ନବଜାତ ଶିଶୁକୁ ଟେକିନେଲା ମାଙ୍କଡ ! ଠାକୁର ମନ୍ଦିରରେ ଅଧିଆ ପଡିଲେ ପରିବାର, ଆସନ୍ତାକାଲି ମାଙ୍କଡକୁ ଖୋଜିବ ସନ୍ଧାନୀ କୁକୁର

76

କନକ ବ୍ୟୁରୋ : ନବଜାତ ଶିଶୁକୁ ଘରୁ ଉଠାଇ ନେଲା ମାଙ୍କଡ଼ । ଓଡ଼ିଶାରେ ପୂର୍ବରୁ କେବେ ଏଭଳି ଘଟଣା ଦେଖିବାକୁ ମିଳିନଥିଲା । ଏଭଳି ଏକ ଅଭାନୀୟ ଘଟଣା ଦେଖିବାକୁ ମିଳିଛି ବାଙ୍କୀ ତାଳବସ୍ତା ଗାଁ ପାଟଣାସାହିରେ । ସକାଳ ପ୍ରାୟ ୬ଟା ବେଳେ ଘରେ ସମସ୍ତେ ଶୋଇଥିବା ସମୟରେ ମାଙ୍କଡ଼ ଆସି ୧୫ ଦିନର ପିଲାକୁ ନେଇ ଉଭାନ୍ ହୋଇଯାଇଥିଲା । ଘଟଣାକୁ ୧୨ ଘଂଟାରୁ ଅଧିକ ସମୟ ବିତି ଯାଇଥିଲେ ସୁଦ୍ଧା ଶିଶୁପୁତ୍ରର ଖୋଜଖବର ମିଳିପାରୁନାହିଁ । ସକାଳ ଯାଇ ସନ୍ଧ୍ୟା ହେଲା, ପିଲାକୁ ନେଇ କୁଆଡେ ଗଲା ମାଙ୍କଡ଼ । କେମିତି ଓ କେଉଁଠି ଥିବ କୁନି ପିଲା ? ଏବେ ଏମିତି ଅନେକ ପ୍ରଶ୍ନ ଛିଡ଼ା ହୋଇଛି ।

ନିଦ ଭାଙ୍ଗିବା ଆଗରୁ ନିଦ ହଜାଇ ଦେଲା ମାଙ୍କଡ଼ । ଆଖି ଖୋଲିବା ଆଗରୁ ଘରେ ପଶି ଆସିଥିଲା ଜଙ୍ଗଲି ଜନ୍ତୁ । ସାମ୍ନାରେ ମଶାରୀ ଭିତରେ ଶୋଇ ରହିଥାଏ ୧୫ ଦିନର ଶିଶୁପୁତ୍ର । କାହାରି ନିଘା ପଡ଼ିବା ଆଗରୁ ନବଜାତ ଶିଶୁକୁ ଉଠାଇ ନେଇ ନେଇ ଛୁ ହୋଇଗଲା ମାଙ୍କଡ଼ । ଚାହୁଁ ଚାହୁଁ ଆଖି ପିଛୁଳାରେ ପୁରା ଗାଏବ୍ ହୋଇଗଲା ।ଦେଖୁ ଦେଖୁ ଉଭାନ୍ ହୋଇଗଲା ମାଙ୍କଡ଼ । ଚାରିଆଡେ ଭାଲେଣି ପଡ଼ିଗଲା । ଆରମ୍ଭ ହେଲା ଶିଶୁ ସହ ମାଙ୍କଡ଼ ଖୋଜା ଅଭିଯାନ । ବନବିଭାଗର ୩୦ ଜଣିଆ ଟିମ୍ । ତା ସାଙ୍ଗକୁ ବାଙ୍କୀ ତାଳବସ୍ତ ଗାଁ ଏବଂ ପାଖ-ପଡ଼ୋଶୀ ଗାଁର ହଜାର ହଜାର ଲୋକ । ଏ ଗଛରୁ ସେ ଗଛ । ଏ ଘର ଛାତରୁ ସେ ଘର ଛପର । ଶିଶୁପୁତ୍ରକୁ ଖୋଜିବାକୁ ଏକ କରିଦେଇଛନ୍ତି ସମସ୍ତେ ।

ସକାଳୁ ସଂଜ ହୋଇଗଲା ସିନା ଶିଶୁ ପୁତ୍ରକୁ ଖୋଜିଖୋଜି ନୟାନ୍ତ ହୋଇଗଲେ ସମସ୍ତେ । ଆଉ କୌଣସି ଚାରା ନପାଇ ଗାଁର ହନୁମାନ ମନ୍ଦିରରେ ଶିଶୁର ବାପା ଅଧିଆ ପଡ଼ିଥିବା ବେଳେ ସ୍ଥାନୀୟ ଠାକୁରାଣୀ ମନ୍ଦିରରେ ଚାଲିଲା ପୂଜାର୍ଚ୍ଚନା । ଏପଟେ ପୁଅର କୌଣସି ଖୋଜ ଖବର ନମିଳିବାରୁ ମା’ ଅବସ୍ଥା ସାଂଘାତିକ୍ । ଗୁରୁତର ଅବସ୍ଥାରେ ବାଙ୍କୀ ମେଡ଼ିକାଲରେ ଭର୍ତି ହୋଇଛନ୍ତି ।

କୁଆଡେ ଉଭାନ୍ ହୋଇଗଲା କଅଁଳା ଶିଶୁ ? ଖରା ଦିନେ ସକାଳ ୬ଟାରେ ଘରେ ପଶି ମାଙ୍କଡ଼ ଛୁଅଟିକୁ ଉଠାଇ ନେଲା, ହେଲେ ମା’ଙ୍କ ବ୍ୟତୀତ ଆଉ କେହି କେମିତି ଦେଖି ପାରିଲେ ନାହିଁ ? ଦିନ ତମାମ୍ ବନବିଭାଗ ଓ ସ୍ଥାନୀୟ ବାସିନ୍ଦା ଖଜୁଥିଲେ ବି ଶିଶୁପୁତ୍ରଟି କୌଣସି ସନ୍ଧାନ ନମିଳିବା ସନ୍ଦେହ ସୃଷ୍ଟି କରୁଛି ନା ନାହିଁ ? ଶିଶୁ ପୁତ୍ର ନିଖୋଜ ନେଇ ଥାନାରେ ମଧ୍ୟ ଏକ ଏତଲା ଦିଆଯାଇଛି । ତେବେ ଆଜି ସନ୍ଧ୍ୟା ହୋଇଯିବା ପରେ ମାଙ୍କଡ ଓ ଶିଶୁ ଖୋଜା ଅଭିଯାନକୁ ବନ୍ଦ ରଖିଥିଲା ବନବିଭାଗ । କିନ୍ତୁ ଆସନ୍ତାକାଲି ସନ୍ଧାନୀ କୁକୁର ମାଙ୍କଡକୁ ଖୋଜିବ ବୋଲି ଜଣାପଡିଛି ।