ଅନାହାର ଓ ଅପପୁଷ୍ଟିର କାହାଣୀକୁ ନେଇ ନଗଡା ଗାଁ : ନଗଡାର ଦୁଃଖକୁ ପାଖରୁ ଦେଖିଥିଲା କନକ ନ୍ୟୁଜ ଟିମ୍

67

ନଗଡା : ଯାଜପୁର ଜିଲ୍ଲାର ସଦର ମହକୁମା ଠାରୁ ୬୫ କିଲୋମିଟର ରାସ୍ତା। ସୁକିନ୍ଦା ବ୍ଲକ୍ ଚିଙ୍ଗୁଡିପାଳ ପଂଚାୟତର ନଗଡା ଗାଁ । ଡୁବୁରୀ , ସୁକିନ୍ଦା ପରେ କାଳିଆପାଣି ହାଟ ଦେଇ କନକ ନ୍ୟୁଜର ମିଶନ୍ ନଗଡା ଆଗକୁ ମାଡି ଚାଲିଥିଲା। ହେଲେ କାଳିଆପାଣି ହାଟ ଠାରୁ କିଛି ବାଟ ଯିବା ପରେ ସରିଯାଇଥିଲା ରାସ୍ତା। ଆଉ ଏଇଠୁ ଆରମ୍ଭ ହୋଇଥିଲା ନଗଡାକୁ ପଡିଥିବା ମୃତ୍ୟୁର ସେତୁ । ଅଜଣା ଜଙ୍ଗଲ । ଆଦିବାସୀଙ୍କ ପାଦ ଯେଉଁଠି ପଡିଛି , ସେଇଠି ତିଆରି ହୋଇଛି ରାସ୍ତା । ଆଉ ସେ ରାସ୍ତାକୁ ଅତିକ୍ରମ କରି ନଗଡାରେ ପହଂଚିବାକୁ ଆମର ସ୍ପେଶାଲ ଟିମ୍ ଆରମ୍ଭ କରିଥିଲା ଅଭିଯାନ। ମାଟି ତଳେ ପ୍ରାଚୁର୍ଯ୍ୟ , ଆଖି ଚାରିପାଖରେ ପ୍ରକୃତି । ଲଗାଣ ବର୍ଷାର ଆତଙ୍କ ଭିତରେ ଅଭିଶପ୍ତ ଶିଶୁଙ୍କ ପାଖରେ ପହଂଚିବାକୁ ଆମ ଟିମ୍ ଆଗକୁ ଆଗକୁ ମାଡି ଚାଲିଥିଲା।

ନିର୍ଜନ ଘଂଚ ଜଙ୍ଗଲ । ପାଦେ ପାଦେ ବିପଦ । ହାତ ଧରାଧରି ହୋଇ ଆମ ଟିମ୍ ଆଗକୁ ମାଡି ଚାଲିଥିଲା । ହେଲେ ପାହାଡି ନଈର ଗୋଳି ପାଣି ଖୁବ୍ ଡରାଇଥିଲା । କାରଣ ବର୍ଷା ପାଇଁ ନଈର ସ୍ରୋତ ଯେମିତି ଲଗାମ ଛଡା ହୋଇଯାଇଥିଲା । ସମତଳ ରାସ୍ତା ପାରି ହେବା ବେଳକୁ ମଧ୍ୟାହ୍ନ ୧୨ଟା । ତଥାପି ବି ନଗଡା ଗାଁ ଦିଶୁନଥାଏ । ସାତକୁଲିଆ ଓ କମାରୁଣୀ , ଏହି ଦୁଇ ପାହାଡ ମଝିରେ ନଗଡା ଗାଁ । ଦୁମ୍ ଦୁମ୍ ବର୍ଷାରେ ଖସଡା ପାହାଡ ଚଢି ଗାଁ ମୁଣ୍ଡରେ ଓହ୍ଲାଇଲା ଆମ ଟିମ୍ । ପ୍ରାୟ ୫ ଘଂଟା ପରେ ପାଦ ପଡିଥିଲା ନିଖୋଜ ହୋଇ ପଡିଥିବା ନଗଡା ଗାଁରେ । ୧୪ଟି ଖଣି ଓ ୧୦ଟି କାରଖାନା । ଓଡିଶା ଅର୍ଥନୀତିର ପ୍ରଗତିର ସାରଥୀ ଯାଜପୁର ଜିଲ୍ଲା। ହେଲେ ଦୀପତଳ ଅନ୍ଧାର ଭଳି ନଗଡାର ସ୍ଥିତି-ପରିସ୍ଥିତି । ମାସକୁ ଥରେ ପାହାଡ ଚଢି , ପାହାଡ ଓହ୍ଲାଇ ଗାଁ ଲୋକେ ଆସନ୍ତି ସରକାରଙ୍କ ଟଙ୍କିକିଆ ଚାଉଳ ନେବାକୁ । ରୋଗ ବଇରାଗ ହେଲେ କଥା ସରିଲା । ଗାଁରେ ମାଳମାଳ ପିଲା। ସ୍ୱାସ୍ଥ୍ୟକେନ୍ଦ୍ର କଥା ଛାଡନ୍ତୁ , ଅଙ୍ଗନୱାଡି କେନ୍ଦ୍ରଟିଏ ନାହିଁ ଗାଁରେ ।

ପାହାଡ ଖୋଳିଲେ ମୂଲ୍ୟବାନ କ୍ରୋମାଇଟ୍ । ହେଲେ ପାହାଡ ଉପରେ ଅଭାବି ଚରିତ୍ରଙ୍କ ଭିଡ। ୟାରି ଭିତରେ ଅନାହାର ଓ ଅପପୁଷ୍ଟି କାହାଣୀକୁ ନେଇ ନଗଡା ଗାଁ। ଯେଉଁଠି ମଡକ ପଡିଲେ ମିଡିଆ ପହଂଚେ। ଆଉ ସରକାର ଟିଭି ପରଦାରେ କରୁଣ ଚିତ୍ରକୁ ଦେଖି ପ୍ରସ୍ତୁତ କରନ୍ତି ଯୋଜନା।