ଗୁଜରାଟରେ ଚାଲିଲା ମୋଦି ମ୍ୟାଜିକ ! ପ୍ରାରମ୍ଭିକ ଫଳାଫଳରେ ବିଜେପିକୁ ବହୁମତ ପରେ ସେଲିବ୍ରେସନ, ସଂସଦ ଭବନକୁ ଗଲାବେଳେ ବିଜୟ ସଂକେତ ଦେଖାଇଲେ ମୋଦି

33

କନକ ବ୍ୟୁରୋ : ଗୁଜରାଟ ଓ ହିମାଚଳ ପ୍ରଦେଶରେ ମୋଦି ଲହର । ଉଭୟ ରାଜ୍ୟର ବିଧାନସଭା ନିର୍ବାଚନରେ ଚାଲିଛି ମୋଦିଙ୍କ ଯାଦୁ । ଗୁଜରାଟରେ ବିଜେପି ଲଗାତାର ଷଷ୍ଠ ଥର ପାଇଁ କ୍ଷମତାସୀନ ହେବାକୁ ଯାଉଥିବାବେଳେ ହିମାଚଳ ପ୍ରଦେଶରେ କଂଗ୍ରେସଠାରୁ କ୍ଷମତା ଛଡାଇନେଇଛି ବିଜେପି । ତେବେ ଉଭୟ ରାଜ୍ୟରେ ବିଜେପିକୁ କଡା ଟକ୍କର ଦେଇଛି କଂଗ୍ରେସ । ଗୁଜରାଟରେ ବିଜେପି ପୁଣିଥରେ କ୍ଷମତାସୀନ ହୋଇଥିଲେ ବି ଭୋଟହାର କମିଛି । ଦଳକୁ କଡା ଟକ୍କର ଦେଇଛି କଂଗ୍ରେସ । ଗୁଜରାଟରେ ମୋଟ ୧୮୨ ଆସନ ମଧ୍ୟରୁ ବର୍ତ୍ତମାନ ମିଳିଥିବା ଟ୍ରେଣ୍ଡ ଅନୁସାରେ ବିଜେପି୧୦୩ ଆସନରେ ଆଗୁଆ ଥିବାବେଳେ କଂଗ୍ରେସ ୭୬ ଆସନରେ ଆଗୁଆ ଅଛି ।

ଆଜି ସକାଳ ୮ଟାରୁ ରାଜ୍ୟର ୩୭ଟି କେନ୍ଦ୍ରରେ ମତଗଣନା ଆରମ୍ଭ ହୋଇଥିଲା । ପ୍ରାଥମିକ ଟ୍ରେଣ୍ଡରେ ବିଜେପି ଆଗୁଆ ରହିଥିଲା । କିନ୍ତୁ ଗୋଟିଏ ସମୟରେ ଟ୍ରେଣ୍ଡରେ କଂଗ୍ରେସ ବିଜେପିକୁ କଡା ଟକ୍କର ଦେଇ ଆଗୁଆ ହୋଇଥିଲା । ରାଜ୍ୟରେ ବିଜେପି ସେଂଚୁରୀ ମାରି ସ୍ପଷ୍ଟ ବହୁମତ ପାଇଛି । କଂଗ୍ରେସ ବି ଗତଥର ଅପେକ୍ଷା ଏଥର ଭଲ ପ୍ରଦର୍ଶନ କରି ଭୋଟହାର ଓ ଆସନ ସଂଖ୍ୟା ବଢାଇଛି । ଗୁଜରାଟ ବିଜୟ ପରେ ବିଜେପିରେ ପ୍ରବଳ ଉତ୍ସାହ ଦେଖାଦେଇଛି । ବିଜୟ ଉତ୍ସବ ପାଳନ କରୁଛି ଦଳ । ସୌରାଷ୍ଟ-କଚ୍ଛ ଅଂଚଳରେ କଂଗ୍ରେସ ଭଲ ପ୍ରଦର୍ଶନ କରିଥିବାବେଳେ ଦକ୍ଷିଣ ଓ ମଧ୍ୟ ଗୁଜରାଟରେ ବିଜେପି ଭଲ କରିଛି । ସହରାଂଚଳରେ ବିଜେପି ଆଗୁଆ ରହିଥିବାବେଳେ ଗ୍ରାମାଂଚଳରେ କଂଗ୍ରେସ ଆଗୁଆ ରହିଛି ।

ଗୁଜରାଟ ଓ ହିମାଚଳ ପ୍ରଦେଶରେ ବିଜେପି ସରକାର ଗଢିବା ଏକ ପ୍ରକାର ନିଶ୍ଚିତ ହୋଇଛି । ବିଜେପି ଉତ୍ସାହ ପାଳନ କରୁଥିବାବେଳେ ମୋଦି ବି ଖୁସି ପ୍ରକଟ କରିଛନ୍ତି । ଆଜି ପାର୍ଲାମେଂଟ ଯିବା ସମୟରେ ବିଜୟ ପ୍ରତୀକ ଦେଖାଇଥିଲେ । ଗୁଜରାଟ ନିର୍ବାଚନ ମୋଦିଙ୍କ ପାଇଁ ପ୍ରତିଷ୍ଠାର ଲଢେଇ ଥିଲା । ଗୁଜରାଟ ନିର୍ବାଚନର ଫଳାଫଳ ଏବେ ୨୦୧୯ ସାଧାରଣ ନିର୍ବାଚନ ଉପରେ ପଡିପାରେ । ୨୦୧୪ରେ ଗୁଜରାଟ ବିକାଶ ମଡେଲ ଆଧାରରେ ମୋଦି ସାଧାରଣ ନିର୍ବାଚନ ଜିତିଥିଲେ । ଗୁଜରାଟ ଓ ହିମାଚଳ ଫଳାଫଳ ନେଇ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂ କହିଛନ୍ତି, ଏହା ମୋଦିଙ୍କ ନେତୃତ୍ୱ ଉପରେ ମୋହର ।

