ଦିଲ୍ଲୀରୁ ବାର୍ତ୍ତା, ବେଜିଂରେ ଗୁଂଜରଣ ! ଚୀନରେ ଦେଖିବାକୁ ମିଳିଲା ଲାଲକିଲ୍ଲାରେ ମୋଦି ଦେଇଥିବା ଭାଷଣର ପ୍ରଭାବ

41

କନକ ବ୍ୟୁରୋ : ସ୍ୱାଧିନତା ଦିବସ ଅବସରରେ ଲାଲକିଲ୍ଲାରୁ ମୋଦି ଦେଇଥିବା ଭାଷଣର ପ୍ରଭାବ ଚୀନରେ ଦେଖିବାକୁ ମିଳିଛି । ଡୋକଲାମ୍ ପ୍ରସଙ୍ଗରେ ଭାରତର ଆଭିମୁଖ୍ୟ, ଭାରତ ପ୍ରତି ଚୀନର ଥିବା ଦୃଷ୍ଟିଭଙ୍ଗୀକୁ ବଦଳାଇ ଦେଇଛି ବୋଲି ଚୀନର ସରକାରୀ ଗଣମାଧ୍ୟମ ଗ୍ଲୋବାଲ ଟାଇମରେ ପ୍ରକାଶ ପାଇଛି । ଏହି ରିପୋର୍ଟ ଅନୁଯାୟୀ ଚୀନର କୁଟନୀତି ବିଶେଷଜ୍ଞମାନେ ଭାରତକୁ ସମାଲୋଚନା କରିଛନ୍ତି । ଏଥିରେ କୁହାଯାଇଛି ଯେ, ଭାରତ ନିଜର ଆଭ୍ୟନ୍ତରୀଣ ସମସ୍ୟାରୁ ନଜର ହଟାଇବା ପାଇଁ ଏଭଳି କରୁଛି ।

ଦେଶର ସମସ୍ୟାର ସମାଧାନ କରିବାରେ ସମର୍ଥ ହେଉନଥିବାରୁ ଚୀନ ଏବଂ ଡୋକଲାମ୍ ନାଁ ନେଇ ସରକାର ଲୋକଙ୍କ ଦୃଷ୍ଟି ହଟାଇବାକୁ ଚାହୁଁଛନ୍ତି ବୋଲି ଏଥିରେ କୁହାଯାଇଛି । ଡୋକଲାମ ଘଟଣା ପରେ ଚୀନର ମତ ବଦଳି ଯାଇଛି, ଭାରତ ଏବେ ବନ୍ଧୁରୁ ପ୍ରତିନ୍ଦ୍ୱନ୍ଦି ପାଲଟି ଯାଇଛି ବୋଲି ଆଉ ଜଣେ ବିଶେଷଜ୍ଞ ମତ ଦେଇଛନ୍ତି ।
ସେ ଆହୁରି କହିଛନ୍ତି ଯେ ଭାରତ ଶାନ୍ତି ଚାହୁଁଛି ନା ଯୁଦ୍ଧ, ତାହାର ନିଷ୍ପତି ଭାରତ ନେଉ, ଏଥିରେ ଚୀନର କୌଣସି ଭୂମିକା ନାହିଁ ।

ଏହି ରିପୋର୍ଟରେ ପ୍ରଧାନମନ୍ତ୍ରୀ ମୋଦି ଦେଇଥିବା ମତକୁ ମଧ୍ୟ ସ୍ଥାନିତ କରାଯାଇଛି । ଦେଶର ସୁରକ୍ଷା ପ୍ରଥମ ପ୍ରାଥମିକତା ବୋଲି ମୋଦିଙ୍କ ବାର୍ତ୍ତାକୁ ଏହି ରିପୋର୍ଟରେ ସ୍ଥାନ ଦିଆଯାଇଛି । ଯାହା ଉପରେ ପ୍ରତିକ୍ରିୟା ରଖିଛନ୍ତି ଚୀନ୍ ବିଶେଷଜ୍ଞମାନେ । ଭାରତ, ଚୀନକୁ ବ୍ଲାକମେଲ ନୀତି ଆପଣାଉଥିବା ମଧ୍ୟ ଏହି ରିପୋର୍ଟରେ ଉଲ୍ଲେଖ କରିଛି ।

ଡୋକଲାମ ସୀମାରେ ଚୀନ ସହ ଉତ୍ତେଜନା ଭିତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେକୌଣସି ବାହ୍ୟ ଶତ୍ରୁର ମୁକାବିଲା ପାଇଁ ଭାରତ ପ୍ରସ୍ତୁତ ଅଛି । ଦେଶର ସୁରକ୍ଷା ପାଇଁ ସେନା ସବୁବେଳେ ପ୍ରସ୍ତୁତ ଅଛି । ସ୍ୱାଧୀନତା ଦିବସ ଅବସରରେ ଦିଲ୍ଲୀର ଲାଲକିଲ୍ଲାରେ ତ୍ରିରଙ୍ଗା ଉଡାଇବା ପରେ ଦେଶବାସୀଙ୍କୁ ମୋଦିଙ୍କ ଏହି ବର୍ତ୍ତା ବେଶ ଗୁରୁତ୍ୱ ରଖୁଛି ।