ମୋଦିଙ୍କ “ନମାମି ଗଙ୍ଗା” ଯୋଜନା ହେବାପରେ ଅଧିକ ଅପରିଷ୍କାର ହେଉଛି କି ଗଙ୍ଗା ?

135

କନକ ବ୍ୟୁରୋ : ଭାରତରେ ପ୍ରବାହିତ ହେଉଥିବା ନଦୀ ଗୁଡିକ ମଧ୍ୟରୁ ଅନେକ ନଦୀର ଜଳ ବର୍ତ୍ତମାନ ସମୟରେ ପ୍ରଦୂଷିତ ହୋଇଛି । ଦେଶର ସବୁଠାରୁ ବିଶାଳ ନଦୀ ଗଙ୍ଗା ମଧ୍ୟ ପ୍ରଦୂଷିତ । ତେବେ ଗଙ୍ଗା ନଦୀର ଜଳ ମାତ୍ରାଧିକ ପ୍ରଦୂଷିତ ହେବା ପରେ କେନ୍ଦ୍ର ସରକାର ଏହାର ଜଳକୁ ସଫାକରିବା ଲାଗି ଅନେକ ଯୋଜନା କରିଛନ୍ତି । ତେବେ ନଦୀର ଜଳ ସଫା ହେବା ପରିବର୍ତ୍ତେ ଅଧିକ ମଇଳା ହେଉଥିବା ଦେଖିବାକୁ ମିଳିଛି । ତାହା ପୁଣି ଖୋଦ୍ ପ୍ରଧାନମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ବାରାଣାସୀଠାରେ ।

ମୋଦି ସରକାର ଆସିବାପରେ ୨୦୧୪ ମସିହାରେ ଏହି ଯୋଜନା ପ୍ରସ୍ତୁତ କରିବା ସହ କୋଟି କୋଟି ଟଙ୍କା ଖର୍ଚ୍ଚ ମଧ୍ୟ କରାଯାଇଛି । କିନ୍ତୁ ଏହାର କୌଣସି ବି ପ୍ରଭାବ ପଡିନାହିଁ । ପାଣିରେ ଜାଗା ଜାଗା ପ୍ଲାଷ୍ଟିକ ଓ କଙ୍କାଳ ଭାସୁଥିବା ଦେଖିବାକି ମିଳୁଛି ।

୪ ବର୍ଷରେ ବଦଳିନାହିଁ ଗଙ୍ଗାର ଚିତ୍ର

ଏକ ଗଣମାଧ୍ୟମର ପ୍ରତିନିଧି ଗ୍ରାଉଣ୍ଡ ଜିରୋ ରିପୋର୍ଟ ପ୍ରକାଶ କରି କହିଛନ୍ତି ଯେ , ଗଙ୍ଗା ନଦୀର ଅସ୍ଥି ଘାଟ ନିକଟରେ  ଅନେକ ଅପରିଷ୍କାର ଜଳ ଏହି ନଦୀରେ ମିଶୁଥିବା ବେଳେ ପଚାସଢା ସାମଗ୍ରୀ ମଧ୍ୟ ଏଠାରେ ପଡୁଛି ତେଣୁ ବିନା ରୁମାଲରେ ଏଠାରେ ଛିଡା ହେବା କଷ୍ଟ ବୋଲି ରିପୋର୍ଟରେ କୁହାଯାଇଛି । ଏହାସହ ରାକେଶ ପାଣ୍ଡେ ନାମକ ଜଣେ ଯୁବକ ଏହି ସ୍ଥାନରୁ ଗଙ୍ଗାନଦୀର ପାଣିର ଗୁଣବତ୍ତା ମାପିବା ବେଳେ ଜଣାପଡିଛି କି ମିନେରାଲ ପାଣିଠାରୁ ୧୫୦ ଗୁଣାରୁ ଅଧିକ ପ୍ରଦୂଷିତ ଓ ବ୍ୟାକ୍ଟେରିଆ ଯୁକ୍ତ ରହିଛି ଏହି ଜଳରେ ।

