁ ତାର ବିଛାଇବାକୁ ବି ପଡ଼ିବ ନାହିଁ। ସବୁ କାମ ରିମୋଟ୍ କଣ୍ଟ୍ରୋଲରେ ହିଁ ନିୟନ୍ତ୍ରିତ ହେବ ବୋଲି ପୁଲିସ ଠାରୁ ସୂଚନା ମିଳିଛି। ଯଦି ନକ୍ସଲଙ୍କ ଏହି ଯୋଜନା ସଫଳ ହୁଏ ତାହାହେଲେ ସୁରକ୍ଷା ବାହିନୀ ପାଇଁ ଅପରେସନ ଅଧିକ କଷ୍ଟକର ହେବ ବୋଲି ମଧ୍ୟ ମତ ପ୍ରକାଶ ପାଇଛି।

ଦୁର୍ଗମ ଅଞ୍ଚଳକୁ ପୂର୍ବରୁ ସୁରକ୍ଷା କର୍ମୀ ୪ଚକିଆ ଗାଡ଼ିରେ ଅପରେସନରେ ଯାଉଥିଲେ। ଲ୍ୟାଣ୍ଡମାଇନ୍ ବିସ୍ଫୋରଣକୁ ଦୃଷ୍ଟିରେ ରଖି ଯବାନ୍ମାନେ ଛୋଟଛୋଟ ଦଳରେ ବିଭକ୍ତ ହୋଇ ବାଇକ ଧରି ପଶୁଥିଲେ। ଯାହାଫଳରେ ନକ୍ସଲଙ୍କୁ କ୍ୟାମ୍ପ ଛାଡ଼ି ଯିବା ପାଇଁ ସମୟ ମିଳୁନଥିଲା। ଏହାପରେ ପୁଲିସର ପରିବର୍ତିତ ରଣନୀତିର ମୁକାବିଲା କରିବା ପାଇଁ ବହୁ ଦିନ ହେଲା ଟପ୍ କ୍ୟାଡର ନକ୍ସଲ ଯବାନଙ୍କ ଗତିରୋଧ ପାଇଁ ଯୋଜନା କରି ଚାଲିଥିଲେ। ଶେଷରେ ସେମାନଙ୍କୁ ନୂଆ ଉପାୟ ମିଳି ଯାଇଛି।

ବାଇକ ତଥା କାରରେ ଲାଗୁଥିବା ସତର୍କ ଆଲାର୍ମକୁ ବ୍ୟବହାର କରିବାକୁ ନିଷ୍ପତ୍ତି ନେଇଛନ୍ତି। କାରଣ ଏହି ଆଲାର୍ମ ଲାଗିଥିବା ଗାଡ଼ିକୁ କେହି ସ୍ପର୍ଶ କଲେ ତାହା ବାଜିବାକୁ ଲାଗିଥାଏ। ରିମୋଟ ଦ୍ୱାରା ନିୟନ୍ତ୍ରିତ ହେଉଥିବାରୁ ଦୂରରୁ ତାହାକୁ ଯେ କେହି ବି ବନ୍ଦ କରିପାରିବ। ତେଣୁ ଏହି ମେସିନକୁ ଆଣି ସେଥିରେ କିଛି ପରିବର୍ତନ କରି ବିସ୍ଫୋରକ ଲଗାଇଲେ ମାଟି ତଳେ ପୋତି ଦିଆଯିବ। ତାର କିମ୍ବା ଡିଟୋନେଟର ଆବଶ୍ୟକ ହେଉ ନଥିବା ବେଳେ ଛୋଟ ଛୋଟ ଦଳ ହୋଇ ଯାଉଥିବା ଯବାନଙ୍କୁ ଅତି ସହଜରେ ଟାର୍ଗେଟ କରାଯାଇପାରିବ। କେବଳ ଶହେ ମିଟର ଦୂରରୁ ରିମୋଟରେ ସୁଇଚ୍ ଟିପିଲେ ସବୁ କାମ ହୋଇଯିବ। ସେହିପରି ବାଇକରେ ବି ବିସ୍ଫୋରକ ଲଗାଇ ତାହାକୁ ରିମୋଟ କଣ୍ଟ୍ରୋଲରେ ବିସ୍ଫୋରଣ କରିବାକୁ ନକ୍ସଲ ଷଡ଼ଯନ୍ତ୍ର କରିଛନ୍ତି।