ସରିଲା ମୌସୁମୀ ଅଧିବେଶନ ! ୯ଟି ବିଲକୁ ମିଳିଲା ଅନୁମୋଦନ

34

କନକ ବ୍ୟୁରୋ: ଜୁଲାଇ ୧୭ତାରିଖରୁ ଆରମ୍ଭ ହୋଇଥିବା ସଂସଦର ମୌସୁମୀ ଅଧିବେଶନ ଗତକାଲି ଶେଷ ହୋଇଛି । ଚଳିତ ଅଧିବେଶନରେ ଲୋକସଭାରେ ୧୪ଟି ଓ ରାଜ୍ୟ ସଭାରେ ୯ଟି ବିଲ୍ ଆଗତ ହୋଇଥିଲା । ୨୬ଟି ଅଧିବେଶନର ୧୯ଟି କାର୍ଯ୍ୟ ଦିବସ ମଧ୍ୟରେ ଉଭୟ ଗୃହରେ ମାତ୍ର ୯ଟି ବିଲକୁ ଅନୁମୋଦନ ମିଳିଥିଲା । ତେବେ ଲୋକସଭାରେ ନିର୍ଦ୍ଧାରିତ ସମୟର ୭୦% ଓ ରାଜ୍ୟସଭାରେ ୭୩% କାର୍ଯ୍ୟ ହୋଇଥିବା ପ୍ରକାଶ । ବିନୋଦ ଖାନ୍ନା ଓ ସନଓ୍ଵାର ଲାଲ ଜାଟଙ୍କ ପରଲୋକରେ ଲୋକସଭାରେ ଦୁଇଦିନ କୌଣସି କାର୍ଯ୍ୟ ହୋଇନଥିବାବେଳେ କେନ୍ଦ୍ରମନ୍ତ୍ରୀ ଅନିଲ ମାଧବ ଡାଭେଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ରାଜ୍ୟସଭା ପ୍ରଥମ ଦିନ ମୁଲତବୀ ରହିଥିଲା । ଲୋକସଭାରେ୨୮ ଘଣ୍ଟା ଓ ରାଜ୍ୟସଭାରେ ୨୨ ଘଣ୍ଟା ବିଭିନ୍ନ ବିଲ୍ ସମ୍ପର୍କିତ ଆଲୋଚନା ହୋଇଥିଲା ।

ଶେଷ ପର୍ଯ୍ୟାୟରେ ବିଜେଡି ସାଂସଦମାନେ ସଂସଦ ଭବନ ପରିସରରେ ଥିବା ଗାନ୍ଧୀ ମୂର୍ତ୍ତି ତଳେ ମହାନଦୀ ଜଳବିବାଦ ପ୍ରସଙ୍ଗରେ ଧାରଣା ଓ ପ୍ରତିବାଦ କରିଥିଲେ । ଲୋକସଭାରେ ବିଜେଡି ସାଂସଦମାନେ ଏହାକୁ ନେଇ ହଟ୍ଟଗୋଳ କରିଥିବା ବେଳେ ରାଜ୍ୟସଭାରେ ଏହି ପ୍ରସଙ୍ଗ ଉଠିନଥିଲା । ଏହା ବ୍ୟତୀତ ରାଜ୍ୟର ସାଂସଦମାନେ ରାଜ୍ୟ ସ୍ୱାର୍ଥ ସଂପର୍କିତ ଅନ୍ୟ କୌଣସି ପ୍ରସଙ୍ଗକୁ ପ୍ରଭାବଶାଳୀ ଢଙ୍ଗରେ ଉଠାଇନଥିଲେ । ମୌସୁମୀ ଅଧିବେଶନ ପୂର୍ବରୁ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ସଂସଦୀୟ ଦଳରେ ବୈଠକରେ ରାଜ୍ୟର ସ୍ୱାର୍ଥ ସଂପର୍କିତ ପ୍ରସଙ୍ଗକୁ ଜୋରଦାର ଉପସ୍ଥାପନ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା ।