ଏବେ ଆସନ୍ତୁ ନଜର ପକାଇବା ଗୁଜରାଟରେ ଆଗୁଆ ଓ ବିଜୀୟୀ ହୋଇ ଥିବା ପ୍ରମୁଖ ପ୍ରାର୍ଥୀଙ୍କ ଉପରେ ?

ବିଜୟୀଙ୍କ ମଧ୍ୟରେ ରହିଛନ୍ତି ଗୁଜରାଟର ମୁଖ୍ୟମନ୍ତ୍ରୀ ବିଜୟ ରୁପାନୀ । ପଶ୍ଚିମ ରାଜକୋଟରୁ ବାଜିମାତ କରିଛନ୍ତି ରୂପାନୀ । ସେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ କଂଗ୍ରେସର ଇନ୍ଦ୍ରାନୀଲ ରାଜଗୁରୁଙ୍କୁ ୪ ହଜାର ୩୦୮ ଭୋଟ ବ୍ୟବଧାନରେ ଜିତିଛନ୍ତି । ସେହିଭଳି ଉପମୁଖ୍ୟମନ୍ତ୍ରୀ ନିତିନ ପଟେଲ ମେହସନା ଆସନରୁ ବିଜୟୀ ହୋଇଛନ୍ତି । ଏଥର ନିତିନ କଡା ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇଥିଲେ । ମେହସନାରେ ୨୮ରୁ ୩୦ ପ୍ରତିଶତ ପଟେଲ ଓ ୧୦ ପ୍ରତିଶତ ମୁସଲିମଭୋଟ ଅଛନ୍ତି । ଗୁଜରାଟର ରାଧନପୁର ଆସନରୁ କଂଗ୍ରେସର ଅଳ୍ପେଶ ଠାକୋର ବିଜୟୀ ହୋଇଛନ୍ତି । ସେ ବିଜେପି ପ୍ରାର୍ଥୀଙ୍କୁ ହରାଇଛନ୍ତି । ଅଳ୍ପେଶ ଗୁଜରାଟ କ୍ଷତ୍ରୀୟ ଠାକୋର ସେନାର ଆବାହକ ଅଛନ୍ତି । ସେହିଭଳି ଭଡଗାମ ଆସନରୁ ସ୍ୱାଧୀନ ପ୍ରାର୍ଥୀ ଜିଗ୍ନେଶ ମେୱାନୀ ବିଜୟୀ ହୋଇଛନ୍ତି । ସେ ବିଜେପିର ବିଜୟ ଚକ୍ରବର୍ତୀଙ୍କୁ ହରାଇଛନ୍ତି । ଜିଗ୍ନେସଙ୍କୁ କଂଗ୍ରେସ ଓ ଆମ ଆଦମୀ ପାର୍ଟି ସମର୍ଥନ କରୁଥିଲେ ।

ସେହିପରି ହିମାଚଳ ପ୍ରଦେଶରେ ବି ଦେଖିବାକୁ ମିଳିଛି ମୋଦିଙ୍କ ଯାଦୁ । ବିଜେପି ରାଜ୍ୟରେ ସ୍ପଷ୍ଟ ବହୁମତ ଆଡକୁ ଅଗ୍ରସର ହେଉଛି । ବର୍ତମାନ ସୁଦ୍ଧା ମିଳିଥିବା ଟ୍ରେଣ୍ଡ ଅନୁସାରେ ରାଜ୍ୟର ମୋଟ ୬୮ଟି ଆସନ ମଧ୍ୟରୁ ବିଜେପି ୪୨  ଆସନରେ ଆଗୁଆ ଥିବାବେଳେ କଂଗ୍ରେସ ୨୨ ଆସନରେ ଆଗୁଆ ରହିଛି । ଗତ ମାସରେ ଏଠାରେ ନିର୍ବାଚନ ହୋଇଥିଲା । ହିମାଚଳରେ ବିଜେପି ସ୍ପଷ୍ଟ ବହୁମତ ଆଡକୁ ଅଗ୍ରସର ହୋଇଥିଲେ ବି ଦଳକୁ ଲାଗିଛି ଏକ ବଡ ଝଟକା । ବିଜେପିର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରେମ କୁମାର ଧୁମଲ ସୁଜନପୁର ଆସନରୁ ପଛୁଆ ଅଛନ୍ତି । ସେ ରାଜ୍ୟର ମୁଖ୍ୟମନ୍ତ୍ରୀ ଥିଲେ ଓ ନିର୍ବାଚନ ପୂର୍ବରୁ ବିଜେପି ତାଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଘୋଷଣା କରିଥିଲା । ତେବେ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ପ୍ରାର୍ଥୀ ବୀରଭଦ୍ର ସିଂ ତାଙ୍କ ନିର୍ବାଚନମଣ୍ଡଳୀରୁ ଆଗୁଆ ରହିଛନ୍ତି ।