କଥା ରଖିଲେ ନବୀନ! ଉପ-ନିର୍ବାଚନ ପରେ ବିଜେପୁର ଉପରେ ଗୁରୁତ୍ୱ ଦେଲେ ମୁଖ୍ୟମନ୍ତ୍ରୀ ।

46

ବିଜେପୁର ଉପ-ନିର୍ବାଚନରେ ଲୋକଙ୍କୁ ଦେଇଥିବା କଥା ରଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଜେପୁରର ବିକାଶ ପାଇଁ ନବୀନ ନିଜେ ଯେଉଁ ଦାୟିତ୍ୱ ନେଇଥିଲେ ତାହାର ପୁନାଦି ନିଜେ ଖୋଳିଛନ୍ତି ମୁଖ୍ୟମନ୍ତ୍ରୀ । ଏବଂ ଏହାର ପ୍ରଥମ ପର୍ଯ୍ୟାୟରେ ମୁଖ୍ୟମନ୍ତ୍ରୀ ବିଜେପୁରକୁ ଏକ ଆଦର୍ଶ ନିର୍ବାଚନ ମଣ୍ଡଳୀଭାବେ ପରିଣତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ସଚିବାଳୟରେ ବିଜେପୁର ନିର୍ବାଚନ ମଣ୍ଡଳୀ ଅର୍ନ୍ତଭୂକ୍ତ ଅଞ୍ଚଳରେ ଚାଲିଥିବା ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ ଗୁଡିକର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ।

ବିଜେପୁରର ୩ଟି ବ୍ଲକ-ଗାଇସିଲଟ, ବିଜେପୁର ଓ ବରପାଲିରେ ବିଭିନ୍ନ ବିଭାଗ ପକ୍ଷରୁ ଉନ୍ନୟନମୂଳକ ପ୍ରକଳ୍ପର ସମୀକ୍ଷା କରିଥିଲେ ମୁଖ୍ୟମନ୍ତ୍ରୀ । ବିଭିନ୍ନ ବିଭାଗ ପକ୍ଷରୁ ଦର୍ଶାଯାଇଥିବା ରିପୋଟରେ ଦର୍ଶଯାଇଛି ଯେ, ପୂର୍ତ୍ତ ବିଭାଗ ପକ୍ଷରୁ ୯.୩୮ କୋଟି ଟଙ୍କା ବିନିଯୋଗରେ ବରପାଲି ଠାରେ ଏକ ରେଲୱେ ଓଭରବ୍ରିଜ, ଗୋଟିଏ କେନାଲ ସର୍ଭିସ ରୋଡ ଓ ବରପାଲି-ବିଜେପୁରରେ ଗୋଟିଏ ସଡକ ପ୍ରକଳ୍ପର କାର୍ଯ୍ୟ ଚାଲୁ ରହିଛି । ସେହିପରି ୩.୫୨ କୋଟି ଟଙ୍କା ବିନିଯୋଗରେ ୭ଟି ଅଣଯୋଜନା ସଡକ ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇଥିବା ବେଳେ ୫.୬୭ କୋଟି ଟଙ୍କା ବ୍ୟୟରେ ୪ଟି ସଡକ ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇଛି । ଅନ୍ୟପଟେ ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା ୩୪ଟି ସଡକ ପ୍ରକଳ୍ପର ଉନ୍ନତି ଓ ମରାମତି ମଧ୍ୟରୁ ୨୯ଟି ସମ୍ପୂର୍ଣ୍ଣ ହୋଇଥିବାବେଳେ ବାକି ଥିବା ୫ଟି ଉନ୍ନତିକରଣ କାର୍ଯ୍ୟ ଖୁବ ଶୀଘ୍ର ସାରିବା ପାଇଁ ଧାର୍ଯ୍ୟ କରାଯାଇଛି । ୩୬ଟି ଅଣଯୋଜନା ବିଲ୍ଡିଂ ସମ୍ପୂର୍ଣ୍ଣ ହୋଇଥିବା ବେଳେ ବିଜେପୁରରେ ୨ କୋଟି ଟଙ୍କା ବ୍ୟୟରେ ଏକ ମଡେଲ ସ୍କୁଲ କରିବା ପାଇଁ ରାଜ୍ୟ ସରକାର ନିଷ୍ପତି ନେଇଛନ୍ତି । ସେହିପରି ଅଂଗ ନଦୀ ଉପରେ ୧୨ କୋଟି ୮୬ ଲକ୍ଷ ଟଙ୍କାରେ ଏକକ ବୃହତ ସେତୁ ନିର୍ମାଣ ପାଇଁ ମଧ୍ୟ ପଦକ୍ଷେପ ନିଆଯାଇଛି ।

ଦୀନଦୟାଲ ଉପାଧ୍ୟାୟ ଗ୍ରାମଜ୍ୟୋତି ଯୋଜନାରେ ୨୬୪ଟି ଗାଁରୁ ୧୮୨ଟି ଗାଁରେ ବିଦ୍ୟୁତକରଣ ସମ୍ପୂର୍ଣ୍ଣ ହୋଇଥିବା ବେଳେ ୮୨ଟି ଗ୍ରାମରେ ଏହି କାର୍ଯ୍ୟ ଚାଲୁ ରହିଛି । ବିଜେପୁରର ୩ଟି ବ୍ଲକରେ ୬୩ଟି ଜଳ ପ୍ରକଳ୍ପ ନିର୍ମାଣ ବିଭିନ୍ନ ପର୍ଯ୍ୟାୟରେ ଥିବାବେଳେ ୨୭୪ଟି ଟ୍ୟୁବେଲର ମରାମତି ସମ୍ପୂର୍ଣ୍ଣ ହୋଇଥିବା ଜଣାପଡିଛି । ତେବେ ୧୯,୨୦୦ ହେକ୍ଟର ଜଳସେଚନ କ୍ଷମତା ବିଶିଷ୍ଟ ଗଙ୍ଗାଧର ମେହେର ଉଠା ଜଳ ସେଚନ ପ୍ରକଳ୍ପ କାମ ତୁରନ୍ତ ଆରମ୍ଭ କରିବା ପାଇଁ ଉପସ୍ଥିତ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଦୁଇ ମାସ ପରେ ମୁଖ୍ୟମନ୍ତ୍ରୀ ପୁର୍ନବାର ବିଜେପୁର ଉନ୍ନୟନ କାର୍ଯ୍ୟ ଗୁଡିକ ଉପରେ ସମୀକ୍ଷା କରିବେ ବୋଲି କହିଛନ୍ତି । ଏହି ସମୀକ୍ଷା ବୈଠକରେ ଜଳସମ୍ପଦ ମନ୍ତ୍ରୀ ନିରଞ୍ଜନ ପୂଜାରୀ, ଶ୍ରମ ଓ ଶକ୍ତି ମନ୍ତ୍ରୀ ସୁଷାନ୍ତ ସିଂ, ବିଧାୟକ ରିତା ସାହୁ, ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନରଙ୍କ ସହ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।