ଅଯୋଧ୍ୟା ମାମଲାର ନୂଆ ଅଧ୍ୟାୟ : ଆପୋଷ ସମାଧାନ ନେଇ ଆସିଲା ସଂକେତ । ବିବାଦୀୟ ଜମି ଉପରେ ଅଧିକାର ଛାଡିବାକୁ ରାଜି ମୁସଲିମ୍ ପକ୍ଷ, ସୁପ୍ରିମକୋର୍ଟଙ୍କୁ ଜଣାଇଲେ ମଧ୍ୟସ୍ଥତା କମିଟି ।
କନକ ବ୍ୟୁରୋ : ଅଯୋଧ୍ୟା ମାମଲାରେ ନୂଆ ଅଧ୍ୟାୟ ଯୋଡି ହେବାର ସମ୍ଭାବନା ସୃଷ୍ଟି ହୋଇଛି । ଶୁଣାଣି ସରି ଯାଇଛି ଏବଂ ନଭେମ୍ବର ୧୭ ତାରିଖ ସୁଧା ରାୟ ଆସିବ ବୋଲି କୋର୍ଟ କହି ସାରିଛନ୍ତି । କିନ୍ତୁ ଏହା ଭିତରେ ମାମଲାର ଆପୋଷ ସମାଧାନ ନେଇ ଏକ ବଡ ସଂକେତ ସାମନାକୁ ଆସିଛି । ସୁପ୍ରିମକୋର୍ଟ ନିଯୁକ୍ତ କରିଥିବା ମଧ୍ୟସ୍ଥି ପ୍ୟାନେଲ ଦାବି କରିଛି ଯେ ସେମାନେ ସମାଧାନର ବାଟ ପାଇଯାଇଛନ୍ତି । ଏନେଇ ମଧ୍ୟସ୍ଥି ପ୍ୟାନେଲ ସୁପ୍ରିମକୋର୍ଟଙ୍କୁ ଅବଗତ କରିଥିବା ଜଣାପଡିଛି । କୁହାଯାଉଛି ମୁସଲମାନଙ୍କ ପକ୍ଷରୁ ସୁନ୍ନୀ ୱାକଅଫ୍ ବୋର୍ଡ ବିକଳ୍ପ ସ୍ଥାନରେ ମସଜିଦ୍ ନିର୍ମାଣ ପାଇଁ ସହମତି ଦେଇଛି । ଏହା ଛଡା ଅଯୋଧ୍ୟାରେ ଥିବା ସମସ୍ତ ୫୨ଟି ମସଜିଦର ପୁନଃଉଦ୍ଧାର କାମ ସରକାର ହାତକୁ ନେବେ ବୋଲି ସର୍ତ ରଖିଥିବା ଜାତୀୟ ଗଣମାଧ୍ୟମରେ ରିପୋର୍ଟ ହୋଇଛି । ଏହା ବଦଳରେ ଅଯୋଧ୍ୟାରେ ସେହି ବିବାଦୀୟ ମନ୍ଦିର ସ୍ଥଳିକୁ ସେମାନେ ଛାଡିଦେବେ ବୋଲି କହିଥିବା ଜଣାପଡିଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ଆପୋଷ ସମାଧାନ ଆଡକୁ ଯାଉଛି ଅଯୋଧ୍ୟା ଜମି ବିବାଦ ମାମଲା । କାରଣ ବିବାଦୀୟ ଜମି ଉପରୁ ଅଧିକାର ଛାଡି ଦେବାକୁ ପ୍ରସ୍ତାବ ଦେଇଛନ୍ତି ମୁସଲମାନ ପକ୍ଷ । ସୂଚନା ଅନୁସାରେ ମାମଲାର ଆପୋଷ ସାମଧାନ ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ ମଧ୍ୟସ୍ଥତା କମିଟି ବନ୍ଦ ଲଫାପାରେ ଏକ ପ୍ରସ୍ତାବ ଦେଇଛି । କୁହାଯାଉଛି ଏଥିରେ ବିବାଦୀୟ ଜମି ଉପରୁ ମୁସଲମାନ ପକ୍ଷ ଦାବି ଛାଡି ଦେବାକୁ ପ୍ରସ୍ତୁତ ଥିବା ଉଲ୍ଲେଖ ରହିଛି । ସବୁଠାରୁ ବଡକଥା ହେଉଛି ଅଯୋଧ୍ୟା ଜମି ବିବାଦର ଆପୋଷ ସମାଧାନ ପାଇଁ ବାରମ୍ବାର ମଧ୍ୟସ୍ଥତା ପ୍ରୟାସ ବିଫଳ ହୋଇଛି । ଆଉ ଏବେ ଯେତେବେଳେ କୋର୍ଟ ଉଭୟ ପକ୍ଷର ତମାମ ଯୁକ୍ତିର ନିତିଦିନିଆ ଶୁଣାଣି ଶେଷ କରିଛନ୍ତି ଓ ରାୟ ଆସିବାକୁ ଯାଉଛି । ଠିକ ସେତିକିବେଳେ ଏହି ବହୁଚର୍ଚ୍ଚିତ ବିବାଦ ଆପୋଷ ସମାଧାନ ଆଡକୁ ଯାଉଛି ।
ମଧ୍ୟସ୍ଥତା କମିଟିର ନିକଟତମ ସୂତ୍ରକୁ ଆଧାର କରି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି ଯେ, ସମାଧାନ ପାଇଁ ମୁସଲମାନ ପକ୍ଷ ତିନିଟି ପ୍ରସ୍ତାବ ଦେଇଛନ୍ତି ।
