ଅନୁମୋଦନ ପାଇଲା ମୋଟର ଭେଇକିଲ୍ ଆମେଣ୍ଡମେଂଟ୍ ବିଲ୍ : ଏଣିକି ଟ୍ରାଫିକ୍ ନିୟମ ଉଲ୍ଲଂଘନ ପଡିପାରେ ମହଙ୍ଗା

20

କନକ ବ୍ୟୁରୋ : ଟ୍ରାଫିକ୍ ନିୟମ ଭଙ୍ଗକାରୀ ସାବଧାନ୍ । ଏଣିକି ଟ୍ରାଫିକ୍ ନିୟମ ଉଲ୍ଲଂଘନ ପଡିପାରେ ମହଙ୍ଗା । କେନ୍ଦ୍ର କ୍ୟାବିନେଟରେ ଅନୁମୋଦନ ଲାଭ କରିଛି ମୋଟର ଭେଇକିଲ ଆମେଣ୍ଡମେଂଟ ବିଲ୍ ୨୦୧୬। ଏହି ସଂଶୋଧିତ ବିଲ୍ ଅନୁଯାୟୀ ଟ୍ରାଫିକ୍ ନିୟମ ମାନୁନଥିବା ଲୋକଙ୍କ ପାଇଁ ଅଧିକ ଜରିମାନାର ବ୍ୟବସ୍ଥା ରହିଛି । ବିଶେଷ କରି ମଦ ପିଇ ଗାଡି ଚଳାଉଥିବା ଲୋକଙ୍କୁ ସର୍ବାଧିକ ୧୦ ହଜାର ଟଙ୍କା ଜରିମାନାର ଭରିବାକୁ ପଡିବ। ମଦ ପିଇ ଗାଡି ଚଳାଇବା ଯୋଗୁ ହେଉଥିବା ମୃତ୍ୟୁହାର ରୋକିବାକୁ ଟ୍ରାଫିକ୍ ଆଇନରେ ଏପରି ସଂଶୋଧନ ଅଣାଯାଇଛି । ସେହିପରି ଦ୍ରୁତ ଗତିରେ ଗାଡି ଚଳାଇଲେ ଦେବାକୁ ପଡିବ ହଜାରେ ଟଙ୍କାରୁ ୪ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନାର । ବିନା ଇନସ୍ୟୁରାନ୍ସରେ ଗାଡି ଚଳାଇଲେ ମଧ୍ୟ ୨ ହଜାର ଟଙ୍କା ଜରିମାନାର କିମ୍ବା ୩ ମାସ ଜେଲ୍ ଦଣ୍ଡର ବ୍ୟବସ୍ଥା ରହିଛି । ଏହା ସହ ବିନା ହେଲମେଟରେ ଗାଡି ଚାଳକଙ୍କୁ ୨ ହଜାର ଟଙ୍କା ଫାଇନ୍ ସହ ୩ ମାସ ପାଇଁ ଲାଇସେନ୍ସ ସସପେଣ୍ଡ କରାଯିବ । ସେହିପରି ନାବାଳକ ନିୟମ ଭଙ୍ଗକାରୀଙ୍କ ପାଇଁ ଅଭିଭାବକ କ୍ଷମା ମାଗିବା ସହ ଗାଡି ରେଜିଷ୍ଟ୍ରେସନ୍ କ୍ୟାନସେଲ୍ କରାଯିବ । ଏହାସହ ହିଟ୍ ଆଣ୍ଡ ରନ୍ କେସ୍ ବୃଦ୍ଧିକୁ ଦୃଷ୍ଟିରେ ରଖି ଆହତଙ୍କୁ କ୍ଷତିପୂରଣ ରାଶି ମଧ୍ୟ ୨୫ ହଜାରରୁ ୨ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି । ତେବେ ଯଦି ଏଥିରେ ମୃତ୍ୟୁ ହୁଏ ତେବେ ମୃତ ବ୍ୟକ୍ତିଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କ୍ଷତିପୂରଣ ରାଶି ମିଳିପାରିବ ବୋଲି ନୂଆ ବିଲରେ ବ୍ୟବସ୍ଥା ରହିଛି ।