କଣ ରହିଛି ଦେଶର ମୁଡ୍: ନିର୍ବାଚନ ହେଲେ କିଏ ମାରିବ ବାଜି? ଇଣ୍ଡିଆ ଟୁଡେ ସର୍ଭେରେ କମିବ ଏନଡିଏର ଆସନ

31

କନକ ବ୍ୟୁରୋ: ଆଜି ଯଦି ଦେଶରେ ନିର୍ବାଚନ ହୁଏ ଏନଡିଏର ଆସନ ସଂଖ୍ୟା କମିବ । ଇଣ୍ଡିଆ ଟୁ-ଡେ ପକ୍ଷରୁ ଜୁଲାଇ ୨୦୧୮ ମାସରେ କରାଯାଇଥିବା ଜନମତ ସର୍ଭେରୁ ଏହା ଜଣାପଡିଛି । ସର୍ଭେ ଅନୁଯାୟୀ ଯଦି ଆଜି ଦେଶରେ ନିର୍ବାଚନ କରାଯାଏ ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଜାତୀୟ ଗଣତାନ୍ତ୍ରୀକ ମେଂଟ ବା ଏନଡିଏ ୨୦୧୯ରେ କ୍ଷମତା ବଜାୟ ରଖିବାରେ ସକ୍ଷମ ହେବ । କିନ୍ତୁ ଆସନ ସଂଖ୍ୟା ପୂର୍ବ ତୁଳନାରେ କମିବ । ସେହିପରି ଯଦି କଂଗ୍ରେସ, ସମାଜବାଦୀ ପାର୍ଟି, ବହୁଜନ ସାମଜବାଦୀ ପାର୍ଟି, ଜେଡିଏସ୍ ଓ ତୃଣମୂଳ କଂଗ୍ରେସ ମହାମେଂଟ କରି ନିର୍ବାଚନ ଲଢ଼ନ୍ତି ତେବେ ଝୁଲା ଲୋକସଭା ହେବାର ସମ୍ଭାବନା ରହିଛି ।

ଇଣ୍ଡିଆ ଟୁ-ଡେ ମୁଡ୍ ଅଫ୍ ଦ ନେସନ ପକ୍ଷରୁ ଯେଉଁ ସର୍ଭେ କରାଯଇଛି ସେଥିରେ ତିନି ପ୍ରକାର ପୂର୍ବାନୁମାନ କରାଯାଇଛି । ପ୍ରଥମ ପୂର୍ବାନୁମାନ ଅନୁସାରେ କୁହାଯାଇଛି ୫୪୩ ସଭ୍ୟ ବିଶିଷ୍ଟ ଲୋକସଭା ନିର୍ବାଚନରେ ଏନଡିଏକୁ ୨୧୮ ଆସନ ମିଳିବ । ଏବଂ ଏନଡିଏକୁ ୩୬ପ୍ରତିଶତ ଭୋଟ ମିଳିବ । ସେହିପରି ସମାଜବାଦୀ ପାର୍ଟି, ବହୁଜନ ସମାଜବାଦୀ ପାର୍ଟି ,ଏବଂ ତୃଣମୂଳ କଂଗ୍ରେସ ନମିଶିଲେ ୟୁପିଏକୁ ୧୨୨ଟି ଆସନ ମିଳିବ । ଏଥିରେ ୟୁପିଏକୁ ୩୧ ପ୍ରତିଶତ ଭୋଟ୍ ମିଳିବ । ଅନ୍ୟମାନଙ୍କୁ ୧୪୦ଟି ଆସନ ଓ ୩୩ଭାଗ ଭୋଟ ମିଳିପାରେ । ଦ୍ୱିତୀୟ ପୂର୍ବାନୁମାନ ଅନୁସାରେ ଯଦି ୟୁପିଏରେ ସମାଜବାଦୀ ପାର୍ଟି, ବିଏସପି ଏବଂ ତୃଣମୂଳ କଂଗ୍ରେସ ମିଶନ୍ତି ତେବେ ୟୁପିଏକୁ ୨୨୪ ଏବଂ ଏନଡିଏକୁ ୨୨୮ଟି ଆସନ ମିଳିବ ।

ଅନ୍ୟମାନଙ୍କୁ ୯୧ଟି ଆସନ ମିଳିପାରେ । ତୃତୀୟ ପୂର୍ବାନୁମାନ ଅନୁସାରେ ଏଆଇଡିଏମକେ ଓ ୱାଇଏସଆର କଂଗ୍ରେସ ଏନଡିଏରେ ସାମିଲ ହେଲେ ଏନଡିଏ ୨୫୫ଟି ଆସନ ଜିତିବ । ଏବଂ ୪୧ ଭାଗ ଭୋଟ ମିଳିବ । ଏନଡିଏକୁ ବିଜେଡି ଓ ଟିଆରଏସ୍ ସମର୍ଥନ କଲେ ଆସନ ସଂଖ୍ୟା ୨୮୨ ହେବ ବୋଲି ସର୍ଭେରେ କୁହାଯାଇଛି । ଗତ ନିର୍ବାଚନରେ ବିଜେପିକୁ ଏକାକୀ ୨୮୨ଟି ଆସନ ମିଳିଥିଲା । ତେବେ ପ୍ରଧାନମନ୍ତ୍ରୀ ପଦ ପାଇଁ ନରେନ୍ଦ୍ର ମୋଦି ସବୁଠାରୁ ଲୋକପ୍ରିୟ ଥିବା ସର୍ଭେରେ କୁହାଯାଇଛି । ତାଙ୍କୁ ୪୯ ପ୍ରତିଶତ ଲୋକ ପସନ୍ଦ କରିଥିବାବେଳେ ୨୭ ଭାଗ ଲୋକ ରାହୁଲ ଗାନ୍ଧିଙ୍କୁ ପସନ୍ଦ କରିଛନ୍ତି ।