ବାରାଣାସୀରେ ଏବେ ବି ସ୍ଥିତି ଚିନ୍ତାଜନକ ରହିଛି

ବାରାଣାସୀର ଏକ ପୋଲ ପାଖରେ ଗଙ୍ଗାନଦୀରେ ସହରର ଏକ ନାଳ ଏଠାରେ ମିଶିଛି । ଏହି ନାଳରେ ସହରର ସମସ୍ତ ମଇଳା ମିଶୁଥିବା ସହ ଜୀବଜନ୍ତୁଙ୍କ କଙ୍କାଳ ମଧ୍ୟ ଏଠାରେ ପଡୁଛି । ଯାହାକୁ ନେଇ ସେଠାରେ ପରିସ୍ଥିତି ଅଧିକ ଅସମ୍ଭାଳ ଓ ଉଦବେଗଜନକ ରହିଛି ।

“ନମାମିଗଙ୍ଗା” ଯୋଜନାକୁ ସେଠାକାର ସ୍ଥାନୀୟ ବାସିନ୍ଦା ସ୍ୱାଗତ କରିଥିଲେ ମଧ୍ୟ ଆଗ ଅପେକ୍ଷା ନଦୀର ଜଳ ଅଧିକ ମାତ୍ରାରେ ଅପରିଷ୍କାର ହେଉଛି ବୋଲି କହିବା ସହ ଏହା ଲାଗି କେବଳ ସହରର ଛୋଟ ନାଳ ଦାୟୀ ବୋଲି ନିଜ ପ୍ରତିକ୍ରିୟାରେ କହିବା ସହ ପ୍ରଧାନମନ୍ତ୍ରୀଙ୍କ ଗଙ୍ଗା ସଫେଇ ମିଶନ୍ ଫେଲ ମାରିଛି ବୋଲି ସେମାନେ କହିଛନ୍ତି । ବର୍ତ୍ତମାନ ସହରରେ ପିଇବା ପାଣିର ସମସ୍ୟା ବଢୁଥିବା ବେଳେ ଦିନକୁ ଦିନ ନଦୀ ଜଳ ପ୍ରଦୂଷିତ ମାତ୍ରା ବଢୁଥିବାରୁ ଚିନ୍ତାରେ ସରକାର ।

ବନାରସର ହିନ୍ଦୁ ବିଶ୍ୱବିଦ୍ୟାଳୟର ଛାତ୍ରମାନଙ୍କ କହିବା ଅନୁସାରେ ଯୋଜନା କଲେ କେବଳ ହେବ ନାହିଁ । ତାହାକୁ କିପରି ଭାବରେ ସଫଳ ରୂପାୟନ କରାଯିବ ତାହା ଉପରେ ମଧ୍ୟ ଧ୍ୟାନ ଦେବାର ଆବଶ୍ୟକତା ରହିଛି । ଆଉ କିଛି ଛାତ୍ରଙ୍କ କହିବା ଅନୁସାରେ ଆଗ ଅପେକ୍ଷା ନଦୀ ଅନେକ ମାତ୍ରାରେ ସଫା ହୋଇଛି ।

ତେବେ ପ୍ରସିଦ୍ଧ ଦଶ୍ୱାଶମେଧ ଘାଟରେ ଅନେକ ଲୋକ ନିଜ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ପିଣ୍ଡ ଦାନ କରନ୍ତି । ତେବେ ଏଠାରେ ମଧ୍ୟ ସ୍ଥିତି ଅସମ୍ଭାଳ ରହିଛି । ଏଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ କୈାଣସି ବି କର୍ମଚାରୀ ସଫା ନିୟମିତ ଭାବେ ସଫା କରୁନାହାନ୍ତି । ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଥିଲେ ମଧ୍ୟ କୈାଣସି କର୍ମଚାରୀ ତାହା ମାନୁନାହାନ୍ତି  । ତେଣୁ ଏଠାରେ ସରକାରଙ୍କ ନିର୍ଦ୍ଦେଶକକୁ ଖୁଲମଖୁଲା ଅବମାନନା କରାଯାଉଛି ବୋଲି ସେଠାକାର ସ୍ଥାନୀୟ ବାସିନ୍ଦା କହିଛନ୍ତି ।

