ମୋଦିଙ୍କ ବୟାନ ଦେଲା ବଡ ସଂକେତ! ୨୦୧୯ ପୂର୍ବରୁ ପୁରୁଣା ସାଥୀଙ୍କୁ ଖୋଜୁଛି ବିଜେପି, ଜାଣନ୍ତୁ ସମ୍ଭାବ୍ୟ ତାଲିକାରେ କେଉଁ ଦଳ ?

449

କନକ ବ୍ୟୁରୋ : ପୁରୁଣା ସାଥୀ ଖୋଜୁଛି ବିଜେପି । ସାଧାରଣ ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବଡ ସଂକେତ । ରାଜନୈତିକ ଦଳ ଗୁଡ଼ିକ ପାଇଁ ଏନ୍ଡିଏର ଦ୍ୱାର ଖୋଲା ବୋଲି କହିଛନ୍ତି ନରେନ୍ଦ୍ର ମୋଦି । ତାମିଲନାଡୁର କାର୍ଯ୍ୟକର୍ତାଙ୍କୁ ସମ୍ବୋଧିତ କରିବା ଅବସରରେ ମୋଦି କରିଛନ୍ତି-ଏନଡିଏ-ଥ୍ରୀର ନୂଆ ପରିକଳ୍ପନା । ଏପଟେ ୩ଟି ରାଜ୍ୟରେ ପରାଜିତ ହେବା ପରେ ବିଜେପି ଡରିଯାଇଥିବା ବିରୋଧୀ ଅଭିଯୋଗ କରିଛନ୍ତି । ଜବାବରେ ବିଜେପି କହିଛି-ମୋଦିଙ୍କ ବୟାନ ତାମିଲନାଡୁ ପରିପ୍ରେକ୍ଷୀରେ ଥିଲା । ଏସବୁ ଭିତରେ ସରଗରମ ହୋଇଛି ରାଜନୀତି ।

ପୁରୁଣା ସହଯୋଗୀଙ୍କୁ ଆମେ ପୋତ୍ସାହିତ କରି ଆସିଛୁ ଏବଂ ରାଜନୈତିକ ଦଳ ଗୁଡିକ ପାଇଁ ଆମ ଦ୍ୱାର ସବୁବେଳେ ଖୋଲା ଅଛି । ପ୍ରଧାନମନ୍ତ୍ରୀ ମୋଦିଙ୍କ ଏହି ବୟାନ କେବଳ ଯେ, ଏନଡିଏର ସହଯୋଗୀ ଦଳଗୁଡ଼ିକୁ ବାନ୍ଧି ରଖିବାର ପ୍ରୟାସ ଥିଲା ତାହା ନୁହେଁ ବରଂ ଅନ୍ୟ ରାଜନୈତିକ ଦଳଗୁଡ଼ିକଙ୍କ ପାଇଁ ମଧ୍ୟ ଖୋଲି ଦେଇଛି ଏନଡିଏର ଦ୍ୱାର । ଦେଶର ପରିବର୍ତିତ ରାଜନୈତିକ ସ୍ଥିତି ଭିତରେ ୨୦୧୯ ପୂର୍ବରୁ ମୋଦି, ବାଜପେୟୀଙ୍କ କଥାକୁ ସ୍ମରଣ କରି ସହଯୋଗୀଙ୍କ ହୃଦୟ ଜିତିବାକୁ ପ୍ରୟାସ କରିଛନ୍ତି ।

NABIN MODIଗୋଟିଏ ପଟେ ମୋଦି ସରକାରଙ୍କ ନୀତି ଯୋଗୁଁ ଦେଶରେ ଏକ ପ୍ରକାର ଅସନ୍ତୋଷ ବଢ଼ୁଥିବା ବେଳେ ଅନ୍ୟପଟେ ସହଯୋଗୀ ଦଳଗୁଡ଼ିକ ମଧ୍ୟ ଏନଡିଏ ଉପରେ ଖପ୍ପା । ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପ୍ରସଙ୍ଗରେ ଡିଟିପି ଏନଡିଏର ହାତ ଛାଡିଥିବା ବେଳେ ମହାରାଷ୍ଟ୍ରରେ ଶିବସେନା, ରାମମନ୍ଦିର ପ୍ରସଙ୍ଗକୁ ନେଇ ଏନଡିଏ ସହ ଏକ ପ୍ରକାର ତୁ-ତୁ-ମେଁ-ମେଁ ଚାଲିଛି । ସେହିପରି କାଶ୍ମୀରରେ ପିଡିପି ମେଂଟ ଭାଙ୍ଗିଛି ଏବଂ ପଂଜାବରେ ସିଟକୁ ନେଇ ଅକାଳି ଦଳ ଅସନ୍ତୋଷ ଥିବା ଚର୍ଚ୍ଚା ହେଉଛି । ଏଭଳି ସ୍ଥିତିରେ ଦଳଗୁଡ଼ିକୁ ମନାଇବାକୁ ଉଦ୍ୟମ କରୁଛନ୍ତି ମୋଦି ।

ପୁରୁଣା ସହଯୋଗୀଙ୍କୁ ମୋଦିଙ୍କ ଆମନ୍ତ୍ରଣ ଏବଂ ବିଜେଡି ପ୍ରତି ନରମ ଆଭିମୁଖ୍ୟ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ବିଜେଡି ସମଦୂରତ୍ୱ ତତ୍ୱରେ ଅଟଳ ରହିଛି ବୋଲି ସ୍ପଷ୍ଟ କରିଛନ୍ତି ନବୀନ । ଆଉ ଏସବୁ ଭିତରେ ମୋଦିଙ୍କ ଏନଡିଏ-ଥ୍ରୀର କଳ୍ପନାକୁ ନେଇ ଓଡ଼ିଶାରେ ତେଜିଛି ରାଜନୀତି ।ଏକଥା କାହାକୁ ଅଛପା ନାହିଁ ଯେ, ୨୦୧୪ରେ ଯେଉଁ ସ୍ଥିତିରେ ବିଜେପି ଥିଲା କିମ୍ବା ମୋଦିଙ୍କ ହାୱା କଥା କୁହାଯାଉଥିଲା, ୨୦୧୯ରେ ସେହି ସ୍ଥିତି ନାହିଁ । ଅନ୍ୟପଟେ ବିଜେପିର ୩ଟି ରାଜ୍ୟ କଂଗ୍ରେସ ଛଡ଼ାଇ ଆଣିବା ପରେ ରାଜନୀତିର ଗଣିତ ଆହୁରି ଜଟିଳ ହୋଇଯାଇଛି ।