ତୀବ୍ର ରାଷ୍ଟ୍ରୀୟ ଭାବନା ଭିତରେ ବିରୋଧୀଙ୍କୁ ମୋଦିଙ୍କ ସମାଲୋଚନା ! ସେନା ଉପରେ ସନ୍ଦେହ ନକରି ସମର୍ଥନ ପାଇଁ ଦେଲେ ଆହ୍ୱାନ ।

162

କନକ ବ୍ୟୁରୋ : ତାମିଲନାଡୁରେ ଜନସଭାକୁ ସମ୍ବୋଧିତ କରି ବିରୋଧିଙ୍କ ଉପରେ ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କହିଛନ୍ତି, ସାରା ଭାରତ ସେନାକୁ ସମର୍ଥନ କରୁଥିବା ବେଳେ ବିରୋଧୀମାନେ ସେନାବାହିନୀ ଉପରେ ସନ୍ଦେହ କରୁଛନ୍ତି । ତାମିଲନାଡୁରେ ନିର୍ବାଚନୀ ରାଲିରେ ମୋଦି ଫାଇଟର ପାଇଲଟ ଅଭିନନ୍ଦନଙ୍କୁ ପ୍ରଶଂସା କରିବା ସହ କହିଛନ୍ତି ଆଜି ପ୍ରତ୍ୟକ ଭାରତୀୟ ୱିଙ୍ଗ କମାଣ୍ଡର ଅଭିନନ୍ଦନଙ୍କୁ ନେଇ ଗର୍ବ କରୁଛନ୍ତି ।

ତାମିଲନାଡୁ ନିର୍ବାଚନୀ ରାଲିରେ ବିରୋଧୀଙ୍କୁ ଟାର୍ଗେଟ କଲେ ମୋଦି । ମୋଦି ଅଭିଯୋଗ କରିଛନ୍ତି ଯେ, ବିରୋଧିମାନେ ସେମାନଙ୍କ ମନ୍ତବ୍ୟ ଦ୍ୱାରା ପାକିସ୍ତାନକୁ ସାହାଯ୍ୟ କରୁଛନ୍ତି ଏବଂ ଭାରତକୁ କ୍ଷତି ପହଂଚାଉଛନ୍ତି । ଆତଙ୍କବାଦ ବିରୋଧରେ ଏହି ଲଢେଇକୁ ସାରା ବିଶ୍ୱ ସମର୍ଥନ ଜଣାଇଥିବା ବେଳେ କିଛି ବିରୋଧି ଆତଙ୍କବାଦ ବିରୋଧରେ ଆମର ଏହି ଲଢେଇକୁ ସନ୍ଦେହ କରୁଛନ୍ତି ବୋଲି କହିଛନ୍ତି ମୋଦି । ପାକିସ୍ତାନର ସଂସଦ ତଥା ରେଡିଓ ଏବଂ ଟିଭିରେ ସେହି ନେତା ମାନଙ୍କର ଷ୍ଟେଟମେଂଟ କୁହାଯାଉଛି । ତେଣୁ ସେନାବାହିନୀକୁ ବିରୋଧୀ ସମର୍ଥନ କରୁଛନ୍ତି ନା ବିରୋଧ କରୁଛନ୍ତି ସେନେଇ ପ୍ରଶ୍ନ ପଚାରିଛନ୍ତି ମୋଦି ।

ଫାଇଟର ପାଇଲଟ ଅଭିନନ୍ଦନଙ୍କୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ । ମୋଦି କହିଛନ୍ତି, ଅନେକ ବର୍ଷ ଧରି ଦେଶ ଆତଙ୍କବାଦର ସାମନା କରୁଥିଲା । ହେଲେ ଉରି ଓ ପୁଲୱାମା ଆତଙ୍କବାଦୀ ଆକ୍ରମଣ ପରେ ସଙ୍ଗେ ସଙ୍ଗେ ଆକ୍ସନ ମୋଡକୁ ଆସିଥିଲେ ସରକାର । ସମୟ ଥିଲା ଯେତେବେଳେ ଖବର କାଗଜରେ ପ୍ରକାଶ ପାଉଥିଲା, ସେନା ପ୍ରତିଶୋଧ ନେବାକୁ ଚାହୁଁଛି ମାତ୍ର ସରକାର ଅନୁମତି ଦେଉନାହାନ୍ତି । କିନ୍ତୁ ଏବେ ଖବର କାଗଜରେ ଖବର ପ୍ରକାଶ ପାଉଛି ସେନାକୁ ପୂର୍ଣ୍ଣ ସ୍ୱାଧୀନତା ଦିଆଯାଇଛି ଏବଂ ସେମାନେ ଯେବେ ଚାହିଁବେ, ଯେଉଁଠି ଚାହିଁବେ ଶତ୍ରୁ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇପାରିବେ ବୋଲି ମୋଦି କହିଛନ୍ତି । ତାମିଲନାଡୁର କନ୍ୟାକୁମାରୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଲୱାମା ଆତଙ୍କବାଦୀ ହମଲା କଥା ଉଲ୍ଲେଖ କରି ସହିଦ ଯବାନଙ୍କୁ ସଲାମ କରିଥିଲେ ।