ଓଡିଶା ଗସ୍ତରେ ଆସୁଛନ୍ତି ମୋଦି : ବାଲେଶ୍ୱରରେ ସାଧାରଣ ସଭାରେ ଦେବେ ଉଦବୋଧନ

35

ବାଲେଶ୍ୱର: ଆଜି ବାଲେଶ୍ୱର ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି । କେନ୍ଦ୍ରରେ ଏନଡିଏ ସରକାରଙ୍କ ବିକାଶ ଉତ୍ସବ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ । ଗତ ୨ ବର୍ଷରେ ସରକାରଙ୍କ ସଫଳତା ନେଇ ସେ ଆଜିର ଏହି ସାଧାରଣ ସଭାରେ ମୋଦି ବକ୍ତବ୍ୟ ରଖିବେ । ତାଙ୍କ ସରକାରର ୨ ବର୍ଷ ପୂର୍ତି ଅବସରରେ ଦେଶର ବିଭିନ୍ନ ସ୍ଥାନରେ ଏଭଳି ସାଧାରଣ ସଭାମାନ ଆୟୋଜିତ ହେଉଛି । ଏଥିରେ ସରକାରଙ୍କ ସଫଳତା ବିଷୟରେ ଲୋକଙ୍କୁ ଅବଗତ କରୁଛନ୍ତି ଖୋଦ୍ ପ୍ରଧାନମନ୍ତ୍ରୀ । ଅନ୍ୟପଟେ ଓଡିଶା, କେନ୍ଦ୍ର ସରକାରଙ୍କ ବିକାଶ କାର୍ଯ୍ୟକ୍ରମର ଫୋକସରେ ରହିଛି ବୋଲି ବିଜେପି ନେତାମାନେ କହିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାକୁ ନେଇ ବ୍ୟାପକ ବ୍ୟବସ୍ଥା କରାଯାଇଛି । ବ୍ଲୁ-ବୁକ୍ ଆଧାରରେ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବା କହିଛନ୍ତି ଅତିରିକ୍ତ ଡିଜି ସତ୍ୟଜିତ୍ ମହାନ୍ତି ।

ଏହାସହ ଟ୍ରାଫିକ୍ ବ୍ୟବସ୍ଥା ପାଇଁ ସହରର ବିଭିନ୍ନ ସ୍ଥାନରେ ୧୨ରୁ ୧୬ଟି ପାର୍କିଂ ପ୍ଲେସ କରାଯାଇଥିବା ଅତିରିକ୍ତ ଡିଜି ସୂଚନା ଦେଇଛନ୍ତି । ଦିନ ୧୧ଟାରେ ବାଲେଶ୍ୱର ସଭା ମଂଚରେ ପହଂଚିବା ପରେ ୧୧ଟା ୫୦ ପର୍ଯ୍ୟନ୍ତ ଉପସ୍ଥିତ ସାଧାରଣ ଜନତାକୁ ସମ୍ବୋଧିତ କରିବେ ମୋଦି । ତେବେ ଏହି ୫୦ ମିନିଟରେ କଣ କହିବେ ପ୍ରଧାନମନ୍ତ୍ରୀ ମୋଦି ତା ଉପରେ ରହିଛି ସମସ୍ତଙ୍କ ନଜର । କେବଳ କେନ୍ଦ୍ର ସରକାରଙ୍କ ସଫଳତା, ଲୋକାଭିମୁଖୀ ଯୋଜନାର ଅବତାରଣା କରିବେ ନା ରଖିବେ ଏକ ରାଜନୈତିକ ଅଭିଭାଷଣ । ରାଜ୍ୟରେ ନବୀନ ସରକାରଙ୍କୁ ସଭା ମଂଚ ଉପରୁ ଟାର୍ଗେଟ କରିବେ କି ମୋଦି । ଆସାମ ପରେ ପ୍ରଧାନମନ୍ତ୍ରୀ ମୋଦି ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ଫୋକସରେ ଏବେ ରହିଛି ଓଡିଶା । କୁହାଯାଉଛି ୨୦୧୯ ନିର୍ବାଚନ ବେଳକୁ ଓଡିଶାରେ ସେଂଚୁରୀ ମାରିବାକୁ ବିଜେପି ପ୍ରସ୍ତୁତ କରିଛି ବ୍ଲୁପ୍ରିଂଟ । ତେଣୁ ବାଲେଶ୍ୱର ସଭାରେ କଣ କହିବେ ପ୍ରଧାନମନ୍ତ୍ରୀ ମୋଦି ତା ଉପରେ ରହିଛି ସମସ୍ତଙ୍କ ନଜର ।