ମୋଦୀଙ୍କ ବାରିପଦା ବନାମ୍ ନବୀନଙ୍କ ପୁରୀ: ୫ରେ ମହିଳା କାର୍ଡ ଖେଳିବେ ନବୀନ, ନିର୍ବାଚନ ପୂର୍ବରୁ ଏସଏଚଜି ଗ୍ରୁପଙ୍କୁ ଦେବେ ଭେଟି

୫ ତାରିଖ ଦିନ ବାରିପଦା ଗସ୍ତରେ ଆସୁଛନ୍ତି ମୋଦୀ

231

କନକ ବ୍ୟୁରୋ: ଡିସେମ୍ବର ୨୪ ତାରିଖ ଖୋର୍ଧା ସାଧାରଣ ସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଜେଡି ସରକାରକୁ କଟାକ୍ଷ କରିଥିଲେ। ୨୬ ତାରିଖରେ ଏହାର ଦୃଢ ଜବାବ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପରେ ପରେ ତିନି ତଲାକ୍ ବିଲ୍ରେ ବି ସଂସଦରେ ବିଜେଡି କଠୋର ମନୋଭାବ ପ୍ରକଟ କରିଛି। ଦ୍ବିତୀୟ ପର‌୍ୟ୍ୟାୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ୫ ତାରିଖ ଦିନ ବାରିପଦା ଗସ୍ତରେ ଆସୁଛନ୍ତି। ଜାତୀୟ ରାଜପଥ ଲୋକାର୍ପଣ ଆଦି କାର‌୍ୟ୍ୟକ୍ରମକୁ ନେଇ ପ୍ରଧାନମନ୍ତ୍ରୀ ଏକ ସରକାରୀ ସଭାରେ ଯୋଗଦେବେ ଓ ପରେ ସେ ଦଳୀୟ ସାଧାରଣ ସଭାରେ ଉଦ୍ବୋଧନ ଦେବାର କାର‌୍ୟ୍ୟକ୍ରମ ରହିଛି। ହେଲେ ଏଥର ବି ପ୍ରଧାନମନ୍ତ୍ରୀଙ୍କ କାର‌୍ୟ୍ୟକ୍ରମକୁ ଟକ୍କର ଦେଇ ରାଜ୍ୟ ସରକାର ସେହିଦିନ ପୁରୀ ଇନଡୋର ହଲରେ ଏକ ବଡ଼ ସମାବେଶ କରୁଥିବା ସୂଚନା ମିଳିଛି। ପୁରୀ ସମାବେଶରେ ପୂର୍ବାହ୍ନରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସିଧାସଳଖ ବାରିପଦା ଯାଇପାରନ୍ତି।

ନିର୍ବାଚନ ପୂର୍ବରୁ ଏସଏଚଜି ଗ୍ରୁପଙ୍କୁ ଭେଟି

କୌତୂହଳର କଥା ହେଲା, ମୁଖ୍ୟମନ୍ତ୍ରୀଙ୍କ ଏହି କାର‌୍ୟ୍ୟକ୍ରମ ମହିଳାମାନଙ୍କ ପାଇଁ ଉଦ୍ଦିଷ୍ଟ। ୬୦ ହଜାରରୁ ଅଧିକ ମହିଳାଙ୍କୁ ସରକାର ଏକାଠି କରିବେ ଓ ପୂର୍ବ ଘୋଷଣା ମୁତାବକ, ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ମୋବାଇଲ ଓ ୧୫ ହଜାର ଟଙ୍କା ଦେବେ। ମିଳିଥିବା ସୂଚନା ଅନୁସାରେ, ନୂଆ ଓ ପୁରୁଣା ମିଶି ଜିଲ୍ଲାରେ ୪୨ ହଜାର ସ୍ବୟଂ ସହାୟକ ଗୋଷ୍ଠୀକୁ ଏହି ସମାବେଶକୁ ନିମନ୍ତ୍ରଣ କରାଯାଇଛି। ସେମାନଙ୍କ ଭିତରୁ ୨୭ ହଜାର ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ୧୫ ହଜାର ଲେଖାଏଁ ଦିଆଯିବ ଓ ଏହି ଅର୍ଥ ସେମାନଙ୍କ ଆକାଉଣ୍ଟକୁ ଯିବ। ସେହିଭଳି ବାକି ଏଚଏଚଜିଙ୍କୁ ମୋବାଇଲ ବାବଦରେ ୩ହଜାର ଟଙ୍କା ଲେଖାଏଁ ସରକାର ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପ୍ରଦାନ କରିବେ। ଜିଲ୍ଲାର ମୋଟ ୧୧ଟି ଫେଡେରେସନ ଓ ପୌରାଞ୍ଚଳରେ ଗୋଟିଏ ମହିଳା ଫେଡେରେସନକୁ ୨୫ଲକ୍ଷ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରାଯିବ। ପୁରୀ ପରେ ଏହିଭଳି ଅନ୍ୟ ଜିଲ୍ଲାମାନଙ୍କରେ ପର‌୍ୟ୍ୟାୟଵାରି ଏଭଳି କାର‌୍ୟ୍ୟକ୍ରମ ଆୟୋଜିତ ହେବ।

