ରାଜଧାନୀରେ ମା’ଙ୍କ ପାଇଁ ବଜେଟ ୨୫ କୋଟି ! ବଡ ବଡ ତୋରଣ ସାଙ୍ଗକୁ ରଙ୍ଗବେରଙ୍ଗ ଲାଇଟରେ ଝଲସିବ ଭୁବନେଶ୍ୱର

260

କନକ ବ୍ୟୁରୋ : ପାର୍ବଣ ଋତୁ ଆରମ୍ଭ ହୋଇ ସାରିଛି । ସାରା ରାଜ୍ୟରେ ଏବେ ଉତ୍ସବର ମାହୋଲ । ଏହାପରେ ଚାହୁଁ ଚାହୁଁ ଆସିଯିବ ଦଶହରା। ଝଲସିବ ରାଜଧାନୀ। ଆଖି ପାଉ ନଥିବା ବିସ୍ତୃତ ତୋରଣ ଏବଂ ଅବିଶ୍ୱାସନୀୟ ନିର୍ମାଣ ଶୈଳୀରେ ଚକମା ଦେଖାଇବା ପାଇଁ ରାଜଧାନୀର ପୂଜା କମିଟିମାନେ ଯେମିତି ପଣ କରିଛନ୍ତି। ଦଶହରା ପାଇଁ କଟକ ପ୍ରସିଦ୍ଧି ଅର୍ଜନ କରିଥିବା ବେଳେ ତୋରଣରେ ବାଜିମାତ କରିବ ରାଜଧାନୀ ଭୁବନେଶ୍ୱର। ଖାସ୍ ଏଇଥି ପାଇଁ ଖର୍ଚ ହେଉଛି କୋଟିକୋଟି ଟଙ୍କା। ବିଶେଷକରି ତୋରଣରେ ପୂଜା ମଣ୍ଡପମାନେ କୌଣସି ପ୍ରକାର ସାଲିସ୍ କରିବାକୁ ପ୍ରସ୍ତୁତ ନୁହନ୍ତି। ପ୍ରତ୍ୟେକ ମଣ୍ଡପ ଆଖି ଝଲିସିଯିବା ଭଳି ତୋରଣ ପ୍ରସ୍ତୁତ କରୁଛନ୍ତି । ଆଉ ଦିନ କେଇଟା ପରେ ଏହାର ଝଲକ ଦେଖିବେ ରାଜଧାନୀବାସୀ ।

sahid-nagar-2କମିଶନରେଟ୍ ପୁଲିସ୍ ଦେଇଥିବା ହିସାବ ମୁତାବକ ଚଳିତ ବର୍ଷ ରାଜଧାନୀରେ ୧୭୨ ପୂଜା ମଣ୍ଡପରେ ମା’ ପୂଜା ପାଇବେ। କାଁ ଭାଁ ପୂଜା ମଣ୍ଡପକୁ ଛାଡ଼ି ଦେଲେ ରାଜଧାନୀର ପ୍ରତି କୋଣ ଅନୁକୋଣରେ ତୋରଣକୁ ନେଇ ଆରମ୍ଭ ହୋଇଯାଇଛି ପ୍ରତିଯୋଗିତା। ଖାସ୍ ଏଇଥି ପାଇଁ ଏବେ ୬୦୦ରୁ ଊର୍ଧ୍ୱ ବଙ୍ଗୀୟ କାରିଗର ଡେରା ପକାଇଛନ୍ତି ସହରର ପୂଜା ମଣ୍ଡପରେ। ତେବେ ବଜେଟରେ ଏଥର ବାଜିମାତ କରିଛି ଝାରପଡ଼ା ଦୁର୍ଗାପୂଜା ସମିତି। ମୋଟ୍ ବଜେଟ୍ ଏଠାରେ ୪୦ ଲକ୍ଷ ଟଙ୍କା ଧାର୍ଯ୍ୟ କରାଯାଇଥିବା ବେଳେ ‘କଳିଙ୍ଗ ଜଙ୍କ୍ସନ୍’ ଥିମ୍ ପାଇଁ କେବଳ ୨୨ ଲକ୍ଷ ଟଙ୍କା ଖର୍ଚ ହେଉଛି। ସାର୍ବଜନୀନ ଦୁର୍ଗାପୂଜା ସମିତି, ପୁରୁଣା ଷ୍ଟେସନ୍ ବଜାରରେ ପୂଜା ବଜେଟ୍ ୩୪ ଲକ୍ଷ ଟଙ୍କା ରହିଥିବା ବେଳେ କେବଳ ଶିରିଡ଼ି ସାଇ ମନ୍ଦିର ଓ ଆଭ୍ୟନ୍ତରୀଣ ଜଗନ୍ନାଥ କାହାଣୀ ତୋରଣ ପାଇଁ ୧୫ଲକ୍ଷରୁ ଊର୍ଧ୍ୱ ଟଙ୍କା ଖର୍ଚ ହେଉଛି। ସହିଦ ନଗର ଦୁର୍ଗାପୂଜା କମିଟିର ବଜେଟ୍ ୩୦ ଲକ୍ଷ ରହିଥିବା ବେଳେ ‘ଥାଇଲାଣ୍ଡ ବୁଦ୍ଧ ମନ୍ଦିର’ ତୋରଣ ପାଇଁ ଖର୍ଚ ହେଉଛି ୧୫ ଲକ୍ଷ ଟଙ୍କା। ରସୁଲଗଡ଼ ଦୁର୍ଗାପୂଜା କମିଟିର ପୂଜା ବଜେଟ୍ ୩୦ ଲକ୍ଷ ଟଙ୍କା ରହିଥିବା ବେଳେ ଏଥର ପ୍ରାକୃତିକ ବନରାଜି ଓ ଦାର୍ଜିଲିଂ ପାହାଡ଼ ସଦୃଶ ତୋରଣ ପାଇଁ ଖର୍ଚ ହେଉଛି ୧୦ ଲକ୍ଷରୁ ଊର୍ଧ୍ୱ ଟଙ୍କା।