ମହାନଦୀ, ଜଳବିବାଦ, ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି, ସ୍ୱତନ୍ତ୍ର ରାଜ୍ୟ ପାହ୍ୟ ପ୍ରସଙ୍ଗ ଉପସ୍ଥାପନ କରିବା ପାଇଁ ସ୍ଥିର ହୋଇଥିଲେ ମଧ୍ୟ ଉଭୟ ଗୃହରେ ଏସଂପର୍କରେ ଦୃଷ୍ଟି ଆକର୍ଷଣ କରାଯାଇନଥିଲା । ମହାନଦୀ ଜଳବିବାଦ ଆଳରେ ବିବାଦୀୟ ପୋଲାଭରମ ପ୍ରସଙ୍ଗ ସଂପୂର୍ଣ୍ଣ ରୂପେ ନୀରବ ପଡ଼ିଯାଇଥିଲା। ରାଜ୍ୟସଭାରେ ବିଜେଡି ସାଂସଦମାନେ ସାଙ୍କେତିକ ଭାବେ ପୋଲାଭରମ ପ୍ରକଳ୍ପକୁ ବିରୋଧ କରିଥିଲେ । ମାଓ ମୁକାବିଲାକୁ ନେଇ ବିଜେଡି ପକ୍ଷରୁ ସଂସଦରେ ପ୍ରସଙ୍ଗ ଉପସ୍ଥାପନ କରାଯାଇଥିବା ବେଳେ ଅନ୍ୟ ପ୍ରସଙ୍ଗରେ ଦଳ ସରକାରଙ୍କୁ ଘେରିବା ପାଇଁ କୌଣସି କଡ଼ା ଆଭିମୁଖ୍ୟ ପ୍ରଦର୍ଶନ କରିନଥିଲା । ଏକ ଆଞ୍ଚଳିକ ଦଳ ଭାବେ ବିଜେଡି ରାଜ୍ୟର ସ୍ୱାର୍ଥକୁ ପ୍ରାଥମିକତା ଦେବାଭଳି ତତ୍ପରତା ଦେଖାଇନଥିଲା । ବିଜେଡି ସଂସଦୀୟ ଦଳର ବୈଠକରେ ଯେଉଁ ସବୁ ରଣନୀତି ପ୍ରସ୍ତୁତ ହୋଇଥିଲା, ତଦନୁସାରେ ପ୍ରସଙ୍ଗ ଉପସ୍ଥାପନ ହୋଇପାରିନଥିଲା ।

ମୌସୁମୀ ଅଧିବେଶନ ବେଳେ ବିଜେଡିର ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି ନିର୍ବାଚନରେ ପ୍ରାର୍ଥୀଙ୍କୁ ସମର୍ଥନ ଜଣାଇବା ମଧ୍ୟ ଚର୍ଚ୍ଚାରେ ରହିଥିଲା । ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଓ ମିଳିତ ବିରୋଧୀ ଦଳର ଉପରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ବିଜେଡି ସମର୍ଥନ ଜଣାଇଥିଲା । ଉପରାଷ୍ଟ୍ରପତି ନିର୍ବାଚନରେ ଜେଡିୟୁ ଓ ବିଜେଡିର କିଛିଂ ସାସଦ କ୍ରସ୍ ଭୋଟିଂ କରିଥିବା ନେଇ ଦଳର ସାଂସଦଙ୍କୁ ଅପ୍ରୀତିକର ସ୍ଥିତିରେ ପକାଇଥିଲା । ଅଧିବେଶନ ବେଳେ ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଜିତ ଯୋଗୀ ବିଜେଡି ସାଂସଦ ବୈଜୟନ୍ତ ପଣ୍ଡାଙ୍କ ପ୍ରତି କେନ୍ଦ୍ର ସରକାର ନରମ ଆଭିମୁଖ୍ୟ ଗ୍ରହଣ କରିଥିବା ଅଭିଯୋଗ କରିଥିଲେ । ଅପରପକ୍ଷେ ରାଜ୍ୟସଭାରେ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ପାଇକ ବିଦ୍ରୋହକୁ ପ୍ରଥମ ସ୍ୱାଧୀନତା ସଂଗ୍ରାମର ମାନ୍ୟତା ଦେବାକୁ ଦାବୀ କରିଥିଲେ । ଭାରତ ଛାଡ଼ ଆନ୍ଦୋଳନର ଆଲୋଚନାରେ ସ୍ୱାଧୀନ ସଦସ୍ୟ ଏଭି ସ୍ୱାମୀଙ୍କ ପ୍ରଦର୍ଶନକୁ ସାଂସଦମାନେ ପ୍ରଶଂସା କରିଥିଲେ ।