ଭାରତ ଛାଡ଼ ଆନ୍ଦୋଳନକୁ ୭୫ ବର୍ଷ ! ଲୋକସଭାରେ ମୋଦି କହିଲେ, ରାଜନୀତିର ଉର୍ଦ୍ଧ୍ୱରେ ରାଷ୍ଟ୍ରନୀତି

120

ଦେଶର ସ୍ୱାଧୀନତା ପାଇଁ ୧୯୪୨ ମସିହାରେ ହୋଇଥିବା ଭାରତ ଛାଡ଼ ଆନ୍ଦୋଳନକୁ ୭୫ ବର୍ଷ ପୁରିଲା । ଏହି ଅବସରରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକସଭାରେ କହିଛନ୍ତି, ବିଗତ ଦିନର ପ୍ରେରଣାଦାୟୀ ଘଟଣାକୁ ମନେପକାଇଲେ ମନ ଦୃଢ଼ ହେବା ସହ ସାହସ ମିଳେ । ଏହାଛଡ଼ା ମୋଦି କହିଛନ୍ତି, ଭାରତ ଛାଡ଼ ଆନ୍ଦୋଳନ ବିଷୟରେ ଯୁବପିଢ଼ୀଙ୍କୁ ଅବଗତ କରାଇବା ଆମର କର୍ତ୍ତବ୍ୟ । ପୀଢ଼ି ପରେ ପୀଢ଼ି ଆସୁଛନ୍ତି ଏବଂ ତାଙ୍କ ପାଖରେ ଏହି ସ୍ୱର୍ଣ୍ଣିମ ଅଧ୍ୟାୟକୁ ପହଞ୍ଚାଇବା ଆମର ଗୁରୁଦାୟିତ୍ୱ ।

ସେ କହିଛନ୍ତି, ଦେଶର ସ୍ୱାଧୀନତା ପାଇଁ ଭାରତ ଛାଡ଼ ଆନ୍ଦୋଳନ ଏତେ ବ୍ୟାପକ ରୂପ ନେବ ବୋଲି ଇଂରେଜ ସରକାର କେବେ ଚିନ୍ତା କରିନଥିଲେ । ମହାତ୍ମା ଗାନ୍ଧୀଙ୍କ ସମେତ ଅନେକ ନେତା ଏଥିପାଇଁ ଜେଲ ଗଲେ । ଏବଂ ସେ ସମୟରେ ଅନେକ ନୂଆ ନେତା ଦେଶର ସ୍ୱାଧିନତାର ସଂଗ୍ରାମରେ ଝାସ ଦେଇଥିଲେ । ଗାନ୍ଧୀ ଜେଲ ଗଲା ପରେ ତାଙ୍କ ସ୍ଥାନ ପୁରଣ କଲେ ଲାଲ ବାହାଦୁର ଶାସ୍ତ୍ରୀ ଓ ରାମ ମନୋହୋର ଲୋହିୟାଙ୍କ ସମେତ ଅନେକ ନେତା ।

ପ୍ରଧାନମନ୍ତ୍ରୀ କହିଛନ୍ତି, ମହାତ୍ମା ଗାନ୍ଧୀ ମନ୍ତ୍ର ‘କର ବା ମର’ ଦେଶବାସୀଙ୍କୁ ଅଦମ୍ୟ ବଳ ଦେଇଥିଲା । ଗାନ୍ଧୀ କହିଥିଲେ ମୁଁ ସମ୍ପୂର୍ଣ୍ଣ ସ୍ୱାଧୀନତା ଚାହେଁ, ଏହା ନମିଳିବା ପର୍ଯ୍ୟନ୍ତ ଅନ୍ୟ କୌ÷ଣସି ଚିଜରେ ମୁଁ ସନ୍ତୁଷ୍ଟ ହୋଇପାରିବି ନାହିଁ । ଗାନ୍ଧୀଙ୍କ ପ୍ରତିଟି ଶବ୍ଦରେ ଯୋଡ଼ି ହୋଇ ଯାଇଥିଲେ ଦେଶବାସୀ ।

