ତୁମର ସିବିଆଇ ଆମର ଭିଜିଲାନ୍ସ ! ଧର୍ମେନ୍ଦ୍ରଙ୍କ ଭାଇଙ୍କ ଗ୍ୟାସ୍ ଗୋଦାମ୍ ଉପରେ ରେଡ୍ ପରେ ରାଜନୀତି ଜୋର୍

38

କନକ ବ୍ୟୁରୋ : ରାଜନୀତିର ପଶାପାଲିରେ ମୋହରା ହେଲେ ତଦନ୍ତକାରୀ ସଂସ୍ଥା । ପ୍ରଥମେ ସିବିଆଇ ଆଉ ଏବେ ଭିଜିଲାନ୍ସ । ନବୀନ ବନାମ ଧର୍ମେନ୍ଦ୍ର । କେନ୍ଦ୍ରର ସିବିଆଇ, ରାଜ୍ୟର ଭିଜିଲାନ୍ସ । ଚିଟଫଣ୍ଡ ମାମଲାରେ ସିବିଆଇ ତଦନ୍ତ କ୍ରିୟାଶୀଳ ହେଲା, ନେତା ଓ ନବୀନ ନିବାସର କର୍ମଚାରୀଙ୍କ ଘରେ ରେଡ୍ କଲା, ଆଉ ଏହାର ମୁକାବିଲା ପାଇଁ ଧର୍ମେନ୍ଦ୍ରଙ୍କ ବିଭାଗ ଉପରେ ପଡିଲା ରାଜ୍ୟ ସରକାରଙ୍କର ଆଖି । ରାଜ୍ୟର ବିଭିନ୍ନ ସ୍ଥାନରେ ଭିଜିଲାନ୍ସ ବିଭାଗର ମିଳିତ ଚଢାଉ । ପେଟ୍ରୋଲ ପମ୍ପ ଓ ଗ୍ୟାସ ଏଜେନ୍ସୀ ଉପରେ ଅଚାନକ ରେଡ୍ । ୧୩ ଜିଲ୍ଲାରେ ଖୋଳତାଡ କରିଛି ଏହି ତଦନ୍ତକାରୀ ସଂସ୍ଥା ।

ସିସୋର ଚିଟଫଣ୍ଡ ଠକେଇ ମାମଲାରେ ସିବିଆଇ ୨ ଦିନ ତଳେ ବିଜେଡି ସାଂସଦ, ବିଧାୟକ ଓ ନବୀନ ନିବାସର କର୍ମଚାରୀଙ୍କ ଘରେ ରେଡ୍ କରିଥିଲା । ଏହାର ଠିକ ପରେ ଭିଜିଲାନ୍ସ ରେଡ୍ ରାଜନୈତିକ ପାଣିପାଗକୁ ସରଗରମ କରିଛି ।

ବଡ କଥା ହେଉଛି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଭାଇ ସୈାମେନ୍ଦ୍ରଙ୍କ ଗ୍ୟାସ ଗୋଦାମରେ ଭିଜିଲାନ୍ସର ଅଚାନକ ରେଡ୍ କରିଛି । ବିଜେପି ଅଭିଯୋଗ ଆଣିଛି, ସିବିଆଇ ହାତ ସରୋଜଙ୍କ ନିକଟରେ ପହଂଚିବା ପରେ ବିଜେଡି ବିଚଳିତ ହୋଇ ଉଠିଛି । ତେଣୁ ଧର୍ମେନ୍ଦ୍ରଙ୍କ ଭାଇଙ୍କୁ ରାଜନୈତିକ ଅଭିସନ୍ଧି ରଖି ଟାର୍ଗେଟ କରାଯାଇଛି ।

ସୂଚନା ଅନୁସାରେ, ଗତ ତିନି ବର୍ଷ ମଧ୍ୟରେ ରାଜ୍ୟ ସରକାରଙ୍କର ଓଜନ ମାପ, ଯୋଗାଣ ଓ ଭିଜିଲାନ୍ସ ବିଭାଗ ତରଫରୁ ପେଟ୍ରୋଲ ଓ ଗ୍ୟାସ୍ ଏଜେନ୍ସୀ ଉପରେ ମିଳିତ ଭାବେ ରେଡ୍ କରାଯାଇନଥିଲା । ପ୍ରଶ୍ନ ଉଠୁଛି, ଏବେ କଣ ପାଇଁ ଚଢାଉ? ସିବିଆଇ ଭୟ ନା ଆଉ କିଛି?

