ଦିଲ୍ଲୀରେ ମୋଦି ଓ ନରସିଂହଙ୍କୁ ସାକ୍ଷାତ ନେଇ ନବୀନଙ୍କ ପ୍ରତିକ୍ରିୟା : କହିଲେ, ବିଜେପି ଓ କଂଗ୍ରେସଠାରୁ ସମଦୂରତା ରକ୍ଷା କରୁଛି ବିଜେଡି

37

କନକ ବ୍ୟୁରୋ : ଦିଲ୍ଲୀରେ ମୋଦି ଓ ନରସିଂହଙ୍କୁ ସାକ୍ଷାତ ନେଇ ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନବୀନ କହିଛନ୍ତିି, ନରସିଂହ ମୋତେ ଦେଖା କରିବା ପାଇଁ ଆସିଥିଲେ । ହକି କାର୍ଯ୍ୟକ୍ରମ ପୂର୍ବରୁ ୫ମିନିଟ ପାଇଁ ବିରୋଧୀ ଦଳ ନେତା ନରସିଂହ ମିଶ୍ରକୁ ଭେଟିଥିଲେ ବୋଲି କହିଛନ୍ତି ନବୀନ । ସାକ୍ଷାତର ପଛରେ ସେପରି କୌଣସି ଉଦ୍ଦେଶ୍ୟ ନାହିଁ ।  ସେପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟି ‘ଦ ଟଲ୍ ମ୍ୟାନ’ ପୁସ୍ତକ ଦେଇଥିଲେ ବୋଲି କହିଛନ୍ତି । ଏହାସହ ଏବେବି ବିଜେଡି, ବିଜେପି ଓ କଂଗ୍ରେସଠାରୁ ସମଦୂରତା ରକ୍ଷା କରୁଛି ବୋଲି କହିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ୪ଦିନିଆ ଦିଲ୍ଲୀରେ ଗସ୍ତରେ ଯାଇଥିବା ମୁଖ୍ୟମନ୍ତ୍ରୀ ଆଜି ଭୁବନେଶ୍ୱର ଫେରିଛନ୍ତି । ଦିଲ୍ଲୀରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କୁ ସାକ୍ଷାତ କରିବା ସହ ବିଶ୍ୱକପ ହକି ପାଇଁ ଅୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ।

naveen

ସୂଚନାଯୋଗ୍ୟ ଗତକାଲି ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଥିଲେ ବିରୋଧୀ ଦଳ ନେତା ନରସିଂହ ମିଶ୍ର । ତେବେ ଏହି ସାକ୍ଷାତକୁ ନେଇ ରାଜ୍ୟ ରାଜନୀତିରେ ଝଡ଼ ସୃଷ୍ଟି ହୋଇଥିଲା । ଉଭୟଙ୍କ ସାକ୍ଷାତକୁ ନେଇ ପ୍ରଶ୍ନ ଉଠାଇଥିଲେ ଖୋଦ୍ ବରିଷ୍ଠ କଂଗ୍ରେସ ନେତା ସୁରେଶ ରାଉତରାୟ । ଆଉ ଏହାପଛରେ ରାଜନୀତି ଥାଇପାରେ ବୋଲି ମଧ୍ୟ ସନ୍ଦେହ ପ୍ରକାଶ କରିଥିଲେ ।

ଅନ୍ୟପଟେ ଓଡ଼ିଶା ରାଜ୍ୟପାଳ ଏସସି ଜମିରଙ୍କ ବିରୋଧରେ ଆସିଥିବା ଅଭିଯୋଗ ଉପରେ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି ନବୀନ । ସେ କହିଛନ୍ତି, ସେ ବିଷୟରେ ମୁଁ କିଛି ଜାଣିନାହିଁ । କୁନ୍ଦୁଲି ଘଟଣାରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଘଟଣାର ସ୍ୱଚ୍ଛ ଓ ନରପେକ୍ଷ ତଦନ୍ତ ହେବ । ଏହାବ୍ୟତୀତ ଜାତୀୟ ରାଜନୀତିରେ ବିଜେଡ଼ର ଭୂମିକା ପ୍ରସଙ୍ଗରେ ମଧ୍ୟ ମତ ପ୍ରକାଶ କରିଛନ୍ତି । ବିଜେଡ଼ି ଓଡ଼ିଶାର ଉନ୍ନତି ପାଇଁ ଧ୍ୟାନ ଦେଉଛି ବୋଲି ସେ କହିଛନ୍ତି ।