ବୋହୁକୁ ଆଇଏଏସ୍ କରିବା ପାଇଁ ସଂଘର୍ଷ କରୁଛନ୍ତି ଶାଶୁ ! ଟଙ୍କା ଯୋଗାଡ଼ କରିବା ପାଇଁ କରୁଛନ୍ତି ମଜୁରି କାମ

83

ଶାଶୁ ବୋହୁ ଝଗଡ଼ା ବିଷୟରେ ଆପଣ ଅନେକ କଥା ଶୁଣିଥିବେ । କେତେବେଳେ ଯୌତୁକ ପାଇଁ ଆଉ କେତେବେଳେ ଘରକଥାକୁ ନେଇ ଶାଶୁବୋହୁ ମଧ୍ୟରେ ଝଗଡ଼ା ହୁଏ । ଅନେକ ସମୟରେ ଶାଶୁମାନେ ଯୌତୁକ ପାଇଁ ବୋହୁଙ୍କୁ ମାରିଦେବାର ମଧ୍ୟ ଅନେକ ନଜିର ରହିଛି । ତେବେ ସମସ୍ତଙ୍କ ମନରେ ଥାଏ ଶାଶୁମାନେ ଭଲ ନୁହଁନ୍ତି । କିମ୍ବା ଏହି ଶବ୍ଦ ଯେପରି ବୋହୂମାନଙ୍କର ସବୁଠାରୁ ବଡ଼ ଶତ୍ରୁ । କିନ୍ତୁ ଏପରି ଧାରଣା ରଖିବା ବିଲକୁଲ ଭୁଲ । କାରଣ ସମସ୍ତେ ଖରାପ ନୁହଁନ୍ତି । କିମ୍ବା ସମସ୍ତ ଶାଶୁ ବୋହୁଙ୍କୁ ନିର୍ଯାତନା ଦିଅନ୍ତି ନାହିଁ । ଏପରି କିଛି ଦେଖିବା ପାଇଁ ମିଳିଛି ହରିୟାନା ଜିଲ୍ଲାରେ ।

 

 

 

 

 

 

ହରିୟାନାର ଏକ ଛୋଟ ଗାଁ କୌଲେଖାଂ ଗାଁର ଜଶେ ଶାଶୁ ବୋହୁ ପାଇଁ କରୁଛନ୍ତି ମଜୁରି କାମ । ନିଜ ବୋହୁକୁ ଆଇଏଏସ୍ କରିବା ଲକ୍ଷ୍ୟରେ ସଂଘର୍ଷ କରୁଛନ୍ତି ଶାଶୁ । ୬୦ ବର୍ଷୀୟ ପ୍ରକାଶୋ ଦେବୀ ଘର ରଙ୍ଗ ଦେବାର କାମ କରୁଛନ୍ତି । ତେବେ ପ୍ରକାଶୋ ଦେବୀ ଓ ତାଙ୍କ ପୁଅ ଦଲଜିତ୍ ସିଂ କଠିନ ପରିଶ୍ରମ କରି ଟଙ୍କା ଯୋଡ଼ୁଛନ୍ତି । ବୋହୁକୁ ଆଇଏଏସ୍ କରିବା ଲକ୍ଷ୍ୟରେ ତଥା ବୋହୁର ସ୍ୱପ୍ନ ସାକାର କରିବା ପାଇଁ ଶାଶୁ ଦିନ ରାତି ଏକ କରି ଦେଉଛନ୍ତି । ପ୍ରକାଶୋ ଦେବୀଙ୍କ ପୁଅ ମାତ୍ର ମାଟ୍ରିକ ପାଠ ପଢ଼ିଛନ୍ତି । କିନ୍ତୁ ବୋହୁ ଲଜ୍ଜା ମେହରା ଏମଟେକ୍, ପଲିଟେକ୍ନିକ ସହ ଆଉ ଅନେକ ବିଷୟରେ ଉଚ୍ଚଶିକ୍ଷା ହାସଲ କରିଛନ୍ତି ।

ତେବେ ଡକ୍ଟରେଟ୍ ଉପାଧୀ ପାଇଁ ମଧ୍ୟ ଲଜ୍ଜା ମେହରା କଠିନ ପରିଶ୍ରମ କରୁଛନ୍ତି । ସେ ବିଳମ୍ବିତ ରାତି ପର୍ଯ୍ୟନ୍ତ ପାଠ ପଢ଼ିବା ସହ ଶୀଘ୍ର ଉଠି ଶାଶୁଙ୍କୁ ନିତିିଦିନଆ କାମରେ ସାହାଯ୍ୟ କରନ୍ତି । ଆଉ ତା’ପରେ ପାଠ ପଢ଼ିବା ପାଇଁ ଯାଆନ୍ତି । ୨୬ ବର୍ଷୀୟ ଲଜ୍ଜାଙ୍କ କହିବା ଅନୁସାରେ ୧୮ ଜୁନ୍ ୨୧୦୭ରେ ସେ ୟୁପିଏସସି ପ୍ରଥମ ଓ ଦ୍ୱିତୀୟ ପରୀକ୍ଷା ଦେଇସାରିଛନ୍ତି । ଖୁବ ଶୀଘ୍ର ମେନ୍ ପରୀକ୍ଷା ପାଇଁ ରୋଲ ନମ୍ବର ଜାରି ହେବ । ଛୋଟରୁ ହିଁ ଉଚ୍ଚ ଶିକ୍ଷା ପାଇ ଆଇଏଏସ୍ ଅଧିକାରୀ ହେବା ପାଇଁ ସ୍ୱପ୍ନ ଦେଖୁଥିଲେ ଲଜ୍ଜା । ଆଉ ଏଥିରେ ସାହଯ୍ୟ କରୁଛନ୍ତି ସ୍ୱାମୀ ଓ ଶାଶୁ ।

ତେବେ ଦିନ ମଜୁରିଆ ପରିବାରରେ ବିବାହ କରିବା ପରେ ସେ ଚିନ୍ତା କରିନଥିଲେ କି ସେ ଆଉ ପାଠ ପଢ଼ା ଜାରି ରଖିପାରିବେ । ରୋଷେଇବାସ କରି ତାଙ୍କର ଜୀବନ ଅତିବାହିତ ହେବ ବୋଲି ଲଜ୍ଜା ଚିନ୍ତା କରିଥିଲେ । କିନ୍ତୁ ଅଶିକ୍ଷିତ ହେବା ପରେ ମଧ୍ୟ ତାଙ୍କ ଶାଶୁ ତାଙ୍କୁ ପାଠ ପଢ଼ିବା ପାଇଁ ଉତ୍ସାହିତ କରିଥିଲେ । ଉଚ୍ଚଶିକ୍ଷା ହାସଲ କରିଥିବା ଲଜ୍ଜା କହିଛନ୍ତି ପାଠ ପଢ଼ିବା ପାଇଁ ଘର କିମ୍ବା ଅନ୍ୟ କାମ ଛାଡ଼ିବା କିଛି ଦରକାର ନାହିଁ । କାମ କରି ମଧ୍ୟ ନିଜ ଲକ୍ଷ୍ୟସ୍ଥଳରେ ପହଞ୍ଚହେବ । ତେବେ ଏଥିପାଇଁ ନିଜ ଲୋକଙ୍କ ସାହାଯ୍ୟ ସହଯୋଗ ଜରୁରୀ । ଯେପରି ତାଙ୍କୁ ତାଙ୍କ ଶାଶୁ ଓ ସ୍ୱାମୀ କରୁଛନ୍ତି ।