ଆପୋଷ ସମାଧାନର ୩ଟି ବିନ୍ଦୁ
– ପ୍ଲେସ ଅଫ ୱର୍ସିପ ସ୍ପେଶାଲ ପ୍ରୋଭିଜନ ଆକ୍ଟ ବା ପୂଜାସ୍ଥଳୀ ସ୍ୱତନ୍ତ୍ର ଅଧିନିୟମ- ୧୯୯୧କୁ କାର୍ଯ୍ୟକାରୀ କରାଯାଉ । କିନ୍ତୁ ଅଯୋଧ୍ୟାର ବିବାଦୟୀ ରାମ ଜନ୍ମଭୂମି-ବାବ୍ରି ମସଜିଦ ସ୍ଥଳରେ ଏହି ଅଧିନିୟମ ଲାଗୁ ହେଉନାହିଁ
– ଅଯୋଧ୍ୟାରେ ଥିବା ସମସ୍ତ ମସଜିଦର ମରାମତି ଓ ପୂନରୁଦ୍ଧାର କାର୍ଯ୍ୟ ସରକାର ହାତକୁ ନେଲେ, ମୁସଲମାନ ପକ୍ଷ ଦାବି ଛାଡିଦେବାକୁ ରାଜି । ତେବେ ଉତ୍ତର ପ୍ରଦେଶର ଅନ୍ୟ କୌଣସି ବିକଳ୍ପ ସ୍ଥାନରେ ମସଜିଦ ନିର୍ମାଣ ପାଇଁ ସୁନି ୱାକଫ ବୋର୍ଡକୁ ଅନୁମତି ଦିଆଯିବ
– କୋର୍ଟଙ୍କ ଦ୍ୱାରା ନିଯୁକ୍ତ ଏକ କମିଟି ଦ୍ୱାରା ମୁସଲମାନ ପକ୍ଷକୁ ଶୁଣିବା ପରେ, ଏଏସଆଇ ପରିଚାଳିତ କେତେକ ମସଜିଦକୁ ଚୟନ କରି ନମାଜ ପାଠ ପାଇଁ ଅନୁମତି ପ୍ରଦାନ କରାଯିବ
ବିବାଦୀୟ ଜମିରେ ରାମ ମନ୍ଦିର ନିର୍ମାଣ ହେଲେ କିଛି ଆପତି ନାହିଁ ବୋଲି ମୁସଲମାନ ପକ୍ଷ ପ୍ରସ୍ତାବ ଦେଇଥିବା ମଧ୍ୟସ୍ଥତା କମିଟିର ତାର ରିପୋର୍ଟରେ ଉଲ୍ଲେଖ କରିଛି । ମାମଲାର ଶୁଣାଣି ଶେଷ ହୋଇଥିଲେ ବି ସୁପ୍ରିମକୋର୍ଟଙ୍କ ସାମ୍ବିଧାନିକ ଖଣ୍ଡପୀଠ ଏହି ପ୍ରସ୍ତାବ ଉପରେ ବିଚାର କରିବାକୁ ରୁଦ୍ଧଦ୍ୱାର ବୈଠକ କରୁଛି । ଅଯୋଧ୍ୟାରେ ବିବାଦୀୟ ୨.୭୭ ଏକର ବିବାଦୀୟ ଜମିକୁ ନେଇ ୨୦୧୦ରେ ଆସିଥିଲା ଆହ୍ଲାବାଦ ହାଇକୋର୍ଟଙ୍କ ରାୟ । ଜମିକୁ ନିର୍ମୋହୀ ଆଖଡା, ସୁନି ୱାକଫ ବୋର୍ଡ ଏବଂ ରାମ ଲଲ୍ଲା ବିରାଜମାନ ମଧ୍ୟରେ ସାମନ ସମାନ ଭାଗ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ହେଲେ କୋର୍ଟଙ୍କ ଏହି ରାୟ ବିରୋଧରେ ପୃଥକ ପୃଥକ ୧୪ଟି ଆବେଦନ ତିନିଟି ସିଭିଲ ସୁଟ୍ ଆକାରରେ ସୁପ୍ରିମକୋର୍ଟଙ୍କ ନିକଟକୁ ଆସିଥିଲା । ବିବାଦର ନ୍ୟାୟିକ ସମାଧାନ ପୂର୍ବରୁ ସୁପ୍ରିମକୋର୍ଟ ଜଜ ଏଫଏମ କଲିଫୁଲ୍ଲା, ବରିଷ୍ଠ ଆଇନଜୀବୀ ଶ୍ରୀରମ ପଂଚୁ ଓ ଆଧ୍ୟାତ୍ମିକ ଗୁରୁ ଶ୍ରୀଶ୍ରୀ ରବିଶଙ୍କରଙ୍କୁ ନେଇ ଏକ ମଧ୍ୟସ୍ଥତା କମିଟି ଗଠନ କରାଯାଇଥିଲା ।
ତେବେ କୌଣସି ସମାଧାନର ବାଟ ନବାହାରିବାରୁ ଅଗଷ୍ଟ ୨ ତାରିଖରୁ ମାମଲାର ନିତିଦିନିଆ ଶୁଣାଣି କରିଥିଲେ ସୁପ୍ରିମକୋର୍ଟ । ଜବାବ ସୁଆଲ ଭିତରେ ହିନ୍ଦୁ ପକ୍ଷ ପୌରାଣିକ ମତ ଓ ମୁସଲମାନ ପକ୍ଷ ଏତିହାସିକ ପ୍ରମାଣଠାରୁ ଆରମ୍ଭ କରି ସରକାରୀ ଦସ୍ତାବିଜ ସବୁ ଉପସ୍ଥାପନ କରିଥିଲେ । ଆଉ ଏବେ ଏହି ବହୁ ଚର୍ଚ୍ଚିତ ବିବାଦର ସମାଧାନ ହେବାକୁ ଯାଉଛି ।