ମୋଦିଙ୍କ ‘ମନ୍ କି ବାତ୍’ ! ରେଡିଓରେ ଦେଶବାସୀଙ୍କୁ ନିଜର ମନ କଥା କହିଲେ ପ୍ରଧାନମନ୍ତ୍ରୀ

40

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରେଡିଓରେ ଦେଶବାସୀଙ୍କୁ ନିଜର ମନ କଥା କହିଛନ୍ତି । ରମଜାନ ଆରମ୍ଭ ନେଇ ଶୁଭେଛା ଜଣାଇଛନ୍ତି ମୋଦି । କହିଛନ୍ତି ପବିତ୍ର ରମଜାନ ମାସ ଶାନ୍ତି ,ଏକତା ଓ ସମୃଦ୍ଧି ଆଣିବାରେ ସହାୟକ ହେବ । ୧୨୫କୋଟି ଜନସଂଖ୍ୟା ବିଶିଷ୍ଟ ଦେଶ ଭାରତରେ ସବୁ ସମ୍ପ୍ରଦାୟର ଲୋକ ବାସ କରୁଛନ୍ତି । ଯାହା କି ଗର୍ବର ବିଷୟ । ସମସ୍ତ ପ୍ରକାର ବିଚାରଧାରା, ପୂଜା ପଦ୍ଧତି ଓ ପରମ୍ପରା ଆମ ଲୋକମାନଙ୍କୁ ଏକ ସାଥିରେ ବଂଚିବାର କଳା ଶିଖାଇଛି ।

ବିଶ୍ୱ ପରିବେଶ ଦିବସ ଅବସରରେ ଜୁନ୍ ୫ରେ ବୃକ୍ଷ ରୋପଣ କରିବାକୁ ଆହ୍ୱାନ ଦେଇଛନ୍ତି ମୋଦି । ପରିବେଶକୁ ସ୍ୱଛ ରଖିବା ପାଇଁ ୪ହଜାର ସହରରେ ଆବର୍ଜନା କୁଣ୍ଡର ବ୍ୟବସ୍ଥା କରିବା ପାଇଁ ସେ କହିଛନ୍ତି । ସେହିପରି ଜୁନ୍ ୨୧ରେ ବିଶ୍ୱ ଯୋଗ ଦିବସକୁ ନେଇ ମନର କଥା କହିଛନ୍ତି ମୋଦି । ସେ କହିଛନ୍ତି ଯୋଗ ବିଶ୍ୱକୁ ଭାରତର ଅବଦାନ । ଯୋଗ କରି ଏକ ସଙ୍ଗରେ ତିନି ପିଢ଼ି ସୁସ୍ଥ ରହିଛନ୍ତି । ଏହା ସହ କହିଛନ୍ତି କେନ୍ଦ୍ର ସରକାରଙ୍କ ୩ବର୍ଷ ପୂର୍ତିରେ ସରକାରଙ୍କୁ ନେଇ ଅନେକ ସର୍ଭେ ହୋଇଛି । ଏଥିରେ ସରକାର ଉତ୍ତୀର୍ଣ୍ଣ ହୋଇଛନ୍ତି । ଗଣତନ୍ତ୍ରରେ ସରକାର ଉତ୍ତରଦାୟୀ ରହିବା ଜରୁରୀ । ଏବଂ ସରକାରଙ୍କ କାର୍ଯ୍ୟକୁ ଅନୁଧ୍ୟାନ କରୁଥିବା ସମାଲୋଚକମାନଙ୍କୁ ଧନ୍ୟବାଦ ଦେଇଛନ୍ତି ମୋଦି ।