lightବମିଖାଲ ଦୁର୍ଗାପୂଜା କମିଟିର କଉଡ଼ି ଓ ଶାମୁକାରେ ନିର୍ମିତ ହେବାକୁ ଯାଉଥିବା ନେପାଳ ରାଜପ୍ରାସାଦ ସୁଦୃଶ୍ୟ ତୋରଣ ପାଇଁ୧୫ ଲକ୍ଷ ଟଙ୍କା ଖର୍ଚ ହେଉଛି। ଏହିଭଳି ବଡ଼ ପୂଜା ମଣ୍ଡପକୁ ଯଦି କେବଳ ହିସାବକୁ ନିଆଯାଏ ତେବେ ପୂଜା ବଜେଟ୍ ୩କୋଟି ଟଙ୍କା ରହିଥିବା ବେଳେ ୨ କୋଟି ପାଖାପାଖି କେବଳ ତୋରଣ ବାବଦରେ ଖର୍ଚ ହୋଇଛି। ୨୫ରୁ ଊର୍ଧ୍ୱ ପୂଜା ମଣ୍ଡପ ୨୦ରୁ ୪୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ କରୁଥିବା ବେଳେ ୫୦ରୁ ଊର୍ଧ୍ୱ ପୂଜା ମଣ୍ଡପ ୧୦ ଲକ୍ଷରୁ ଊର୍ଧ୍ୱ ପୂଜା ବଜେଟ୍ ଅଟକଳ କରିଛନ୍ତି। ଅନ୍ୟାନ୍ୟ ପୂଜା ମଣ୍ଡପଗୁଡ଼ିକ ୫ଲକ୍ଷରୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପୂଜା ବାବଦରେ ବ୍ୟୟ କରିବେ ବୋଲି ସୂଚନା ମିଳିଛି। ଯଦି ୧୭୨ ପୂଜା ମଣ୍ଡପକୁ ହିସାବକୁ ନିଆଯାଏ ତେବେ ପୂଜା ବଜେଟ୍ ୨୫ କୋଟି ଟପିବ ବୋଲି ଆକଳନ କରାଯାଇଛି। ପୂଜା ବଜେଟର ସିଂହ ଭାଗ ଖର୍ଚ ହେଉଛି ତୋରଣରେ। ଏଥର ଆହୁରି ଅନେକ ପୂଜା ମଣ୍ଡପ ବି ତୋରଣ ପ୍ରତିଯୋଗିତାରେ ନିଜକୁ ସାମିଲ୍ କରିଥିବା ବେଳେ ରାଜଧାନୀର ପୂଜା ବଜେଟ୍ ହୁ ହୁ ହୋଇ ବଢ଼ିବାରେ ଲାଗିଛି।

ସେହିଭଳି ଷ୍ଟେସନ ବଜାରର ଶୋଭା ବଢାଇବା ମା’ଙ୍କ ଚାନ୍ଦି ମେଢ । ଏଠାରେ ମା’ଙ୍କ ଚାନ୍ଦି ମେଢ଼ ୨ କୁଇଣ୍ଟାଲ୍ ଚାନ୍ଦିରେ ପ୍ରସ୍ତୁତ ହୋଇଥିବା ବେଳେ ମା’ ୭୫୦ ଗ୍ରାମର ସୁନା ଅଳଙ୍କାର ପରିଧାନ କରିବେ। ସେହିପରି ସହିଦନଗରରେ ୩ କୁଇଣ୍ଟାଲ୍ ରୁପାରେ ମେଢ଼ ପ୍ରସ୍ତୁତ କରାଯାଇଛି। ଅନେକ ସ୍ଥାନରେ ରୁପା ଓ ସୁନା ଅଳଙ୍କାରରେ ମା’ଙ୍କୁ ଭୂଷିତ କରାଯିବାକୁ ଥିବା ବେଳେ ମେଢ଼ରେ କଟକର ତାରକାସି କାରିଗର ଓ ଜରି ମେଢ଼ ପାଇଁ ଶହଶହ କାରିଗର ନିୟୋଜିତ ହୋଇଛନ୍ତି। ସେହିପରି ଭସାଣି ଶୋଭାଯାତ୍ରାରେ ମଧ୍ୟ ପୂଜାମଣ୍ଡପଗୁଡ଼ିକ ମଧ୍ୟରେ ଜୋରଦାର ଟକ୍କର୍ ହେଉଛି। କେହି କାହାକୁ ଛାଡ଼ିବା ପରିସ୍ଥିତିରେ ନାହାନ୍ତି। ଏଥିପାଇଁ ମଧ୍ୟ ହାତଖୋଲା ବଜେଟ୍ ପ୍ରସ୍ତୁତ ହୋଇଛି। ଏସବୁ ଭିତରେ ଶାରଦୀୟ ଦୁର୍ଗାପୂଜାକୁ ଅପେକ୍ଷା ।