ମହାକାଶ ଗବେଷଣାରେ ମାଇଲଖୁଣ୍ଟ ସ୍ଥାପନ କଲା ‘ନାସା’ ! ସଫଳତାର ସହ ମଙ୍ଗଳଗ୍ରହରେ ଅବତରଣ କଲା ‘ଇନସାଇଟ୍ ପ୍ରୋବ’ ।

191

କନକ ବ୍ୟୁରୋ : ମଙ୍ଗଳ ଗ୍ରହରେ ମହାକାଶ ଯାନ, ଇନସାଇଟ୍ ପ୍ରୋ । ଆମେରିକା ଗବେଷଣା ସଂସ୍ଥା ନାସା ପଠେଇଥିବା ମହାକାଶଯାନ ‘ଇନସାଇଟ ପ୍ରୋ’ ସଫଳତାର ସହ ମଙ୍ଗଳ ଗ୍ରହରେ ଅବତରଣ କରିଛି । ପ୍ରାୟ ୪ହଜାର କୋଟି କିଲୋମିଟର ଦୂରତାକୁ ପ୍ରାୟ ୭ମାସ ଧରି ଗତିକରି ମଙ୍ଗଳଗ୍ରହର ଭୁପୃଷ୍ଠରେ ପହଂଚିଛି ଇନସାଇଟ୍ ପ୍ରୋ । ମଙ୍ଗଳ ଗ୍ରହ ଉପରେ ଏହି ଇନସାଇଟ ପ୍ରୋ ୨ବର୍ଷ ଧରି ଗବେଷଣା କରିବ । ଫଳରେ ମଙ୍ଗଳ ଗ୍ରହ ଉପରେ ଅନେକ ଅଜଣା ତଥ୍ୟ ସାମ୍ନାକୁ ଆସିବ ।

ନାସାର ବୈଜ୍ଞାନିକମାନେ ଖୁସିରେ ବିଭୋର । ଲାଲ ଗ୍ରହ ମଙ୍ଗଳର ମାଟି ଛୁଇଁଛି ମହାକାଶଯାନ ଇନସାଇଟ୍ । ସଫଳ ଅବତରଣ ନେଇ ସୂଚନା ମିଳିବା ପରେ ଝୁମି ଉଠିଥିଲେ ନାସା ମିସନ କଂଟ୍ରୋଲ ରୁମରେ ଥିବା ବିଜ୍ଞାନୀ ଏବଂ ଏହି ଅଭିଯାନକୁ ଦେଖିବା ପାଇଁ ଦର୍ଶକ ଗ୍ୟାଲେରିରେ ବସିଥିବା ଲୋକେ । ଭାରତୀୟ ସମୟ ରାତି ପ୍ରାୟ ୧ଟା ୨୪ ମିନିଟ୍ ବେଳକୁ ମଙ୍ଗଳ ଗ୍ରହର ଭୂପୃଷ୍ଠରେ ପାଦ ଥାପିଥିଲା ଏହି ରୋବୋଟିକ୍ ମହାକାଶଯାନ । କିନ୍ତୁ ଏତେ ସହଜ ନଥିଲା ଇନସାଇଟର ଏହି ଯାତ୍ରା ।

ଇନସାଇଟ୍ ମହାକାଶ ଯାନ ଲାଲ ଗ୍ରହରେ ଅବତରଣ କରିବାର ସଫଳତା ନେଇ ଦ୍ୱନ୍ଦ୍ୱରେ ରହିଥିଲେ ବିଜ୍ଞାନୀ । ମଙ୍ଗଳ ଗ୍ରହର କକ୍ଷରେ ପହଂଚିବା ସମୟରେ ଏହି ଯାନର ବେଗ ଘଂଟାକୁ ପ୍ରାୟ ୧୯ ହଜାର ୮୦୦ କିଲୋମିଟର ଥିଲା । କିନ୍ତୁ ମାଟି ଛୁଇଁବା ବେଳକୁ ଏହା ମାତ୍ର ୮ କିଲୋମିଟରକୁ ଖସି ଆସିଥିଲା । ମଙ୍ଗଳର ବାୟୁମଣ୍ଡଳରେ ଏହି ଯାନ ପ୍ରବେଶ କରିବା ସହ ଏହାର ତାପମାତ୍ର ବଢିଯାଇଥିଲା । ଏହି ସମୟରେ ତାପମାତ୍ରା ପ୍ରାୟ ୧୫ଶହ ସେଲସିଅସରୁ ଅଧିକ ପହଂଚିଯାଇଥିଲା । ତେବେ ସ୍ୱତନ୍ତ୍ର ଖୋଳପା ଭିତରେ ଥିବା ଯାନଟି ସୁରକ୍ଷିତ ଭାବେ ଧିରେ ଧିରେ ଆଗକୁ ବଢିଚାଲିଥିଲା । ସ୍ୱତନ୍ତ୍ର ପାରାଚୁଟ ଖୋଲିବା ସହ ଇନ୍ ସାଇଟର ତିିନିଟି ଗୋଡ ଖୋଳିଯାଇଥିଲା ।

