ନଦୀରେ ଗାଧୋଇବା ବେଳେ ହଠାତ ମାଡି ଆସିଲା ପାଣି : କ୍ୟାମେରାରେ କଏଦ ହେଲା ମୃତ୍ୟୁ ମୁଖରୁ ଉଦ୍ଧାର ହେବାର ଦୃଶ୍ୟ

37

କୋରାପୁଟ : ୫ ଜଣ ଛୋଟ ପିଲା ମୃତ୍ୟୁ ମୁଖରୁ ବର୍ତିବାର ଦୃଶ୍ୟ ରେକର୍ଡ ହୋଇଛି କ୍ୟାମେରାରେ । ଏମିତି ଏକ ଘଟଣା ଘଟିଛି କୋରାପୁଟ ଜିଲ୍ଲା ନାରାୟଣପାଟଣା ବ୍ଲକରେ । ରବିବାର ଦିନ କିଛି ପିଲା ପାଖ ନଦୀକୁ ଯାଇଥିଲେ ଗାଧୋଇବାକୁ । ଦିନ ଗୋଟାଏ ବେଳେ ହଠାତ ମାଡ଼ି ଆସିଲା ନଦୀ ପାଣି । ପାଣିର ପ୍ରଖର ସୁଅ କାଟି ଫେରିପାରିଲେନି ପିଲାମାନେ । ଆଉ ତାପରେ କ’ଣ ହେଲା ଯେଉଁ ଦୃଶ୍ୟ ଛାତି ଥରାଇ ଦେବାଭଳି । ନଈ ଭିତରେ ଥିବା ପଥର ଉପରେ ଛିଡ଼ା ହୋଇଛନ୍ତି କିଛି ଛୋଟ ପିଲା । ଆଉ ଚାରିପଟେ ପାଣି ସୁଅର ଗର୍ଜନ । ଜୀବନ ବିକଳରେ କାନ୍ଦୁଛନ୍ତି, ଆଉ ପାଖରେ ଶୁଭୁଛି ହୋହଲ୍ଲା । କେତେକ ସାହସୀ ଯୁବକ ପିଲାଙ୍କୁ ଉଦ୍ଧାର କରିବାକୁ ଚଳାଇଛନ୍ତି ପ୍ରୟାସ । ଏହି ଯୁବକମାନେ ବାଉଁଶ ସାହାଯ୍ୟରେ ଜଣ ଜଣ କରି ୫ ଜଣଙ୍କୁ କରୁଛନ୍ତି ଉଦ୍ଧାର । ମୃତ୍ୟୁ ମୁଖରୁ ବର୍ତି ଯାଇଛନ୍ତି ଛୋଟ ଛୋଟ ପିଲା । ଏହାର ଶ୍ରେୟ ଯାଇଛି ହରିଜନ ସାହିର ହରିଶ୍ଚନ୍ଦ୍ର ହିଆଲା ଓ ମୋହନ ଗରଡ଼ାଙ୍କ ନାଁରେ । ସେମାନଙ୍କ ସାହସ ଯୋଗୁଁ ନୂଆ ଜୀବନ ପାଇଛନ୍ତି ଛୋଟ ଛୋଟ ପିଲା ।