ନିର୍ଦ୍ଧାରିତ ସମୟରେ ମୌସୁମୀ ଓଡ଼ିଶା ଛୁଇଁବ ! ଆସନ୍ତା ୯ ତାରିଖ ବେଳକୁ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା

31

କନକ ବ୍ୟୁରୋ : ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଆଗୁଆ ଆସିବା ନେଇ ଆକଳନ କରିଥିଲା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । କିନ୍ତୁ ଏବେ ଜଣାପଡ଼ିଛି ଯେ ନିର୍ଦ୍ଧାରିତ ସମୟରେ ମୌସୁମୀ ଓଡ଼ିଶା ଛୁଇଁବ ଭାରତୀୟ ପାଣିପାଗ ବିଭାଗ ତଥ୍ୟ ଅନୁଯାୟୀ ମୌସୁମୀ ବାୟୁ ଏବେ ଦକ୍ଷିଣ ଅଭ୍ୟନ୍ତରୀଣ କର୍ଣ୍ଣାଟକ, ରୟାଲସୀମା, ଦକ୍ଷିଣ ଉପକୂଳ ଆନ୍ଧ୍ରପ୍ରଦେଶ ଉପରେ ରହିଛି । ଆସନ୍ତା ୪୮ ଘଣ୍ଟା ମଧ୍ୟରେ ସମ୍ପୂର୍ଣ୍ଣ ଆନ୍ଧ୍ରପ୍ରଦେଶ ଛୁଇଁ ଓଡ଼ିଶା ଆଡ଼କୁ ଅଗ୍ରସର ହେବ । ଜୁନ୍‌ ୯ରୁ ୧୧ ତାରିଖ ମଧ୍ୟରେ ଓଡ଼ିଶା ସମେତ ଛତିଶଗଡ଼, ପଶ୍ଚିମବଙ୍ଗ, ସିକିମ୍‌, ଦକ୍ଷିଣ ମଧ୍ୟପ୍ରଦେଶ, ଗୁଜୁରାଟ ଓ ମହାରାଷ୍ଟ୍ରର କିଛି ଅଞ୍ଚଳରେ ପହଞ୍ଚିବାର ସମ୍ଭାବନା ରହିଛି । ଝାଡ଼ଖଣ୍ଡ ଓ ଏହାର ଆଖପାଖ ଅଞ୍ଚଳ ସମେତ କେନ୍ଦ୍ରୀୟ ବଙ୍ଗୋପସାଗର, ପୂର୍ବ ଉତ୍ତର ପ୍ରଦେଶ ଉପରେ ଏକାଧିକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଯେଉଁଥିପାଇଁ ମୌସୁମୀ ବାୟୁ ପ୍ରବାହ ମନ୍ଥର ହୋଇଛି । ଜୁନ୍‌ ୮ ବେଳକୁ ଉତ୍ତର ବଙ୍ଗୋପସାଗରରେ ଏକ ଲଘୁଚାପ ବଳୟ ସୃଷ୍ଟି ହେବ । ଫଳରେ ଓଡ଼ିଶାକୁ ମୌସୁମୀ ପ୍ରବେଶ ସହଜ ହେବ ବୋଲି ପାଣିପାଗ ବିଶେଷଜ୍ଞମାନେ ମତ ଦେଇଛନ୍ତି ।

heavy rain fall
image courtesy-https://www.google.co.in
ଆସନ୍ତା ୯ ତାରିଖ ପର୍ୟ୍ୟନ୍ତ ଓଡ଼ିଶାରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ କହିଛି । ୧୦ ତାରିଖ ବେଳକୁ ବର୍ଷା ପରିମାଣ ବଢ଼ିବ । ଏହି ସମୟରେ କାଳବୈଶାଖୀ ହେବ । ଆଞ୍ଚଳିକ ପାଣିପାଗ କେନ୍ଦ୍ରର ଆକଳନ କରିଛି ଯେ, ଆସନ୍ତା ୨୪ ଘଣ୍ଟା ମଧ୍ୟରେ ମାଲକାନଗିରି, କୋରାପୁଟ, ଗଜପତି ଓ ରାୟଗଡ଼ାରେ ପ୍ରବଳ ବର୍ଷା ହେବ । ଉପକୂଳ ଓ ଅଭ୍ୟନ୍ତରୀଣ ଓଡ଼ିଶାର ଜିଲ୍ଲାଗୁଡ଼ିକରେ କାଳବୈଶାଖୀ ହୋଇପାରେ । ୧୧ ତାରିଖ ଯାଏ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ହେବା ନେଇ ସତର୍କ ସୂଚନା ଜାରି କରାଯାଇଛି ।

ଅନ୍ୟପକ୍ଷରେ ଆଜି ଉତ୍ତର ଓ ଦକ୍ଷିଣ ଓଡ଼ିଶାର କେତେକ ସ୍ଥାନରେ ବର୍ଷା ହୋଇଛି । ବାରିପଦାରେ ୨୮ ମିମି ବର୍ଷା ହୋଇଥିବା ବେଳେ ଅନୁଗୁଳରେ ୨୫.୬, ଢେଙ୍କାନାଳରେ ୧୬, ଦାରିଙ୍ଗବାଡ଼ିରେ ୧୨, କେନ୍ଦୁଝରରେ ୪.୩, ଚାନ୍ଦବାଲିରେ ୪, ଟିଟିଲାଗଡ଼ରେ ୩.୨, ଫୁଲବାଣୀରେ ୨ ମିମି ବର୍ଷା ହୋଇଛି । ଭୁବନେଶ୍ୱର ସମେତ ବାଲେଶ୍ୱର, ପୁରୀ, କଟକ, କେନ୍ଦ୍ରାପଡ଼ାର କେତେକ ସ୍ଥାନରେ ବର୍ଷା ସହ ପବନ ହୋଇଛି ।