କିନ୍ତୁ ଶେଷ ସାଢେ ୬ ମିନିଟ୍ ସବୁଠୁ ବେଶ ଗୁରୁତ୍ୱପୂର୍ଣ୍ଣ ଥିଲା । ବେଗ ନିୟନ୍ତ୍ରଣ ନହେଲେ ଏହି ମହାକାଶ ଯାନ ମଙ୍ଗଳମାଟିରେ ଜୋରର ପିଟି ହୋଇ ଚୁରମାର ହେବା ସମ୍ଭାବନା ମଧ୍ୟ ରହିଥିଲା । ସବୁ ବାଧାକୁ ଅତିକ୍ରମ କରି ମଙ୍ଗଳ ଗ୍ରହରେ ଅବତରଣ କରିଛି ଆମେରିକାର ଏହି ନବମ ମଙ୍ଗଳ ଅଭିଯାନର ମହାକାଶଯାନ ଏବଂ ପଠାଇଛି ପ୍ରଥମ ଚିତ୍ର । ରେଡିଓ ସିଗନାଲ୍ ପୃଥିବୀରେ ପହଂଚିବା ପାଇଁ ପ୍ରାୟ ୮ ମିନିଟ୍ ସମୟ ଲାଗିଛି ।

ଇନସାଇଟ୍ ମହାକାଶଯାନ ପାଇଁ ପ୍ରାୟ ୭ ହଜାର ୪୪ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି । ଏହି ରୋବୋଟିକ୍ ଯାନ ମଙ୍ଗଳର ଗଠନ ଦିଗରେ ଅଧିକ ଗବେଷଣା କରିବ । ଅଲଟ୍ରା ସୋନିକ ରଶ୍ମୀ ସହାୟତାରେ ଗ୍ରହର ଭିତରକୁ ଅନୁଧ୍ୟାନ କରିବ । ଏଠାରେ ହେଉଥିବା ମାଟିତଳର କମ୍ପନକୁ ନେଇ ମଧ୍ୟ ପରଖିବ ଏହି ମହାକାଶଯାନ । ପୂର୍ବରୁ ଏହି ଲାଲ ଗ୍ରହର ପୃଷ୍ଠ ଉପରେ ଗବେଷଣା ହୋଇଛି, କିନ୍ତୁ ଏହା ଭିତରକୁ ନେଇ ଏହା ପ୍ରଥମ ଅଭିଯାନ । ୨ ବର୍ଷ ଧରି ଇନସାଇଟ୍ ମଙ୍ଗଳ ଗ୍ରହରେ ଗବେଷଣା କରିବ । ଗତ ମେ ୫ ତାରିଖରେ କାଲିଫର୍ଣ୍ଣିଆର ଉତ୍କ୍ଷେପଣ କେନ୍ଦ୍ରରୁ ଯାତ୍ରା ଆରମ୍ଭ କରିଥିଲା ଇନସାଇଟ୍ ମହାକାଶଯାନ । ଦୀର୍ଘ ୬ ମାସ ମଧ୍ୟରେ ପ୍ରାୟ ୪୮.୨ କୋଟି କିଲୋମିଟର ଯାତ୍ରା କରି ଏହି ଯାନ, ଲାଲା ଗ୍ରହର ମାଟି ଛୁଇଁଛି ।