ଆସୁଛି ମୌସୁମୀ : ଅନୁକୂଳ ପାଗ ଯୋଗୁଁ ଆସନ୍ତା ୨୪ ଘଂଟା ମଧ୍ୟରେ ସକ୍ରିୟ ହେବ ମୌସୁମୀ, ଜାଣନ୍ତୁ ଓଡିଶା ଉପରେ କଣ ରହିବ ପ୍ରଭାବ

129

କନକ ବ୍ୟୁରୋ: ରାଜ୍ୟରେ ଆରମ୍ଭ ହୋଇଯାଇଛି ପ୍ରାକ୍ ମୌସୁମୀ ବର୍ଷା । ଉତର ଓ ଉପକୂଳ ଓଡିଶାରେ ଝଡତୋଫାନ୍ ସାଙ୍ଗକୁ ଘଂଟାଏ ଧରି ପ୍ରବଳ ମାତ୍ରାରେ ବର୍ଷା ହୋଇଛି । ତୁହାକୁ ତୁହା ବର୍ଷାରେ ରାସ୍ତାଘାଟରେ ପାଣି ଜମି ରହିଛି । ପାଣିପାଗ ବିଭାଗର ଆକଳନ ଅନୁଯାୟୀ ଆଜି ମଧ୍ୟ ଢେଙ୍କାନାଳ, ଯାଜପୁର, କେନ୍ଦ୍ରାପଡା, କେନ୍ଦୁଝର, ଜଗତସିଂହପୁର ଓ ମୟୁରଭଂଜରେ ପ୍ରବଳ ବର୍ଷା ହୋଇପାରେ । ଏହି ସମୟରେ ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି । ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ ଆସନ୍ତା ୯ ତାରିଖ ସୁଦ୍ଧା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଓଡିଶା ଉପକୂଳ ଛୁଇଁପାରେ ।

ଲଘୁଚାପ ପ୍ରଭାବରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶାକୁ ଟାଣି ହୋଇ ଆସିବ। ଫଳରେ ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ହେବ। ସୁନ୍ଦରଗଡ଼, ଦେବଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଗଜପତି ଓ ଗଞ୍ଜାମ ଜିଲ୍ଲାରେ ୫୦ରୁ ୬୦ କିମି ବେଗରେ ପବନ ହେବ। ବଜ୍ରପାତର ବି ଆଶଙ୍କା ରହିଛି। ଜୁନ୍ ୯ରୁ ୧୦ ତାରିଖ ମଧ୍ୟରେ ଓଡ଼ିଶାରେ ମୌସୁମୀ ବାୟୁ ପହଞ୍ଚିବା ଲାଗି ପାଗ ଅନୁକୂଳ ରହୁଥିବା ନେଇ ପାଣିପାଗ ବିଭାଗ କହିଛି।

ଅନ୍ୟପକ୍ଷରେ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇଛି। ବାରିପଦାରେ ସର୍ବାଧିକ ୨୮ ମିମି ବର୍ଷା ହୋଇଥିବା ବେଳେ ଅନୁଗୁଳରେ ୨୫, ଢେଙ୍କାନାଳରେ ୧୬, କେନ୍ଦୁଝରରେ ୪, ଟିଟିଲାଗଡ଼ରେ ୩.୨ ମିମି ବର୍ଷା ହୋଇଛି। କେତେକ ସ୍ଥାନରେ ହାଲକା ବର୍ଷା ରେକର୍ଡ ହୋଇଛି। ତେବେ ପଶ୍ଚିମ ଓଡ଼ିଶାରେ ଗତକାଲି ମଧ୍ୟ ତାତି ଜାରି ରହିଛି। ଟିଟିଲାଗଡ଼ ତାପମାତ୍ରା ୪୧ ଡିଗ୍ରି ଉପରେ ରହିଥିବା ନେଇ ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଦେଇଛି।