ବିଜେଡିରୁ ନିଲମ୍ବନ ହେଲେ ନବୀନ! ଅଶୋଭନୀୟ ଆଚରଣ ନେଇ ଦଳରୁ ନିଲମ୍ବିତ କଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ

28

କନକ ବ୍ୟୁରୋ: ବିଜେଡିରୁ ନିଲମ୍ବନ ହେଲେ ଢେଙ୍କାନାଳର ପୂର୍ବତନ ବିଧାୟକ ନବୀନ ନନ୍ଦ । ଅଶୋଭନୀୟ ଆଚରଣ ନେଇ ଖବର ପରେ ବିଜୁ ଜନତା ଦଳ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ନବୀନ ନନ୍ଦଙ୍କୁ ଦଳରୁ ନିଲମ୍ବିତ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ତେବେ କୋଲକାତାରେ ଗିରଫ ହେବା ପରେ ଡେଙ୍କାନାଳର ପୂର୍ବତନ ବିଧାୟକ ନବୀନ ନନ୍ଦ ଜାମିନରେ ଆସିଥିବା ଜଣାଯାଇଛି ।

ଗଣମାଧ୍ୟମରେ ପ୍ରକାଶ ପାଇଥିବା ଖବର ଅନୁସାରେ, କୋଲକାତାର ପାର୍କ ଷ୍ଟ୍ରିଟରେ ଏକ ସେକ୍ସ ରାକେଟ ଠାବ ହୋଇଥିଲା । ଏଠାରେ ଚଢାଉ ବେଳେ କୋଲକାତା ପୋଲିସ ୯ଜଣ ଯୁୁବତୀଙ୍କ ସହ ୧୮ ଜଣଙ୍କୁ ଗିରଫ କରିଥିଲେ । ଏମାନଙ୍କ ମଧ୍ୟରେ ଢେଙ୍କାନାଳର ପୂର୍ବତନ ବିଧାୟକ ନବୀନ ନନ୍ଦ ଥିଲେ । ଗତକାଲି ସେ ନିଖୋଜ ଥିବା ନେଇ ତାଙ୍କ ପୁଅ ଅଭିଯୋଗ କରିଥିବା ବେଳେ ଗତକାଲି ହିଁ ତାଙ୍କୁ ଜାମିନ ମିଳିଛି । କୋଲକାତାକୁ ନିଜର ବ୍ୟକ୍ତିଗତ କାମରେ ଯାଇଥିବା ନବୀନ ଘରକୁ ଫେରିବାର ଥିଲା କିନ୍ତୁ ସେ ଫେରିନଥିଲେ । ଏପରିକି ତାଙ୍କ ଫୋନ୍ ମଧ୍ୟ ସୁଇଚ୍ ଅଫ୍ ଥିଲା । ଏହା ପରେ ପରିବାର ବ୍ୟସ୍ତ ହୋଇପଡିଥିଲେ ।

ଏପରିକି ତାଙ୍କ ପୁଅ ସମ୍ବିତ କୋଲକାତା ଯାଇ ବାପାଙ୍କୁ ନପାଇବାରୁ ଥାନାରେ ଏତଲା ଦେଇଥିଲେ । ତେବେ କୋଲକାତାରେ ତାଙ୍କ ବାପାଙ୍କର କିଛି ଜିନିଷ ଚୋରି ହୋଇଯାଇଥିବାରୁ ଘରକୁ ଫେରିବାରେ ବିଳମ୍ବ ହୋଇଥିଲା ବୋଲି ନବୀନଙ୍କ ପୁଅ ସମ୍ବିତ କହିଛନ୍ତି । ବ୍ୟକ୍ତିଗତ କାମରେ ନବୀନ ନନ୍ଦ ୨୯ ତାରିଖରେ କୋଲକାତା ଯାଇଥିଲେ । ଗତକାଲି ସେ ଫେରିବାର ଥିଲା । କିନ୍ତୁ ସେ ଫେରିନଥିବାରୁ ସମ୍ବିତ କୋଲକାତା ଯାଇଥିଲେ । ସେ ରହୁଥିବା ହୋଟେଲ ରୁମରେ ତାଙ୍କର ଲ୍ୟାପଟାପ ଓ ଅନ୍ୟ ଜିନିଷପତ୍ର ଥିଲା । ହୋଟେଲ ମ୍ୟାନେଜର କୌଣସ ସଠିକ ତଥ୍ୟ ଦେଇନପାରିବାରୁ ଥାନାର ଦ୍ୱାରସ୍ଥ ହୋଇଥିଲେ ସମ୍ବିତ । ତେବେ ହୋଟେଲ ଛାଡିବାର ୧୩ ଘଂଟା ପରେ ଅର୍ଥାତ ସନ୍ଧ୍ୟା ପ୍ରାୟ ୫ଟା ୪୦ରେ ହୋଟଲେକୁ ଫେରିଆସିଥିଲେ ନବୀନ । ଦୀର୍ଘ ୧୩ ଘଂଟା ପରେ ନବୀନ ନନ୍ଦ ଫେରିଥିଲେ ।