ନକ୍ସଲ ଭୟ ! ଇଣ୍ଡିଆନ୍ ରିଜର୍ଭ ବାଟାଲିୟନରେ ଯୋଗ ଦେଲେ ନାହିଁ ୩୧ ଯୁବକ

26

କନକ ବ୍ୟୁରୋ : ନକ୍ସଲ ଭୟରେ ଚାକିରିରେ ଯୋଗ ଦେଲେ ନାହିଁ ୩୧ଜଣ ଯବାନ । ଓଡିଶାରେ ଆରମ୍ଭ ହୋଇଥିବା ଇଣ୍ଡିଆନ ରିଜର୍ଭ ବାଟାଲିୟନରେ ୩୧ଜଣ ଯବାନ ଚାକିରି ପାଇବା ପରେ ବି ଯୋଗ ଦେଇନାହଁନ୍ତି । ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ନକ୍ସଲ ଭୟରେ ଏହି ଯବାନ ମାନେ ଚାକିରିରେ ସାମିଲ ହୋଇ ନାହାଁନ୍ତି । ସେପଟେ କିନ୍ତୁ ଏ ଘଟଣାରେ ପ୍ରତିକ୍ରିୟା ଦେବାକୁ ମନା କରିଦେଇଛନ୍ତି ଆର୍ମଣ୍ଡ ପୋଲିସର ଡିଆଇଜି ।

ଆଜି ମୁଖ୍ୟମନ୍ତ୍ରୀ ବରିଷ୍ଠ ପୋଲିସ ଅଧିକାରୀଙ୍କ ଉପସ୍ଥିତିରେ ଇଣ୍ଡିଆନ ରିଜର୍ଭ ବାଟାଲିୟନର ଶୁଭାରମ୍ଭ କରିଥିଲେ । ୫୨୧ଜଣ ଯବାନ ଏଥିପାଇଁ ମନୋନୀତ ହୋଇଥିବା ବେଳେ ଯୋଗ ଦେଇଛନ୍ତି ୪୯୦ ଜଣ । ଏହି ଯବାନମାନେ ମୁଖ୍ୟତଃ ନକ୍ସଲ ପ୍ରବଣ ଅଂଚଳରେ ଚାଲୁଥିବା ନିର୍ମାଣ କାର୍ଯ୍ୟର ସୁରକ୍ଷା ଦାୟିତ୍ୱରେ ନିୟୋଜିତ ହେବେ । କିନ୍ତୁ ନକ୍ସଲ ଭୟରେ ଯବାନ ଚାକିରିରେ ଯୋଗ ନଦେବା ନେଇ ଚର୍ଚ୍ଚା ଜୋର ଧରିଛି ।