ସେ ସମୟରେ ସ୍ୱାଧୀନତା ପାଇଁ ଲୋକ ବେଶ ଭାବ ପ୍ରବଣ ଥିଲେ । ଦେଶରେ ଥିଲା ଅଦ୍ଭୁତ ବାତାବାରଣ । ପ୍ରତ୍ୟେକ ବ୍ୟକ୍ତି ନେତା ହୋଇଯାଇଥିଲେ । ସବୁଠି ‘କର ବା ମର’ ମନ୍ତ୍ର ଗୁଞ୍ଜରି ଉଠୁଥିଲା । ଦେଶର ସମସ୍ତ ବ୍ୟକ୍ତି ଗାନ୍ଧୀ ମନ୍ତ୍ର ‘କର ବା ମର’କୁ ହୃଦୟ ଭିତରେ ରଖି ଆନ୍ଦୋଳନରେ ଭାଗ ନେଉଥିଲେ । ବ୍ରିଟିଶ ସାମ୍ରାଜ୍ୟ ଭାରତରେ ଆରମ୍ଭ ହେଲା ଓ ଭାରତ ହିଁ ଅନ୍ତ ହେଲା । କାରଣ ସେତେବେଳ ସମସ୍ତେ ଦେଶବାସୀ ଏକ ମନରେ ସଙ୍କଳ୍ପ କରି ଦେଶକୁ ଅତି ସହଜରେ ଗୋଲାମୀରୁ ବଞ୍ଚାଇଥିଲେ ।

ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଆଜି ଆମ ପାଖରେ ଦେଶର ପିତା ମହାତ୍ମା ଗାନ୍ଧୀ ନାହାନ୍ତି କିନ୍ତୁ ଦେଶର କୋଟି କୋଟି ଜନତା ମିଳିମିଶି କାମ କଲେ ଗାନ୍ଧୀଙ୍କ ସ୍ୱପ୍ନ ସତ ହୋଇପାରିବ । ୧୯୪୨ରେ ସେ ସମୟରେ ଭାରତ ଅନେକ ଦେଶ ପାଇଁ ପ୍ରେରଣା ସାଜିଥିଲା । ଆଜି ବିି ସେପରି ସେପରି ଅବସ୍ଥାରେ ଭାରତ । ଆଜି ବି ଆମେ ଅନ୍ୟ ଦେଶ ପାଇଁ ପ୍ରେରଣା ହୋଇ ପାରିବା । ମୋଦି କହିଛନ୍ତି, ଦଳ ଆଗରେ ଦେଶ ବଡ, ରାଜନୀତି ଉପରେ ରାଷ୍ଟ୍ରନୀତି ବଡ଼ । ଯଦି ଆମେ ସମସ୍ତ ମିଳିମିଶି ଚାଲିବା ସମସ୍ତ ସମସ୍ୟାର ସମାଧାନ ଖୁବ୍ ସହଜରେ ହୋଇପାରିବ । ପ୍ରଧାନମନ୍ତ୍ରୀ କହିଛନ୍ତି ଏବେ ସମୟ ଆସିଛି ଯେତେବେଳେ ଭ୍ରଷ୍ଟାଚାର ରୂପୀ ରାକ୍ଷସ କବଳରୁ ଆମେ ଦେଶକୁ ରକ୍ଷା କରିବା ।

ଭାରତ ଛାଡ ଆନ୍ଦୋଳନର ୭୫ ବର୍ଷ ଅବସରରେ କଂଗ୍ରେସ ସଭାପତି ସୋନିଆ ଗାନ୍ଧି ବି ସ୍ୱାଧୀନତା ସଂଗ୍ରାମୀକୁ ମନେପକାଇଥିଲେ । ସେ କହିଥିଲେ, ସମ୍ମାନ ସହ ସମସ୍ତ ଆନ୍ଦୋଳନକାରୀଙ୍କୁ ମନେ ପକାଯିବା ଉଚିତ । ଏହାସହ ପରୋକ୍ଷରେ ସେ ଆରଏସଏସକୁ ସମାଲୋଚନା କରିଥିଲେ । ସୋନିଆ କହିଥିଲେ , ଏହି ଆନ୍ଦୋଳନକୁ ସେହି ସମୟରେ କିଛି ଲୋକ ଓ ସଙ୍ଗଠନ ଏହାକୁ ବିରୋଧ କରିଥିଲେ ।