ଗଙ୍ଗା ନଦୀର ଜଳ ଅତ୍ୟଧିକ ପ୍ରଦୂଷିତ ରହିଛି । ନିୟମ ଅନୁସାରେ ପ୍ରତି ୧୦୦ ଲିଟର ପାଣିରେ ୫୦୦ ରୁ ଅଧିକ ବ୍ୟାକ୍ଟେରିଆ ରହିବା କଥା ନୁହେଁ । କିନ୍ତୁ ଅସ୍ତି ଘାଟରେ ୧,୪.୦୦୦, ତୁଳସୀ ଘାଟରେ ୮୮,୦୦, ଦଶ୍ୱାଶମେଧ ଘାଟରେ ୪୦,୦୦୦ ଓ ରାଜଘାଟରେ ୩୪,୦୦୦ ହଜାର ଅଧିକ ବ୍ୟାକ୍ଟେରିଆ ରହିଛି ।

ସାଧାରଣ ଭାବରେ ପ୍ରତି ୧ ଲିଟର ପାଣିରେ ୫ ମିଲିଗ୍ରାମ ବାୟୋଓକ୍ସିଜେନ ଡିମାଣ୍ଡ ରହିବା କଥା କିନ୍ତୁ ଅସ୍ତି ଘାଟରେ ୧୨.୮ ,ତୁଳସୀ ଘାଟରେ ୯.୬, ଦଶ୍ୱାଶମେଧ ଘାଟରେ ୬.୦ ଓ ରାଜଘାଟରେ ୭.୦ ରହିଛି ।

ଲୋକମାନଙ୍କୁ ନଦୀର ଜଳକୁ ପ୍ରଦୂଷଣ ନ କରିବା ଲାଗି ସଚେତନ କରାଇବା ପରେ ମଧ୍ୟ କୈାଣସି ସଫଳତା ମିଳିପାରି ନାହିଁ । ନାଳ ଗୁଡିକ ଆସି ନଦୀରେ ମିଶୁଥିବାରୁ ଏହା ଅପରିଷ୍କାର ହେଉଛି ବୋଲି ଲୋକମାନେ କହିଛନ୍ତି ।

କାନପୁରରେ ଚାଲିଥିବା ଚମଡା କାରବାରକୁ ବନ୍ଦ କରାଯିବା ପରେ ମଧ୍ୟ ଚମଡା କାରବାର ଚାଲୁ ରହିଛି । ଫଳରେ ଚମଡାର କିଛି ଅଂଶ ଆସି ପାଣିରେ ମିଶୁଛି ତେଣୁ ପାଣି ଅଧିକ ଖରାପ ହେଉଛି । ଜଳସଂପଦ ମନ୍ତ୍ରୀ ବଦଳି ଗଲେ କିନ୍ତୁ ନଦୀର ଜଳରେ କିଛ ପରିବର୍ତ୍ତନ ହେଇ ନାହିଁ । ଯଦି ଏପରି ଭାବରେ ପାଣି ପ୍ରଦୂଷିତ ହେବ ତେବେ ଆଗକୁ ପରିସ୍ଥିତି ଭୟଙ୍କର ହେବ । ନମାମୀ ଗଙ୍ଗା ଯୋଜନାକୁ ନେଇ ବିରୋଧୀମାନେ କଟାକ୍ଷ କଲେଣି । ତେବେ ଆଗକୁ ଦେଖାଯାଉ କିପରି ଭାବରେ ନଦୀକୁ ପରିଷ୍କାର କରାଯାଉଛି ।