ତେବେ ପ୍ରଧାନମନ୍ତ୍ରୀ-ମୁଖ୍ୟମନ୍ତ୍ରୀଙ୍କର ଏହି କାର‌୍ୟ୍ୟକ୍ରମକୁ ନେଇ ରାଜ୍ୟ ରାଜନୀତିରେ ଚର୍ଚ୍ଚା ଆରମ୍ଭ େହାଇଗଲାଣି। ନିର୍ବାଚନ ବର୍ଷରେ ଅର୍ଥାତ୍ ନୂଆ ବର୍ଷ ଆରମ୍ଭରୁ ପ୍ରଧାନମନ୍ତ୍ରୀ-ମୁଖ୍ୟମନ୍ତ୍ରୀଙ୍କର ପ୍ରତ୍ୟକ୍ଷ ଲଢ଼େଇ ଆରମ୍ଭ ହେବ ବୋଲି ରାଜନୈତିକ ମହଲ ଯେଉଁ ପୂର୍ବାନୁମାନ କରୁଥିଲେ, ତାହା ବାସ୍ତବ ରୂପ ନେଇପାରେ। ଏହି ମହଲର ଯୁକ୍ତି ହେଉଛି, ବିଜେପି ଅଧିକ କଥା କହେ, କାମରେ କମ୍ ବିଶ୍ବାସ କରେ ବୋଲି ନବୀନ ବାରମ୍ବାର ଯେଉଁ ଅଭିଯୋଗ ଆଣୁଛନ୍ତି, ତାକୁ ସାବ୍ୟସ୍ତ କରିବାକୁ ଚାହୁଁଛନ୍ତି। ମୁଖ୍ୟମନ୍ତ୍ରୀ ଦର୍ଶାଇବାକୁ ଚାହୁଁଛନ୍ତି ଯେ ସେ ନଭେମ୍ବର ମାସରେ ମହିଳାଙ୍କୁ ଯେଉଁ ପ୍ରତିଶ୍ରୁତି ଦେଇଥିଲେ, ତାହା ଜାନୁଆରିରେ ହିଁ କାର‌୍ୟ୍ୟକାରୀ ହେବ। କେବଳ ସେତିକି ନୁହେଁ, ପୁରୀ ସମାବେଶ ଆଳରେ ନବୀନ ସମଗ୍ର ରାଜ୍ୟର ମହିଳା ଭୋଟରଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଯୋଜନା କରିଛନ୍ତି।

ଏଠାରେ ପ୍ରକାଶଥାଉକି, ମେକ୍ ଇନ୍ ଓଡ଼ିଶା କନକ୍ଲେଭ କାର‌୍ୟ୍ୟକ୍ରମରେ ମହିଳା ଉଦ୍ୟୋଗୀଙ୍କ ସହ ଆଲୋଚନା ବେଳେ ମୁଖ୍ୟମନ୍ତ୍ରୀ ମହିଳାମାନଙ୍କୁ ଡିଜିଟାଲ ଜଗତ ସହିତ ଯୋଡିବା ପାଇଁ ଘୋଷଣା କରିଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ, ରାଜ୍ୟରେ ଥିବା ପ୍ରତ୍ୟେକ ଏସଏଚଜିଙ୍କୁ ଗୋଟିଏ ଲେଖାଏଁ ମୋବାଇଲ ଦିଆଯିବ। ଏହି କ୍ରମରେ ରାଜ୍ୟର ପାଖାପାଖି ୬ଲକ୍ଷ ଏସଏଚଜି ମୋବାଇଲ ପାଇବେ ଓ ଏହାକୁ ଆୟୁଧ କରି ୭୦ଲକ୍ଷ ମହିଳାଙ୍କ ନିକଟରେ ସରକାର ପହଞ୍ଚିବା ଲାଗି ଯୋଜନା କରିଛନ୍ତି। ନୂଆବର୍ଷରେ ପୁରୀରୁ ଏହି କାର‌୍ୟ୍ୟକ୍ରମର ଶୁଭାରମ୍ଭ କରି ମୁଖ୍ୟମନ୍ତ୍ରୀ ମହିଳାଙ୍କ ପ୍ରତି ସରକାରଙ୍କ ପ୍ରତିବଦ୍ଧତା ପ୍ରକଟ କରିବାକୁ ଚାହୁଁଛନ୍ତି ବୋଲି ବିଜେଡି ଯୁକ୍ତି ରଖିଛି।