ଆଗକୁ ପଂଚାୟତ ନିର୍ବାଚନ । ବିଜେଡି ଶିବିରରେ ପଶି ସିବିଆଇ ଛାନଭିନ ଚଳାଇଥିବା ବେଳେ ଧର୍ମେନ୍ଦ୍ରଙ୍କ ବିଭାଗରେ ପଶିଛି ଭିଜିଲାନ୍ସ । ରାଜ୍ୟରେ ଆରମ୍ଭ ହୋଇଛି କ୍ଷମତା ଓ ପତିଆରାର ଲଢେଇ । ନିର୍ବାଚନ ମୈଦାନରେ ଅସଲ ଲଢେଇ ଚାଲିଥିବା ବେଳେ ତଦନ୍ତକାରୀ ସଂସ୍ଥାକୁ ପରସ୍ପର ବିରୋଧରେ ପ୍ରୟୋଗ କରିବାକୁ ନେଇ କଂଗ୍ରେସ ପ୍ରଶ୍ନ ଉଠାଇଛି ।

ଗୋଟିଏ ପଟେ ବିଜେଡି ସୁପ୍ରିମୋ ତଥା ଚାରି ଚାରି ଥରର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଉ ଅନ୍ୟପଟେ କେନ୍ଦ୍ର ମନ୍ତ୍ରୀ ତଥା ରାଜ୍ୟ ବିଜେପିର ପ୍ରଭାବଶାଳୀ ଧର୍ମେନ୍ଦ୍ର ପ୍ରଧାନ । ସିବିଆଇ ତଦନ୍ତ କ୍ରିୟାଶୀଳ ହେବା ପରେ ବିଜେଡିର ଯୁବ ଓ ଛାତ୍ର ସଂଗଠନ ଧର୍ମେନ୍ଦ୍ରଙ୍କ କୁଶପୁତଳିକା ଦାହ କରିଥିଲା । ଆଉ ଏବେ ପାଳି ଶାସକ ବିଜେଡିର । କୁହାଯାଉଛି, ରେଡ୍ ମାଧ୍ୟମରେ ଧର୍ମେନ୍ଦ୍ରଙ୍କୁ ଟାର୍ଗେଟ କରିବାର ବାଟ ବାଛିଚି କ୍ଷସତାସୀନ ବିଜେଡି । ପ୍ରଶ୍ନ ଉଠୁଛି
– ରେଡ୍ ବିଜେଡିର ରାଜନୈତିକ ଆକ୍ରୋଶକୁ ଦର୍ଶାଉଛି କି?
– ଧର୍ମେନ୍ଦ୍ର ଓ ବିଜେପିର ପତିଆରାକୁ ଚେକ୍ ଦେବାକୁ ରଣନୀତି କି?
– ସିବିଆଇ ଓ ଭିଜିଲାନ୍ସର ନିରପେକ୍ଷତାକୁ ନେଇ କାହିଁକି ଉଠୁଛି ପ୍ରଶ୍ନ?

ସରୋଜଙ୍କ ଘରେ ରେଡ୍ ପରେ ସିବିଆଇର ଭୂମିକାକୁ ନେଇ ବିଜେଡି ପ୍ରଶ୍ନ କରିଥିଲା । ଆଉ ଏବେ ଭିଜିଲାନ୍ସ ତଦନ୍ତକୁ ନେଇ ବିଜେପି ପ୍ରଶ୍ନ ଉଠାଉଛି । ରାଜନୀତିର ମଇଦାନରେ ଏହି ଲଢେଇ ଆଗକୁ କେଉଁ ମୋଡ ନେଉଛି ତା ଉପରେ ନଜର ।